🔥 TRENDING रामपुर के टांडा बादली पुल पर रात में म... बिलासपुर के नवल वर्मा को MBR मानद डॉक्... Ramayana Surpasses Dhurandhar, Ranks 4... Ramayana Surpasses ₹8 Crore in 16 Days ED Seeks Evidence at Two Sites Linked... Minister Seethakka Lays Foundation Sto...
20 Nov 2026•
ગુજરાતી मराठी ਪੰਜਾਬੀ বাংলা

କାଲିମେଳାରେ ବନ ବିଭାଗର ବଡ଼ ସଫଳତା: ବୋଲେରୋରୁ ୩୯୦ ଜୀବନ୍ତ କଇଁଛ ଉଦ୍ଧାର, ଚାଳକ ଫେରାର

✍️ Reporter: Sukumar Mandal 🗓 20 Nov 2026, 07:34 PM 👁 21
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୦/୧୧: ମାଲକାନଗିରି ଜିଲ୍ଲାରେ ବେଆଇନ ବନ୍ୟଜନ୍ତୁ ଚାଲାଣ ରୋକିବା ଦିଗରେ କାଲିମେଳା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଆଜି ଭୋର ପ୍ରାୟ ୪ଟା ସମୟରେ ୩୨୬ ନମ୍ବର ଜାତୀୟ ରାଜପଥର ନାଲାଗୁଣ୍ଠି ଛକ ନିକଟରୁ ଏକ ବୋଲେରୋ ଗାଡ଼ିରୁ ୩୯୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଜବତ କଇଁଛଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କଇଁଛ ଚୋରା ଚାଲାଣ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଦେବାଶିଷ ପ୍ରଧାନ, ବନରକ୍ଷୀ ନରସିଂହ ସାନ୍ତା ଏବଂ ପାରା ସ୍କ୍ୱାଡ୍‌ର ସଦସ୍ୟମାନେ ନାଲାଗୁଣ୍ଠି ଛକ ନିକଟରେ ଜଗି ରହିଥିଲେ। ଏହି ସମୟରେ ମୋଟୁ ପଟୁ ଦ୍ରୁତଗତିରେ ଆସୁଥିବା ଓଆର୍‌ ୦୨ ଏଜେ ୧୪୧୦ ନମ୍ବର ବିଶିଷ୍ଟ ବୋଲେରୋକୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଗାଡ଼ି ଚାଳକ ବନ ବିଭାଗର କର୍ମଚାରୀଙ୍କୁ ନ ଅଟକି ଏକ ଜମି ଭିତରକୁ ଗାଡ଼ି ନେଇଯାଇଥିଲା। ପରେ ଗାଡ଼ି ଛାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ବନ ବିଭାଗ କର୍ମଚାରୀମାନେ ଗାଡ଼ିରେ ତଲାସି କରିବାରୁ ଅଖା ବସ୍ତା ଭିତରେ କଇଁଛ ଭର୍ତ୍ତି ହୋଇ ରଖାଯାଇଥିବା ଦେଖିଥିଲେ। ପରେ ଗାଡ଼ି ସହ କଇଁଛଗୁଡ଼ିକୁ କାଲିମେଳା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇ ଗଣନା କରାଯାଇଥିଲା। ଏଥିରେ ୩୯୦ଟି ଜୀବନ୍ତ କଇଁଛ ସହ ୨୦ରୁ ୨୫ଟି ମୃତ କଇଁଛ ମଧ୍ୟ ମିଳିଥିଲା।

କାଲିମେଳାର ଭେଟେରିନାରୀ ଅଧିକାରୀ ଡାକ୍ତର ବନାନୀ ହାଁସଦା କଇଁଛଗୁଡ଼ିକର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏସିଏଫ୍‌ ପ୍ରିୟଙ୍କା ମାହୁକାଙ୍କ ସୂଚନା ଅନୁଯାୟୀ, ଏହି କଇଁଛଗୁଡ଼ିକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆଣି କାଲିମେଳା ଅଞ୍ଚଳରେ ମାଂସ ପାଇଁ ଚାଲାଣ କରାଯାଉଥିଲା।

ସ୍ୱାସ୍ଥ୍ୟ ପରୀକ୍ଷା ପରେ ଉଦ୍ଧାର ହୋଇଥିବା ଜୀବନ୍ତ କଇଁଛଗୁଡ଼ିକୁ ଉପଯୁକ୍ତ ମଧୁର ଜଳାଶୟରେ ଛାଡ଼ିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ଘଟଣାରେ ଗାଡ଼ି ଜବତ ହୋଇଥିବା ବେଳେ ଫେରାର ଚାଳକଙ୍କୁ ଧରିବା ଏବଂ ଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।
📲Get App