🔥 TRENDING ಗ್ರಾಹಕರ ಹಕ್ಕುಗಳ ವೇದಿಕೆಯಿಂದ ತಹಶಿಲ್ದಾರರಿ... காட்பாடி அருகே மாற்றுத்திறனாளி இளைஞர்... ದೇವದುರ್ಗದ: ಹೋಟೆಲ್‌ಗಳಲ್ಲಿ ಬೆಲೆ ಏರಿಕೆ, ಅ... China Announces New Space Mission Crew... नागभीडच्या रस्त्यावर हरणांचा मुक्त संच... BJP Slams Rahul Gandhi, Claims He Carr...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ବିଧାନସଭା ଶୀତ ଅଧିବେଶନ: ଭତ୍ତା ବିଳମ୍ବକୁ ନେଇ ଗୃହରେ ସରଗରମ ଆଲୋଚନା

✍️ Reporter: Deepak Mahapatra 🗓 24 Nov 2026, 01:47 PM 👁 23
Share: 💬 WhatsApp 📘 Facebook 𝕏 Post
ଗତ ୧୮ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ବିରୋଧୀ ବିଜେଡି ନିଜର ପୁରୁଣା ପ୍ରସଙ୍ଗ ଛାଡ଼ିବା ପରେ ଗୃହରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ସୁରୁଖୁରୁରେ ଆଲୋଚନା ହେବା ସହ ଗୁରୁତ୍ୱପୂର୍ଣ୍ଣ ବିଧେୟକ ମଧ୍ୟ ପାରିତ ହୋଇପାରିଛି।

ଗତ ତିନି ଦିନ ଧରି ଗଞ୍ଜାମ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ନେଇ ବିଜେଡି ସଦସ୍ୟମାନେ ଓ କୋଟିଆ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଆଲୋଚନା ଦାବି କରି ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ତେବେ ଆଜି ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ବିଧାୟକମାନେ କୋଟିଆ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ ମଧ୍ୟ ରାଜସ୍ୱ ବିଭାଗର ଆଲୋଚନାବେଳେ ଏ ବିଷୟରେ ଆଲୋଚନା ପାଇଁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସୁରମା ପାଢ଼ୀ କହିବା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ପ୍ରଶ୍ନକାଳ ଓ ଶୂନ୍ୟକାଳ ପରେ ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଦୀର୍ଘସମୟ ଧରି ଆଲୋଚନା ହୋଇଥିଲା।

ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ କେଶରୀ ଦେବ, ରୋମାଂଚ ରଞ୍ଜନ ବିଶ୍ୱାଳ, ଧ୍ରୁବ ଚରଣ ସାହୁ, ଗୌତମବୁଦ୍ଧ ଦାସ ଓ ଶାରଦା ପ୍ରସନ୍ନ ଜେନାଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବରେ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଂଚଳରେ ୬ ମାସ ପର୍ଯ୍ୟନ୍ତ ଭିନ୍ନକ୍ଷମ ଭତ୍ତା ନମିଳିବାରୁ ଜଣେ ହିତାଧିକାରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଉଠାଯାଇଥିଲା। ମାସ ମାସ ଧରି ଭତ୍ତା ନମିଳିବାରୁ ହଜାର ହଜାର ହିତାଧିକାରୀ ଅସହାୟ ଜୀବନ ବିତାଉଥିବା ବିରୋଧୀ ଦଳ ସଦସ୍ୟମାନେ ଅଭିଯୋଗ କରିଥିଲେ।

ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତଥ୍ୟ ଉପସ୍ଥାପନ କରିଥିଲେ। ରିପୋର୍ଟ ଅନୁଯାୟୀ, କୋଇଡାର ଭିନ୍ନକ୍ଷମ ହିତାଧିକାରୀ ବିକାଶ ରଞ୍ଜନ ପାତ୍ର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ମାସିକ ୩୫୦୦ ଟଙ୍କା ଭତ୍ତା ପାଉଛନ୍ତି ଓ ସେ ୨୦୨୬ ମଇ ମାସ ପର୍ଯ୍ୟନ୍ତ ଭତ୍ତା ପାଇଥିଲେ। ତେବେ ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୈଷୟିକ ତ୍ରୁଟି ଯୋଗୁଁ ଦୁଇଥର ଚେଷ୍ଟା ସତ୍ୱେ ତାଙ୍କ ଖାତାକୁ ଟଙ୍କା ଯାଇପାରିନଥିଲା। ଅକ୍ଟୋବର ଓ ନଭେମ୍ବର ମାସର ରାଜ୍ୟ ଅଂଶ ବାବଦକୁ ୬୪୦୦ ଟଙ୍କା (ମାସିକ ୩୨୦୦ ଟଙ୍କା ହିସାବରେ) ଓ ବାର୍ଦ୍ଧକ୍ୟ ଭତ୍ତା ପାଣ୍ଠିରୁ ଅତିରିକ୍ତ ୧୪୦୦୦ ଟଙ୍କା ତାଙ୍କ ଘରେ ପହଂଚି ନଗଦ ଆକାରରେ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ଭତ୍ତା ବିଳମ୍ବର କାରଣ ଦର୍ଶାଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୨୬-୨୭ ଆର୍ôଥକ ବର୍ଷରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଯୋଜନାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଦେୟକୁ 'ଏସଏନଏ-ସ୍ପର୍ଶ' ନାମକ ଏକ ନୂତନ ବ୍ୟବସ୍ଥାକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ପୋର୍ଟାଲ ଓ ରାଜ୍ୟର ସମନ୍ୱିତ ଆର୍ôଥକ ପରିଚାଳନା ବ୍ୟବସ୍ଥା ମଧ୍ୟରେ ବୈଷୟିକ ସମନ୍ୱୟ କାର୍ଯ୍ୟ ଫେବୃଆରୀରୁ ମଇ ପର୍ଯ୍ୟନ୍ତ ଚାଲିଥିବାରୁ ଏପ୍ରିଲ ଓ ମଇ ମାସର ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲା।

ମନ୍ତ୍ରୀ ଶ୍ରୀ ଗଣ୍ଡ ଆହୁରି ମଧ୍ୟ କହିଥିଲେ ଯେ, ନୂଆ ବ୍ୟବସ୍ଥାରେ ଗୋଟିଏ ପର୍ଯ୍ୟାୟର ଦେୟ ସ୍ଥିତି ଯାଂଚ ପାଇଁ ପ୍ରାୟ ୨୦ଦିନ ସମୟ ଲାଗୁଥିବାରୁ ଏବେ ଦ୍ୱିମାସିକ ପର୍ଯ୍ୟାୟରେ ଭତ୍ତା ପ୍ରଦାନ କରାଯାଉଛି। ଏବେ ୱେଟିଂ ପରିୟଡ଼ର ଯୁଗ ଶେଷ ହୋଇସାରିଛି।
ଆମ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେବାକୁ ପ୍ରତିଶ୍ରୁତିବଦ୍ଧ। ଆମ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏବେ ରାଜ୍ୟରେ ମଧୁବାବୁ ଭତ୍ତା ଯୋଜନାରେ ୩୬,୭୫,୦୦୮ ଜଣ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୧୯,୯୦,୦୯୨ ଜଣ ହିତାଧିକାରୀ ଭତ୍ତା ପାଉଥିବାବେଳେ ଗତ ଅକ୍ଟୋବରରୁ ଆଉ ୫,୦୫,୮୧୭ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି।

'ଏସଏନଏ-ସ୍ପର୍ଶ' ବ୍ୟବସ୍ଥାରେ ଦେଖାଦେଉଥିବା ବୈଷୟିକ ତ୍ରୁଟିର ସ୍ଥାୟୀ ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ କରାଯାଇ ପଦକ୍ଷେପ ନିଆଯାଉଛି ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ହିତାଧିକାରୀଙ୍କ ବ୍ୟାଙ୍କ ଓ ଆଧାର ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଗୃହକୁ ଅବଗତ କରାଇଛନ୍ତି।
📲Get App