🔥 ट्रेंडिंग ಗ್ರಾಹಕರ ಹಕ್ಕುಗಳ ವೇದಿಕೆಯಿಂದ ತಹಶಿಲ್ದಾರರಿ... காட்பாடி அருகே மாற்றுத்திறனாளி இளைஞர்... ದೇವದುರ್ಗದ: ಹೋಟೆಲ್‌ಗಳಲ್ಲಿ ಬೆಲೆ ಏರಿಕೆ, ಅ... चीन ने नई अंतरिक्ष मिशन टीम की घोषणा क... नागभीडच्या रस्त्यावर हरणांचा मुक्त संच... बीजेपी ने राहुल गांधी पर 'देश के प्रति...
24 नव. 2026•
ગુજરાતી मराठी ਪੰਜਾਬੀ বাংলা
बिज़नेस

ବଦଳିବ ଓଡ଼ିଶାର ବିକାଶ ମାନଚିତ୍ର:ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ଗଠନ ହେବ ‘ଅର୍ଥନୈତିକ ଅଂଚଳ ଉନ୍ନୟନ କର୍ତ୍ତୃପକ୍ଷ’, ବିଧାନସଭାରେ ବିଲ୍ ପାରିତ

✍️ रिपोर्टर: Deepak Mahapatra 🗓 24 नव. 2026, 01:44 PM 👁 27
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟର ସହରାଂଚଳ ଓ ଶିଳ୍ପାଂଚଳର ସାମଗ୍ରିକ ତଥା ସମନ୍ୱିତ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ଓଡ଼ିଶା ବିଧାନସଭାରେ ‘ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ସଂଶୋଧନ) ବିଧେୟକ, ୨୦୨୬’ ପାରିତ ହୋଇଛି। ଆଜି ଗୃହରେ ବିସ୍ତୃତ ଆଲୋଚନା ପରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଆଗତ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଅନୁମୋଦନ ମିଳିଛି। ୧୯୮୨ ମସିହାର ମୂଳ ଆଇନରେ ସଂଶୋଧନ ଆଣି ରାଜ୍ୟରେ ‘ଅର୍ଥନୈତିକ ଅଂଚଳ ଉନ୍ନୟନ କର୍ତ୍ତୃପକ୍ଷ’ ଗଠନ ପାଇଁ ଏହି ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି। ଏକାଧିକ ସହର, ବନ୍ଦର, ଶିଳ୍ପାଂଚଳ ଓ ଗ୍ରାମାଂଚଳକୁ ଯୋଡ଼ି ଆଧୁନିକ ଅର୍ଥନୀତିର ବିକାଶ ଯୋଜନା ପ୍ରସ୍ତୁତ କରିବା ହେଉଛି ଏହି ବିଲର ମୁଖ୍ୟ ଉଦ୍ଦେଶ୍ୟ।

Odisha Assemblyରେ ଏହି ବିଲ୍ ପାରିତ ହେବାପରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ନେଇ ଗଠିତ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଂଚଳ’କୁ ପ୍ରଥମ ଅର୍ଥନୈତିକ ଅଂଚଳ ଭାବେ ଘୋଷଣା କରାଯିବାର ପ୍ରସ୍ତାବ ରହିଛି। ଏହାର ପରିଚାଳନା ଓ ସମନ୍ୱୟ ପାଇଁ ‘କେନ୍ଦ୍ରୀୟ ଅର୍ଥନୈତିକ ଅଂଚଳ ଉନ୍ନୟନ କର୍ତ୍ତୃପକ୍ଷ’ ଗଠନ କରାଯିବ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିବ।
ତେବେ ଏହାଦ୍ୱାରା ବିଦ୍ୟମାନ ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ଭଳି ସଂସ୍ଥାଗୁଡ଼ିକ ଉଚ୍ଛେଦ ହେବେ ନାହିଁ, ବରଂ ସେଗୁଡ଼ିକ କେନ୍ଦ୍ରୀୟ ଅର୍ଥନୈତିକ ଅଂଚଳ ଉନ୍ନୟନ କର୍ତ୍ତୃପକ୍ଷର ଶାଖା କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବେ। ଆଉ ଅଧିକାରୀ ଓ କର୍ମଚାରୀମାନେ ପୂର୍ବପରି ନିଜ ଦାୟିତ୍ୱ ତୁଲାଇବେ।


ନୂଆ ଆଇନ ଅନୁଯାୟୀ, ପ୍ରତି ଅର୍ଥନୈତିକ ଅଂଚଳ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉପାଧ୍ୟକ୍ଷ ରହିବେ। ଏଥିରେ ଅର୍ଥ, ପୂର୍ତ୍ତ, ପଂଚାୟତିରାଜ ଓ ଯୋଜନା ବିଭାଗର ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ସଚିବ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ମହାପୌର, ପୌରାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ଓ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜିନିବେଶ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ବନ୍ଦର କର୍ତ୍ତୃପକ୍ଷ ସଦସ୍ୟ ରହିବେ।

ଏହାସହିତ ସମ୍ପୃକ୍ତ ଅଂଚଳର ଜଣେ ସାଂସଦ ଓ ଚାରି ଜଣ ବିଧାୟକଙ୍କୁ ଅଧ୍ୟକ୍ଷ ମନୋନୀତ କରିବେ। କର୍ତ୍ତୃପକ୍ଷର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ପରିଚାଳନା ପାଇଁ ସଚିବ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟ ଆୟୁକ୍ତ ଭାବେ ନିଯୁକ୍ତ କରାଯିବ। ତୃଣମୂଳସ୍ତରରେ କାର୍ଯ୍ୟକାରିତା ପାଇଁ ମୁଖ୍ୟ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ ସମିତି ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃବିଭାଗୀୟ ସମନ୍ୱୟ ସମିତି ଗଠନ କରାଯିବ।

ଏହି କର୍ତ୍ତୃପକ୍ଷ ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ସମ୍ପୃକ୍ତ ଅଂଚଳ ପାଇଁ ଏକ ‘ଆଂଚଳିକ ଉନ୍ନୟନ ଯୋଜନା’ ପ୍ରସ୍ତୁତ କରିବ। ଏହି ଯୋଜନା ଅଧୀନରେ ସଡ଼କ ଯୋଗାଯୋଗ, ରେଳପଥ, ବନ୍ଦର ସଂଯୋଗୀକରଣ, ଶିଳ୍ପ କରିଡର, ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ, ମାଲ ପରିବହନ କେନ୍ଦ୍ର, ପାନୀୟ ଜଳ, ଜଳ ନିଷ୍କାସନ ଓପରିବେଶ ସୁରକ୍ଷା ଭଳି ବୃହତ୍ତର ଭିତ୍ତିଭୂମିର ବିକାଶ କରାଯିବ। ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷ ଓ ପୌର ସଂସ୍ଥାଗୁଡ଼ିକ ଏହି ଆଂଚଳିକ ଯୋଜନା ସହ ତାଳ ଦେଇ ନିଜ ନିଜର ବିକାଶମୂଳକ କାର୍ଯ୍ୟ କରିବେ, ଯାହାଫଳରେ ଏକାଧିକ ସଂସ୍ଥା ଦ୍ୱାରା ଗୋଟିଏ କାମର ପୁନରାବୃତ୍ତି ଏଡ଼ାଇ ଦିଆଯାଇପାରିବ।

ଏହି ବିଲ୍ ଆଇନରେ ପରିଣତ ହେବା ଦ୍ୱାରା ରାଜ୍ୟ ରାଜକୋଷ ଉପରେ କୌଣସି ତୁରନ୍ତ ଆର୍ଥକ ବୋଝ ପଡ଼ିବ ନାହିଁ କିମ୍ବା ଏବେ କୌଣସି ନୂତନ ପଦବୀ ସୃଷ୍ଟି କରାଯିବ ନାହିଁ। ଭବିଷ୍ୟତରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ସ୍ୱତନ୍ତ୍ର ‘ଆଂଚଳିକ ଉନ୍ନୟନ ପାଣ୍ଠି’ ଗଠନ କରାଯିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ ବ୍ୟତୀତ ଉନ୍ନୟନ ଦେୟ, ଜମିର ମୂଲ୍ୟ ବୃଦ୍ଧିରୁ ମିଳୁଥିବା ରାଜସ୍ୱ, ସରକାରୀ-ଘରୋଇ ସହଭାଗିତା ଓ ଋଣ ମାଧ୍ୟମରେ ଏହି ପାଣ୍ଠିକୁ ଅର୍ଥ ସଂଗ୍ରହ କରାଯାଇ କର୍ତ୍ତୃପକ୍ଷକୁ ଆତ୍ମନିର୍ଭରଶୀଳ କରାଯିବ। କେବଳ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଂଚଳ ନୁହେଁ, ବରଂ ଭବିଷ୍ୟତରେ ରାଜ୍ୟର ଅନ୍ୟାନ୍ୟ ସମ୍ଭାବନାଯୁକ୍ତ ଅଂଚଳକୁ ମଧ୍ୟ ଏହି ଆଇନ ପରିସରଭୁକ୍ତ କରାଯାଇ ସନ୍ତୁଳିତ ବିକାଶର ଧାରାକୁ ଆଗେଇ ନିଆଯିବ ବୋଲି ବିଲରେ ଉଲ୍ଲେଖ ରହିଛି।
📲Get App