🔥 TRENDING ଏଣିକି ନୂଆ ଗାଡ଼ି କିଣିବା ପାଇଁ ଦେବାକୁ ପଡ଼ିବ... बिरसा मुंडा जनजाति गौरव दिवस का उत्सव... ग्राम पंचायत ढोढ़ा के वार्ड‑5 में जलनि... புதுச்சேரி அரசு மருத்துவமனைகளில் செவில... वाराणसी में यातायात माह अभियान: सुबह-ए... ମହଙ୍ଗା ଭତ୍ତା ଆଉ ୩% ବୃଦ୍ଧି କଲେ ରାଜ୍ୟ ସର...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ମାଡ଼ି ଆସୁଛି ‘ଅକଭାନ’: ୨୦ରେ ଛୁଇଁବ ଉପକୂଳ, ଓଡ଼ିଶାରେ ‘ଜିରୋ କାଜୁଆଲିଟି’ ପାଇଁ ପ୍ରସ୍ତୁତି, ୨.୦୪ଲକ୍ଷ ଲୋକ ସ୍ଥାନାନ୍ତର ଲକ୍ଷ୍ୟ

✍️ Reporter: Deepak Mahapatra 🗓 18 Nov 2026, 11:08 AM 👁 28
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ବଳ ଗୋଟାଉଥିବା ବାତ୍ୟା ‘ଅକଭାନ’ ଆସନ୍ତା ୨୦ତାରିଖ ମଧ୍ୟାହ୍ନରେ ଉପକୂଳ ଛୁଇଁବ। ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ରଖିଥିବାବେଳେ ୮ଟି ଜିଲ୍ଲାର ୨ଲକ୍ଷ ୪ହଜାର ୭୦ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି।


ପାଣିପାଗ ବିଭାଗର ସୂଚନା ଅନୁସାରେ, ‘ଅକଭାନ’ ଅତି ଭୀଷଣ ବାତ୍ୟାର ରୂପ ନେଇ ୨୦ତାରିଖ ମଧ୍ୟାହ୍ନରେ ନେଲୋର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ଓ ପବନର ଝଟକା ଘଣ୍ଟାପ୍ରତି ୧୪୫ କିମି ପର୍ଯ୍ୟନ୍ତ ରହିବ। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଗୋପାଳପୁରଠାରୁ ପ୍ରାୟ ୭୮୦ କିମି ଦକ୍ଷିଣରେ ଓ ଚେନ୍ନାଇଠାରୁ ୫୯୦ କିମି ପୂର୍ବରେ କେନ୍ଦ୍ରୀଭୂତ ଥିବା ଏହି ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।

୧୮ତାରିଖ ସକାଳ ସୁଦ୍ଧା ‘ଅକଭାନ’ ଭୀଷଣ ବାତ୍ୟା ଓ ୧୯ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ୧୮ ଓ ୧୯ରେ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୧୯ ଓ ୨୦ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୦ ଓ ୨୧ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଏବଂ ୨୧ ଓ ୨୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ମତ୍ସ୍ୟଜୀବୀମାନଙ୍କୁ ୧୮ତାରିଖ ସକାଳୁ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ଓ ବିଶେଷକରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।


ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଏନଡିଏମଏ(ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ) ସମୀକ୍ଷା ବୈଠକରେ ମଧ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି।

୧୧ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବ୍ଲକ୍ ଓ ସହରାଂଚଳ ଭିତ୍ତିକ ସ୍ଥାନାନ୍ତର ଯୋଜନା ସମେତ ‘ଜିଲ୍ଲା ବାତ୍ୟା ଓ ବନ୍ୟା ପ୍ରସ୍ତୁତି ଚେକଲିଷ୍ଟ୍‌’ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୮ଟି ସମ୍ବେଦନଶୀଳ ଜିଲ୍ଲାର ୮୭ଟି ବ୍ଲକର ୧୯୦୨ଟି ବିପଦସଙ୍କୁଳ ସ୍ଥାନ ଚିହ୍ନଟ କରାଯାଇ ମୋଟ ୨,୦୪,୦୭୦ ଜଣଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏଥିରେ ଗଞ୍ଜାମରେ ସର୍ବାଧିକ ୧,୨୧,୫୯୭ ଜଣ, ଗଜପତିରେ ୨୫ହଜାର, ପୁରୀରେ ୨୪୦୭୬, କନ୍ଧମାଳରେ ୧୦୨୪୦ ଓ ମାଲକାନଗିରିରେ ୧୦ହଜାର ଜଣଙ୍କୁ ସ୍ଥାନାନ୍ତର ପାଇଁ ଆକଳନ ହୋଇଛି। ଏଥିପାଇଁ ୩୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବାବେଳେ ସମଗ୍ର ରାଜ୍ୟରେ ଚିହ୍ନଟ ହୋଇଥିବା ୨୫୭୩ ଜଣ ଗର୍ଭବତୀ ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ସ୍ଥାନାନ୍ତରରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।

ବାତ୍ୟାରେ ସର୍ବାଧିକ ପ୍ରଭାବ ଆଶଙ୍କା ଥିବା ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧,୨୧,୫୯୭ ଜଣଙ୍କ ମଧ୍ୟରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୬୪ଟି ଆଶ୍ରୟସ୍ଥଳୀକୁ ୨୭୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇସାରିଛି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ୧୭୭୭ ଜଣ ଗର୍ଭବତୀଙ୍କ ମଧ୍ୟରୁ ୭୧୧ ଜଣ ଉଚ୍ଚ ବିପଦସଙ୍କୁଳ ଗର୍ଭବତୀଙ୍କୁ ମା' ଗୃହ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ରାଜ୍ୟରେ ୬୦ଟି ଓଡ୍ରାଫ୍ ଓ ୧୪ଟି ଏନଡିଆରଏଫ୍ ଭଳି ମୋଟ ୭୪ଟି ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖାଯାଇଛି, ଯେଉଁଥିରୁ ୪୨ଟି ଓଡ୍ରାଫ୍ ଓ ୧୧ଟି ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହେବେ ଏବଂ ବାକି ଟିମଗୁଡ଼ିକୁ ସଂରକ୍ଷିତ ରଖାଯାଇଛି। ଜରୁରୀକାଳୀନ ପ୍ରସ୍ତୁତି ବାବଦକୁ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଗଞ୍ଜାମକୁ ୫ କୋଟି, ଗଜପତିକୁ ୧ କୋଟି ଓ ମାଲକାନଗିରିକୁ ୫୦ ଲକ୍ଷ ଟଙ୍କା ମିଶାଇ ମୋଟ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଭୂସ୍ଖଳନପ୍ରବଣ ୬ଟି ଜିଲ୍ଲାର ଗ୍ରାମ ଓ ରାସ୍ତାଗୁଡ଼ିକର ସାଟେଲାଇଟ୍ ଚିତ୍ର ଓ ଜିଆଇଏସ୍ ମାନଚିତ୍ର ପ୍ରସ୍ତୁତ କରିବାକୁ ଓରସାକକୁ କୁହାଯାଇଛି ।ଟେଲିକମ୍ ସେବା ସ୍ୱାଭାବିକ ରଖିବା ପାଇଁ ୬ଟି ଜିଲ୍ଲାରେ ‘ସେଲ୍‌-ଅନ୍‌-ହ୍ୱିଲ୍ସ’ ମୋବାଇଲ୍ ୟୁନିଟ୍ ମୁତୟନ ସହ ଗଞ୍ଜାମକୁ ୧୦ଟି ଓ ଗଜପତିକୁ ୭ଟି ସାଟେଲାଇଟ୍ ଫୋନ୍ ଯୋଗାଇ ଦିଆଯାଇଛି।


ଜଳସମ୍ପଦ ବିଭାଗକୁ ନଦୀବନ୍ଧ ଓ ଜଳଭଣ୍ଡାର ଉପରେ ନଜର ରଖିବାକୁ ଏବଂ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ଓ ପୋଲ ସଫା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଭାରତୀୟ ତଟରକ୍ଷୀ ବାହିନୀର ଭୁବନେଶ୍ୱର, ଗୋପାଳପୁର ଓ ପାରାଦୀପ ୟୁନିଟକୁ ସଜାଗ ରଖାଯାଇଥିବାବେଳେ ସମ୍ବେଦନଶୀଳ ରେଳ ଧାରଣା ଓ ପୋଲଗୁଡ଼ିକର ଯାଂଚ ଓ ଆବଶ୍ୟକସ୍ଥଳେ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ କରିବାକୁ ରେଳ ସମନ୍ୱୟ ସେଲକୁ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮, ୧୯ ଓ ୨୦ ତାରିଖ ତିନିଦିନ ପାଇଁ ଗୋପାଳପୁର ଓ ସୁନାପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଗଞ୍ଜାମ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର (୦୬୮୧୧-୨୬୩୯୭୮) ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଥିବାବେଳେ ତିନିଦିନ ପାଇଁ ଘରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଜରୁରୀ କାଗଜପତ୍ର ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
📲Get App