🔥 TRENDING रेनवाल CRPF के वीर सपूत सुधीर स्वामी क... ನಾಗರಾಳ ಗ್ರಾಮಕ್ಕೆ ಬಸ್ ಸೌಲಭ್ಯ ಕಲ್ಪಿಸಲು ರ... ପୂର୍ବତନ ଜେଲ DGଙ୍କ ନାଁ ଯୌନ ନିର୍ଯାତନା ମା... Husband ne wife silbatta se mara ଜେଲ୍‌ରୁ ମିଳିଲା ବିଚାରାଧୀନ କଏଦୀଙ୍କ ଝୁଲନ୍... करतार सिंह भड़ाना ने देशवासियों को दीप...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ନଗର ଉନ୍ନୟନ ମନ୍ତ୍ରୀଙ୍କ ଘୋଷଣା: ଖୁବଶୀଘ୍ର ସିଙ୍ଗଲୱିଣ୍ଡୋ ସିଷ୍ଟମରେ ମିଳିବ ଘରର ପ୍ଲାନ୍ ଆପ୍ରୁଭାଲ ଓ ଏନଓସି

✍️ Reporter: Deepak Mahapatra 🗓 07 Nov 2026, 01:26 PM 👁 16
Share: 💬 WhatsApp 📘 Facebook 𝕏 Post
ସହରାଂଚଳରେ ଘର ଖଣ୍ଡିଏ ନିର୍ମାଣ କରିବା ନିମନ୍ତେ ଆବଶ୍ୟକ ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ କିମ୍ବା ମାସମାସ ଧରି ବିଭିନ୍ନ ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ଖୁବଶୀଘ୍ର ଘରର ପ୍ଲାନ୍ ଆପ୍ରୁଭାଲ୍ ଓ ଏନଓସି ନିମନ୍ତେ ‘ସିଙ୍ଗଲ୍ ୱିଣ୍ଡୋସିଷ୍ଟମ୍‌’ ଲାଗୁ କରିବାକୁ ଯାଉଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।
ଓଟିଭି ପକ୍ଷରୁ ଆୟୋଜିତ ‘ଡ୍ରିମ୍ ହୋମ୍ ଏକ୍ସପୋ’ରେ ଯୋଗ ଦେଇ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେ, ଏହି ନୂଆ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ବିଭାଗର ସଚିବ, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକ, ଅଗ୍ନିଶମ ବାହିନୀ ଓ ଏୟାରପୋର୍ଟ ଅଥରିଟି ଭଳି ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଗୋଟିଏ ଟେବୁଲରେ ବସାଇ ନିୟମ ସରଳୀକରଣ କରାଯିବ ଓ ଅଳ୍ପ ଦିନ ମଧ୍ୟରେ ଫଟାଫଟ୍ ପ୍ଲାନ୍ ଆପ୍ରୁଭାଲ୍ ଯୋଗାଇ ଦିଆଯିବ।
ଗୋଟିଏ ଘର ନିର୍ମାଣ ନିମନ୍ତେ ଆବଶ୍ୟକ ସରକାରୀ ମଞ୍ଜୁରୀ ବା ଏନ୍‌ଓସି ହାସଲ କରିବାକୁ ୬ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଯାଉଥିବାରୁ ମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଯେଉଁ ଅଂଚଳରେ ବିମାନବନ୍ଦରର କୌଣସି ପ୍ରଭାବ ନାହିଁ, ସେଠାରେ ମଧ୍ୟ ଅଯଥାରେ ଏୟାରପୋର୍ଟ ଏନ୍‌ଓସି ପାଇଁ ଲୋକଙ୍କୁ ମାସ ମାସ ଧରି ଅଟକାଇ ରଖିବା ବ୍ୟବସ୍ଥାକୁ ବନ୍ଦ କରାଯିବ। ସିଙ୍ଗଲ୍ ୱିଣ୍ଡୋସିଷ୍ଟମ୍ ଦ୍ୱାରା ପ୍ରକ୍ରିୟା ସ୍ୱଚ୍ଛ ଓ ତ୍ୱରାନ୍ୱିତ ହେଲେ ଲୋକଙ୍କ ସମୟ ବଂଚିବା ସହ ସରକାରୀ ଫାଇଲ ପ୍ରକ୍ରିୟାରୁ ବି ମୁକ୍ତି ମିଳିବ।
ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ଲାନ୍ ଆପ୍ରୁଭାଲ୍‌ରେ ହେଉଥିବା ବିଳମ୍ବ ଯୋଗୁଁ ଗୋଟିଏ ଆପାର୍ଟମେଣ୍ଟ ବା ହାଉସିଂ ପ୍ରକଳ୍ପ ସରିବାକୁ ୫ରୁ ୭ବର୍ଷ ସମୟ ଗଡ଼ିଯାଉଛି। ଫଳସ୍ୱରୂପ ନିର୍ମାଣ ଖର୍ଚ୍ଚ ବଢ଼ିଯାଉଛି ଓ ଶେଷରେ ସାଧାରଣ ଘର କ୍ରେତାଙ୍କ ଉପରେ ଏହାର ଆର୍ଥକ ବୋଝ ପଡ଼ୁଛି। ସିଙ୍ଗଲୱିଣ୍ଡୋ ମାଧ୍ୟମରେ ତୁରନ୍ତ ମଞ୍ଜୁରୀ ମିଳିଲେ ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ ହୋଇପାରିବ। ଏହାସହିତ ମୁମ୍ବାଇ ଭଳି ବଡ଼ ସହରର ‘ମିଶନ ୧୦୦’ ଢାଂଚା ତଥା ପ୍ରି-କାଷ୍ଟିଂ ଟେକ୍ନୋଲୋଜି ବ୍ୟବହାର କରି କମ୍ ଦିନରେ ଅଧିକ ଘର ନିର୍ମାଣ କରିବାକୁ ମନ୍ତ୍ରୀ ଡେଭଲପରମାନଙ୍କୁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ନିର୍ମାଣ ଖର୍ଚ୍ଚ ହ୍ରାସ ପାଇବ ଓ ମଧ୍ୟବିତ୍ତ ଲୋକେ ଶସ୍ତାରେ ଫ୍ଲାଟ୍ ପାଇପାରିବେ।
ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଟାଉନ୍ ପ୍ଲାନିଂ ବା ଟିପି ସ୍କିମ୍ ଅଧୀନରେ ଥିବା ଛୋଟ ଜମି ମାଲିକମାନଙ୍କ ପାଇଁ ମଧ୍ୟ ବଡ଼ ସୁବିଧାର ବ୍ୟବସ୍ଥା ସରକାର କରୁଛନ୍ତି । ଟିପି ସ୍କିମରେ ଲୋକଙ୍କଠୁ ନିଆଯାଉଥିବା ୪୦ପ୍ରତିଶତ ଜମିରେ ୬୦ରୁ ୨୦୦ ଫୁଟର ପ୍ରଶସ୍ତ ରାସ୍ତା, ଡ୍ରେନେଜ୍‌, ସ୍ୱରେଜ୍‌, ଆଲୋକ ଓ ପାଣି ଭଳି ଭିତ୍ତିଭୂମି ତିଆରି ହେଉଛି। ବିଶେଷକରି ଟିପି ସ୍କିମ ଅଧୀନରେ ରହୁଥିବା ଛୋଟ ଛୋଟ ଜମି ମାଲିକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି।
ଯଦି ଛୋଟଛୋଟ ଜମିର ମାଲିକମାନେ ଚାହିଁବେ ଏକାଠି ହୋଇ ରାସ୍ତାକଡ଼ରେ ବିଲଡ଼ରମାନଙ୍କ ସହଯୋଗରେ ଉପଯୁକ୍ତ ଘର ତିଆରି କରିପାରିବେ। ସେମାନଙ୍କ ପାଇଁ ସୁବିଧାର ବ୍ୟବସ୍ଥା କରାଯାଉଛି, ଯାହାଫଳରେ ଛୋଟ ଜମି ମାଲିକମାନେ କୌଣସି କ୍ଷତି ସହିବେ ନାହିଁ ଓ ସହଜରେ ଅନୁମତି ମଧ୍ୟ ପାଇପାରିବେ।
ସହରାଂଚଳର ବସ୍ତି ସମସ୍ୟାକୁ ନେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ, କେବଳ ଉଚ୍ଛେଦ କରିଦେଲେ ବସ୍ତି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। କାମଧନ୍ଦା ପାଇଁ ଗାଁରୁ ସହରକୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ଭଡ଼ା ଘରର ବ୍ୟବସ୍ଥା ନଥିବାରୁ ସେମାନେ ଫାଙ୍କା ଜାଗାରେ ରହିବା ଆରମ୍ଭ କରନ୍ତି, ଯାହା ପରବର୍ତ୍ତୀ ସମୟରେ ବସ୍ତିର ରୂପ ନିଏ। ଏହି ଅସହାୟତାର ସୁଯୋଗ ନେଇ କିଛି ଅସାମାଜିକ ତତ୍ତ୍ୱ ଓ ବାହାର ରାଜ୍ୟର ଅପରାଧୀମାନେ ବସ୍ତିରେ ଆଶ୍ରୟ ନେଇ ଅପରାଧ ଘଟାଉଛନ୍ତି ଓ ସାଧାରଣ ନିରୀହ ଗରିବ ଲୋକ ବଦନାମ ହେଉଛନ୍ତି। ତେଣୁ ୨୦୩୬ ମସିହା ସୁଦ୍ଧା ବିକଶିତ ଓ ବସ୍ତିଶୂନ୍ୟ ଓଡ଼ିଶା ଗଠନର ସ୍ୱପ୍ନ ସାକାର କରିବାକୁ ହେଲେ ସରକାର, ଜନସାଧାରଣ ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ମିଳିମିଶି କାମ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ଶ୍ରୀ ମହାପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ଟେଲିଭିଜନ ନେଟୱାର୍କ(Otv) ପକ୍ଷରୁ ପ୍ରଥମ ଥର ପାଇଁ ଓଟିଭି ଡ୍ରିମ୍ ହୋମ୍ ଏକ୍ସପୋ ଆଣ୍ଡ୍ କନକ୍ଲେଭ୍ ଆୟୋଜିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ୨ଦିନିଆ ମେଗା ଏକ୍ସପୋରେ ଗୃହନିର୍ମାଣ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଉଥିବା କମ୍ପାନୀ, ରିଏଲ୍ ଇଷ୍ଟେଟ୍‌, ପ୍ଲାନିଂ, ଡିଜାଇନିଂ, ବୀମା, ବ୍ୟାଙ୍କିଂ, ଟାଉନ୍ ପ୍ଲାନିଂ ଆଦି ସେବା ଯୋଗାଉଥିବା ସଂସ୍ଥା ସମେତ ଏ କ୍ଷେତ୍ରର ପ୍ରଫେସନାଲମାନେ ଯୋଗ ଦେଇଛନ୍ତି।
📲Get App