🔥 TRENDING નવી સિવિલ હોસ્પિટલમાં વર્ગ‑૪ કર્મચારીઓ... Uttar Pradesh Govt Mulls Rs 50,000 Wom... Delhi Court Orders Bullet‑Proof Jacket... हनुमानगढ़ के पुलिस अधीक्षक बी. आदित्य... Explosion at Ghaziabad Police Outpost... CCTV Sees Five Women Steal ₹10,000 fro...
07 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୂର୍ବତନ ଜେଲ DGଙ୍କ ନାଁ ଯୌନ ନିର୍ଯାତନା ମାମଲା; ଘଟଣା ଘଟିବାର ଦୀର୍ଘ ଦିନ ପରେ ମାମଲା ରୁଜୁ କରାଯିବା ଉପରେ ପ୍ରଶ୍ନ ଉଠାଇଲେ ହାଇକୋର୍ଟ

✍️ Reporter: Deepak Mahapatra 🗓 07 Nov 2026, 01:42 PM 👁 17
Share: 💬 WhatsApp 📘 Facebook 𝕏 Post
ଯୌନ ନିର୍ଯାତନା ମାମଲାରେ ଫସିଥିବା ପୂର୍ବତନ ଜେଲ ଡିଜି ସୁଶାନ୍ତ କୁମାର ନାଥ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏହା ଉପରେ ଶୁଣାଣି ଆରମ୍ଭ ହୋଇଛି। ଏନେଇ ଆଜି ଶୁଣାଣି ହୋଇଥିବା ବେଳେ ବିଭିନ୍ନ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୧ ତାରିଖରେ ହେବ ବୋଲି କୋର୍ଟ କହିଥିବା ବେଳେ ଘଟଣା ଘଟିବାର ଦୀର୍ଘ ଦିନ ପରେ ମାମଲା ରୁଜୁ କରାଯିବା ଉପରେ ଉଠାଇଥିଲେ ପ୍ରଶ୍ନ।
ଚୌଦ୍ୱାର ଜେଲ୍‌ର ଜଣେ ପୂର୍ବତନ ମହିଳା ଜେଲର ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚୌଦ୍ୱାର ଥାନାରେ ଏତଲା ଦେବା ପରେ ସେ ଗତ ସୋମବାର ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ସହିତ ସେ ମାମଲାଟିକୁ ଖାରଜ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି।
କ’ଣ ରହିଛି ଅଭିଯୋଗ
ଚୌଦ୍ୱାର ଜେଲ୍‌ର ଉକ୍ତ ପୂର୍ବତନ ମହିଳା ଜେଲର୍ ଅଭିଯୋଗ କରିଛନ୍ତି ଯେ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ନିଜକୁ ଡିଜି (ଜେଲ୍‌)ଙ୍କ ବନ୍ଧୁ ଭାବେ ପରିଚୟ ଦେଇଥିଲେ ଓ ତାଙ୍କ ମୋବାଇଲ ଫୋନ୍ ନମ୍ବର ନେଇଥିଲେ। ପରେ କୁଲଦୀପ ରଥ ତାଙ୍କ ପାଖକୁ ଇମୋଜି ସହିତ ଏମିତି କିଛି ମେସେଜ୍ ପଠାଇଥିଲେ, ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ୨୦୨୫ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ କୁଲଦୀପ ରଥ ତାଙ୍କୁ ଏକ ହୋଟେଲକୁ ଏକୁଟିଆ ଆସିବାକୁ ନିମନ୍ତ୍ରଣ କରିଥିଲେ। ସେଠାରେ ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା ସେ କହିଥିଲେ। ତେବେ ପୂର୍ବତନ ମହିଳା ଜେଲର ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଫଳସ୍ୱରୂପ ସୁଶାନ୍ତ କୁମାର ନାଥ ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ତାଙ୍କର ସେହି ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ ସହିତ ଯୋଡ଼ିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୭/୮ ତାରିଖରେ ହୋଇଥିବା ବୈଠକରେ ସେ ତାଙ୍କୁ କହିଥିଲେ, ‘ତୁମେ ଯଦି ମୋତେ ଭେଟିବାକୁ ଆସିଥାଆନ୍ତ, ତା’ହେଲେ ଏସବୁର ସମ୍ମୁଖୀନ ହୋଇନଥାନ୍ତ।’
ଏହି ପୂର୍ବତନ ମହିଳା ଜେଲର୍ ଆହୁରି ଅଭିଯୋଗ କରିଛନ୍ତି ଯେ ଚୌଦ୍ୱାର ଜେଲ୍‌ର ପୂର୍ବତନ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସେ ଦେଇଥିବା ଏଫଆଇଆରକୁ ପ୍ରତ୍ୟାହାର କରିନେବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ସୁଶାନ୍ତ କୁମାର ନାଥ। ଏହା ସହିତ ତାଙ୍କୁ ଚାକିରିରୁ ବାହାର କରିଦେବାକୁ ତଥା ଶାରୀରିକ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ସୁଶାନ୍ତ ନାଥଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଥିଲେ ରାଜ୍ୟ ସରକାର। ନଭେମ୍ବର ୧ ତାରିଖରେ ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଥିଲା।
ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୁଲଦୀପ ରଥ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ତାଙ୍କର ଆବେଦନ ଉପରେ ମଧ୍ୟ ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।
📲Get App