🔥 ट्रेंडिंग દિવાળીના તહેવાર નિમિત્તે ફટાકડા ફોડતી... କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁ... अमित शाह का हरियाणा दौरा, बीजेपी का पं... रनजी ट्रॉफी राउंड 4 में हैदराबाद का सा... रायपुर कोर्ट ने सोरभ चंद्रकर को 8 दिन... छत्तीसगढ़ की महिलाओं ने हाथ से बने दीव...
05 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

କୋଟିଆ ପ୍ରସଙ୍ଗରେ ପୁଣି ମୋହନଙ୍କୁ ଚିଠି ଲେଖିଲେ ନବୀନ; କହିଲେ ଏମିତି କଥା

✍️ रिपोर्टर: Deepak Mahapatra 🗓 05 नव. 2026, 12:44 PM 👁 21
शेयर करें: 💬 WhatsApp 📘 Facebook 𝕏 Post
କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ପୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଛନ୍ତି ଚିଠି। ବିଜେପିର ୨୦୨୪ ନିର୍ବାଚନୀ ଇସ୍ତାହାର କଥା ମନେ ପକାଇ ଚିଠି ଲେଖିଛନ୍ତି ନବୀନ। ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ 'କୋଟିଆ' ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ର ସରକାର ସହ ଉଚ୍ଚସ୍ତରୀୟ ଆଲୋଚନା କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଚିଠିରେ ନବୀନ ଲେଖିଛନ୍ତି ଯେ କୋଟିଆ ପ୍ରସଙ୍ଗରେ ଗତ ଅକ୍ଟୋବର ୧୯ ତାରିଖରେ ସେ ଦେଇଥିବା ଚିଠି ଏବଂ ଅକ୍ଟୋବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟୁତ୍ତରର କ୍ରମରେ ସେ ଜାଣିବାକୁ ପାଇଛିନ୍ତି ଯେ କୋଟିଆରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଅଧିକାରୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଓ ଉତ୍ତେଜନା ବୃଦ୍ଧି ପାଇଛି। ଏହା ବିଶେଷ ଭାବରେ ଚିନ୍ତାଜନକ ଯେ, ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ୁଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି କୋଟିଆରେ ନିର୍ବାଚନ କରିବାକୁ ଆଗକୁ ବଢୁଛି।
ନବୀନ ଲେଖିଛନ୍ତି, ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆସନ୍ତାକାଲିର ନିର୍ବାଚନକୁ ଦୃଷ୍ଟିରେ ରଖି, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ସ୍ତରରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସମ୍ମୁଖରେ ଉତ୍ଥାପନ କରନ୍ତୁ। ଯେହେତୁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉଭୟ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ରେ ଥିବା ଦଳଗୁଡ଼ିକ ଦ୍ୱାରା ଶାସିତ, ତେଣୁ ବିଜେପିର ୨୦୨୪ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଓଡ଼ିଶାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷା ଦେବା ପାଇଁ ଜରୁରୀ ପଦକ୍ଷେପ ନିଆଯିବା ଆବଶ୍ୟକ।
ସେ ଆହୁରି ଲେଖିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ, ରାଜ୍ୟର ଯଥାର୍ଥ ସ୍ୱାର୍ଥ ଦୃଢ଼ ଭାବରେ ସୁରକ୍ଷିତ ରହିବା ଏବଂ କୋଟିଆରେ ପରିସ୍ଥିତିକୁ ଆଉ ଅଧିକ ଜଟିଳ ହେବାକୁ ନ ଦେବା ନୈତିକ ଦାୟିତ୍ୱ ଆପଣଙ୍କର।
ନବନୀ ଲେଖିଛନ୍ତି, ମୁଁ ଆଶା କରୁଛି ଯେ ବିଜେପି ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସମ୍ମାନ ଦେବ ଏବଂ ଏହାର ୨୦୨୪ ନିର୍ବାଚନ ଇସ୍ତାହାରରେ ଗ୍ୟାରେଣ୍ଟି ଦିଆଯାଇଥିବା ମତେ କୋଟିଆ ପ୍ରସଙ୍ଗରେ କାର୍ଯ୍ୟ କରି ଦେଖାଇବ।
ପୂର୍ବ ଚିଠି
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅକ୍ଟୋବର ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ବାଚନ ଘୋଷଣା କରିବା ଘଟଣା ଉପରେ ଚିନ୍ତା ବ୍ୟକ୍ତ କରିଥିଲେ। ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଆନ୍ଧ୍ରପ୍ରଦେଶ କିପରି ଏଠାରେ ନିର୍ବାଚନ କରିବାକୁ ସାହସ ଜୁଟାଇଲା ଓ ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ଏବେ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଅକ୍ଟୋବର ୨୭ ତାରିଖରେ ତା’ର ଜବାବ ଦେଇ ଏଭଳି ସମ୍ବେଦନଶୀଳ ଆନ୍ତଃରାଜ୍ୟ ପ୍ରସଙ୍ଗରେ ରାଜନୀତିକ ଫାଇଦା ଖୋଜିବା ବଦଳରେ ସମସ୍ତେ ସଂଯମତା ଅବଲମ୍ବନ କରି ଆଇନଗତ ଓ ସାମ୍ବିଧାନିକ ମାର୍ଗରେ ସମାଧାନ ପାଇଁ ଆଗେଇ ଆସିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ।
ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଲେଖିଥିଲେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନରୁ କୋଟିଆ ଗ୍ରାମପୁଞ୍ଜ ଆମ ରାଜ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ରାଜ୍ୟର ସାର୍ବଭୌମତ୍ୱ, ଭୌଗୋଳିକ ଅଖଣ୍ଡତା ଓ ନ୍ୟାୟସଙ୍ଗତ ସ୍ୱାର୍ଥ ରକ୍ଷା ପାଇଁ ବର୍ତ୍ତମାନର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ(Kotia Issue)କୁ କୌଣସି ଠୋସ୍ ଆଇନଗତ କିମ୍ବା ବାସ୍ତବବାଦୀ ସମାଧାନ ଦିଗରେ ନନେଇ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ କ୍ଷୋଭ ବ୍ୟକ୍ତ କରିଥିଲେ।
ସେ ଆହୁରି ଲେଖିଥିଲେ, ସରକାର ସବୁବେଳେ ଆଇନଗତ ତଥା ସାମ୍ବିଧାନିକ ଉପାୟରେ ରାଜ୍ୟର ସ୍ୱାର୍ଥ ସୁରକ୍ଷିତ ରଖିବା ସହିତ କୋଟିଆ ଅଂଚଳର ସାମଗ୍ରିକ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି। ସେଠାକାର ଲୋକଙ୍କ ସାମାଜିକ ଓ ଆର୍ଥକ ଉନ୍ନତି, ଉତ୍ତମ ଜୀବନଶୈଳୀ ଓ ସରକାରୀ ସେବାଗୁଡ଼ିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ନିୟମିତ ଭାବେ କୋଟିଆ ଗ୍ରାମପଂଚାୟତର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଚଳାଇଛନ୍ତି। ଦୀର୍ଘଦିନର ଏହି ଆନ୍ତଃରାଜ୍ୟ ବିବାଦ ଏକ ସମ୍ବେଦନଶୀଳ ପର୍ଯ୍ୟାୟରେ ଥିବାରୁ ସମସ୍ତ ପକ୍ଷ ଦାୟିତ୍ୱବାନ ହେବା ଓ ନ୍ୟାୟିକ ପ୍ରକ୍ରିୟା ଉପରେ ସମ୍ମାନ ରଖି କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ। ଏଥିସହିତ ସମସ୍ତ ଯଥାର୍ଥ ନ୍ୟାୟିକ ତଥା ସାମ୍ବିଧାନିକ ମଂଚରେ ରାଜ୍ୟର ଅଧିକାରକୁ ଦୃଢ଼ତାର ସହ ଉପସ୍ଥାପନ କରିବାକୁ ସରକାର ପ୍ରସ୍ତୁତ ଥିବାବେଳେ ଏହି ବହୁ ପ୍ରତୀକ୍ଷିତ ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଯଦି କୌଣସି ପ୍ରକୃତ ଗଠନମୂଳକ ପରାମର୍ଶ ଥାଏ ତେବେ ତାହା ପ୍ରଦାନ କରିବାକୁ ନବୀନଙ୍କୁ ସେ ଆହ୍ୱାନ ଦେଇଥିଲେ।
ଆନ୍ଧ୍ରର ପଛଘୁଞ୍ଚା: ଫେରିଗଲା ପୋଲିଂ ପାର୍ଟି
କୋଟିଆ ନାରେଡ଼ିଭାଲସାରେ ମତଦାନ କେନ୍ଦ୍ର କରିବନି ଆନ୍ଧ୍ର। ସୂଚନା ଦେଲେ ପାର୍ବତୀପୁରମ ଏଡିଏମ୍ ଆର୍‌. ମାଧବୀ। କୋରାପୁଟ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଆନ୍ଧ୍ରର ପଛଘୁଞ୍ଚା। ନାରେଡ଼ିଭାଲସାଠୁ ଦେଢ଼ କିମି ଦୂର ସାରିକାରେ ମତଦାନ କେନ୍ଦ୍ର କରିବାକୁ ନେଲା ନିଷ୍ପତ୍ତି। ନିର୍ବାଚନ ପାଇଁ କୋଟିଆରେ ପହଞ୍ଚିଲେ ଆନ୍ଧ୍ର ପୋଲିଂ ପାର୍ଟିଂ। ନାରେଡ଼ିଭାଲସାରେ ବରିଷ୍ଠ ଅଧିକାରୀଙ୍କ ସହ ଆନ୍ଧ୍ର ପୋଲିଂ ପାର୍ଟି ପହଞ୍ଚିଲେ। ୩ଟି କାର୍ ଓ ୨ଟି ଭ୍ୟାନ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି।
ଏହା ପୂର୍ବରୁ କୋଟିଆରେ ଆନ୍ଧ୍ର ଚେକ୍‌ପୋଷ୍ଟ କବ୍‌ଜାକୁ ନେଇଥିଲା ଓଡ଼ିଶା ପୁଲିସ। କୋଟିଆ ପଞ୍ଚାୟତ ଉପରସେମ୍ବିରେ ଥିବା ଚେକ୍‌ପୋଷ୍ଟ ଉପରେ କବ୍‌ଜା କରିଥିଲା ଓଡ଼ିଶା ପୁଲିସ। ପୂରା କୋଟିଆରେ ଓଡ଼ିଶାର ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
📲Get App