🔥 TRENDING J&K Lieutenant Governor Manoj Sinha re... Poornima International School, CBSE Ra... RSS to Revamp Structure, Shifts to Reg... કારજન એસપીજી ગ્રુપ દ્વારા સરદાર પટેલ જ... जगतगुरु रामानंदाचार्य राजस्थान संस्कृत... शिवहर में जिला स्तरीय युवा उत्सव 2026...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଅବପାତ: ଓଡ଼ିଶାରେ ବର୍ଷା ଓ ପବନ ଆଶଙ୍କା, କେତେକ ଜିଲ୍ଲାକୁ ଆଲର୍ଟ

✍️ Reporter: Deepak Mahapatra 🗓 31 Oct 2026, 01:07 PM 👁 15
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଅଧିକ ସକ୍ରିୟ ହେବାରେ ଲାଗିଛି। ଶନିବାର ସୁଦ୍ଧା ଏହା ଅବପାତର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ। ଏହାର ପ୍ରଭାବରେ ଓଡ଼ିଶାର ବିଶେଷ କରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବର୍ଷା ସହ ଘଡ଼ଘଡ଼ି ଏବଂ ପ୍ରବଳ ପବନ ହେବାର ପୂର୍ବାନୁମାନ କରାଯାଇଛି।
ଦକ୍ଷିଣ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ପବନ ଆଶଙ୍କା
ପାଣିପାଗ ବିଭାଗର ସୂଚନା ମୁତାବକ, ରାଜ୍ୟର ସମସ୍ତ ଭାଗରେ ସାଧାରଣତଃ ବଡ଼ ଧରଣର ବର୍ଷା ନହେଲେ ବି ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପାଗ ବିଗିଡ଼ିପାରେ। ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଝଟକା ପବନର ବେଗ ୫୦ କିଲୋମିଟର ଛୁଇଁପାରେ।
ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଂଶିକ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାକୁ ଥିବାବେଳେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।
ଓଡ଼ିଶା ଉପରେ କି ପ୍ରଭାବ ପଡ଼ିବ?
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଣ୍ଡାମାନ ସାଗରର ଏହି ସିଷ୍ଟମ୍ ଅଧିକ ଘନୀଭୂତ ହୋଇ ଦକ୍ଷିଣ ଆନ୍ଧ୍ର କିମ୍ବା ଉତ୍ତର ତାମିଲନାଡ଼ୁ ଆଡ଼କୁ ଗତି କରିବାର ସମ୍ଭାବନା ଅଧିକ। ତେଣୁ ଓଡ଼ିଶା ଉପରେ ଏହାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିବ ନାହିଁ। ନଭେମ୍ବର ୨ ଏବଂ ୩ ତାରିଖ ସୁଦ୍ଧା କେବଳ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
ସେହିପରି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ଯେ, ଏହି ସିଷ୍ଟମ୍ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତାର ବାତ୍ୟାର ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଚେତାବନୀ
ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ରରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିମି ଏବଂ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ଏବଂ କେନ୍ଦ୍ରାପଡ଼ା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨୦ରୁ ୩୫ କିମି ବେଗରେ ପବନ ବହିପାରେ। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ନଭେମ୍ବର ୧ ଏବଂ ୨ ତାରିଖରେ ହାଲୁକାରୁ ମଧ୍ୟମ ଏବଂ କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି କନ୍ଧମାଳ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇପାରେ।
📲Get App