🔥 TRENDING ਸੈਂਸਰਪੁਰ ਵਾਰਡ 15 ਵਿੱਚ ਭਗਵਾਨ ਵਾਲਮੀਕ ਜੀ... ਰਾਤੋਂ-ਰਾਤ ਲੱਖਪਤੀ ਬਣੀ ਫਿਰੋਜ਼ਪੁਰ ਦੀ ਪਰਮਜ... छतरगढ़ में कार दुर्घटना में लापता युवक... Protesters Hold Torchlight March In De... Protesters Hold Torchlight March In De... ବାତ୍ୟା ପରିଚାଳନା ପାଇଁ ୫ ଜଣ ଅଭିଜ୍ଞ ଆଇଏଏସ...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ଜଟଣୀରେ ଆରବିଆଇ ଡାଟା ସେଣ୍ଟର ଦେଶ ପାଇଁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କଥା

✍️ Reporter: Deepak Mahapatra 🗓 26 Oct 2026, 12:50 PM 👁 13
Share: 💬 WhatsApp 📘 Facebook 𝕏 Post
ଜଟଣୀର ଇନଫୋଭ୍ୟାଲି-୨ରେ ଆରବିଆଇର ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟରକୁ ଲୋକାର୍ପଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପିଆଇ, ଏନଇଏଫଟି ଓ ଆରଟିଜିସି ଭଳି ଡିଜିଟାଲ୍ କାରବାରର ତଥ୍ୟ ସୁରକ୍ଷିତ ରଖିବା ସହ ସାଇବର ଆକ୍ରମଣ ଓ ବୈଷୟିକ ସମସ୍ୟା ସମୟରେ ବ୍ୟାଙ୍କିଙ୍ଗ୍ ସେବା ଅବ୍ୟାହତ ରଖିବାରେ ଏହା ସହାୟକ ହେବ।
ଏଠାରେ କ୍ଲାଉଡ୍ କମ୍ପ୍ୟୁଟିଂ, ଏଆଇ ଓ ବିଗ୍ ଡାଟା ଆନାଲିଟିକ୍ସ ସହ ସାଇବର ସୁରକ୍ଷା ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଦେଶର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ସୁଦୃଢ଼ କରିବାରେ ଏହି ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ପ୍ରାୟ ୧୭୦ କୋଟି ଟଙ୍କାରେ ଜଟଣୀର ଇନ୍‌ଫୋଭ୍ୟାଲି-୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଓ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଓ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନ ନିର୍ମାଣ ହୋଇଛି। ଏହା ନଭି ମୁମ୍ବାଇ ପରେ ଦେଶର ଦ୍ୱିତୀୟ ଆରବିଆଇ ଡାଟା ସେଣ୍ଟର।
ଆଜି ଓଡ଼ିଶା ମାଟିରୁ ଏହାକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ମୋଦି। ଏହାପରେ ସେ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୁବନେଶ୍ୱରରେ ନୂଆ ସଂସ୍ଥା ଖୋଲିଛି।
ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ଭେଟିଦେଲା। ଦେଶର ବିକାଶରେ ଛୋଟ ସହରର ବଡ଼ ଭୂମିକା ରହିବା ଦରକାର। ଆଜିର ଏହି ସଂସ୍ଥା ଓଡ଼ିଶାର ଓ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।
ପୂର୍ବ ସରକାରକୁ ମଧ୍ୟ ତେର୍ଚ୍ଛାବାଣ ମାରିବାକୁ ମଧ୍ୟ ପଛାଇ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ଦେଶରେ ଗରୀବଙ୍କ ନାଁ ନେଇ ଦୀର୍ଘ ସମୟ ଧରି ପ୍ରଚାର ପ୍ରସାର ଚାଲିଥିଲା। ୬୦/୭୦ ଦଶକରେ ଗରୀବଙ୍କ ନାଁ ନେଇ ବ୍ୟାଙ୍କ ଜାତୀୟକରଣ ହେଲା।
ମାତ୍ର ୨୦୧୪ ପର୍ଯ୍ୟନ୍ତ ଗରୀବ ଲୋକେ ପ୍ରକୃତ ସେବାରୁ ବଞ୍ଚିତ ହୋଇ ରହିଥିଲେ। ଗରୀବଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟର ଦରକାର ପଡ଼ୁଥିଲା। ମାତ୍ର ଆଜି ଡିଜିଟାଲ ବ୍ୟାଙ୍କିଙ୍ଗ ଘରେ ଘରେ ପହଞ୍ଚି ପାରିଛି।
ପୂର୍ବରୁ କେନ୍ଦ୍ରରେ କ୍ଷମତାରେ ଥିବା କଂଗ୍ରେସକୁ ଇଙ୍ଗିତ କରି ମୋଦି କହିଛନ୍ତି ଯେ ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କାଏ ଦେଲେ ଲୋକେ ୧୫ ପଇସା ପାଉଛନ୍ତି। ମାତ୍ର ଆଜି ଡିବିଟି ଜରିଆରେ ପୂରା ୧ ଟଙ୍କା ଲୋକଙ୍କ ପାଖକୁ ଯାଉଛି।
ଆଜି ଅଟଳ ପେନସନ ଜରିଆରେ ଦେଶରେ ୯ କୋଟି ଲୋକ ଉପକୃତ ହେଉଛନ୍ତି। ଆଉ ଓଡ଼ିଶାରେ ୩୮ ଲକ୍ଷ ଲୋକ ଅଟକ ପେନସନ୍‌ ଯୋଜନାର ଫାଇଦା ପାଉଛନ୍ତି।
ମାତ୍ର ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳୁଛି। ଆଜିକା ଦିନରେ ଏ ବାବଦରେ ସରକାର ୨୫ ହଜାର କୋଟି ଦେଇ ସାରିଲେଣି। ବ୍ୟାଙ୍କିଙ୍ଗ ସେଣ୍ଟର ସୁରକ୍ଷିତ ରଖିବା ପାଇଁ ମଜବୁତ ଡାଟା ସେଣ୍ଟର ଦରକାର।
ଆଜିକାଲି ଆଉ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ କରାଯାଉ ନାହିଁ। ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ଆକ୍ରମଣ କରାଯାଉଛି। ତେଣୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ଓଡ଼ିଶାରେ ମାଇଣ୍ଡସରୁ ମାଇକ୍ରୋ ଚିପ୍ସ ପ୍ରତିଷ୍ଠା ସମ୍ଭବ ହୋଇପାରିଛି। ଓଡ଼ିଶାରେ ଡାଟା ସେଣ୍ଟର ପ୍ରତିଷ୍ଠା ହୋଇଥିବାରୁ ନୂଆ ପୁଞ୍ଜି ଆସିବାକୁ ଯାଉଛି। ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆଗକୁ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଥିବା ମୋଦି ଦମ୍ଭୋକ୍ତି କରିଛନ୍ତି।
📲Get App