स्थानीय
ମନରେ ଥିଲା ମାଆ ହେବାର ଖୁସି, ଆଖିରେ ଥିଲା ନିଜ ଶିଶୁକୁ ଦେଖିବାର ସ୍ୱପ୍ନ
यहाँ देखें:
▶️ YouTube
ସକାଳେ ହସଖୁସିରେ ସ୍ୱାମୀଙ୍କ ସହ ଘରୁ ବାହାରିଥିଲେ ୭ ମାସର ଗର୍ଭବତୀ ପ୍ରତିମା (୨୧)। ମନରେ ଥିଲା ମାଆ ହେବାର ଖୁସି, ଆଖିରେ ଥିଲା ନିଜ ଶିଶୁକୁ ଦେଖିବାର ସ୍ୱପ୍ନ। ଅଲଟ୍ରାସାଉଣ୍ଡ ପାଇଁ ସ୍ୱାମୀ ବିପିନ ଛୁରିଆ (୨୬)ଙ୍କ ସହ ମୋଟରସାଇକେଲରେ ଭଟଲି ଆସୁଥିଲେ। ହେଲେ କିଏ ଜାଣିଥିଲା, ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଯିବ। ବାଟରେ ଯମ ଜଗିଥିବ କିଏ ଜାଣିଥିଲା? ଏମିତି ଏକ ଦୁଃଖଦ ଘଟଣା, ଯାହାର ବେଦନାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଭଟଲି ଥାନା ଅଞ୍ଚଳର ସୁକୁଡ଼ା ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା ଗୋଟିଏ ପରିବାରର ସମସ୍ତ ଖୁସିକୁ ଛଡ଼ାଇ ନେଇଛି। ଅମ୍ବାଭୋନା ଥାନା ଅନ୍ତର୍ଗତ କାପାସିରା ଅନ୍ତରାଡ଼ି ଗ୍ରାମର ନିବାସୀ ବିପିନ ଛୁରିଆ (୨୬) ତାଙ୍କ ୭ ମାସର ଗର୍ଭବତୀ ସ୍ତ୍ରୀ ପ୍ରତିମା ଛୁରିଆ (୨୧)ଙ୍କୁ ମୋଟରସାଇକେଲରେ ନେଇ ଭଟଲିସ୍ଥିତ ଡାକ୍ତର ସୁନୀଲ ଆଚାର୍ଯ୍ୟଙ୍କ ଚିକିତ୍ସାଳୟକୁ ଅଲଟ୍ରାସାଉଣ୍ଡ ପାଇଁ ଆସୁଥିଲେ।ହେଲେ ସୁକୁଡ଼ା ପେଟ୍ରୋଲ ପମ୍ପ ନିକଟରେ ଛତିଶଗଡ଼ରୁ ହୀରାକୁଦ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଉଥିବା ଏକ ବୋଲେରୋ ଗାଡ଼ି ସେମାନଙ୍କ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପ୍ରତିମା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଟେମ୍ପୁ ଯୋଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାଆଙ୍କ ସହ ତାଙ୍କ ଗର୍ଭରେ ବଢ଼ୁଥିବା ଶିଶୁଟି ମଧ୍ୟ ଆଉ ଦୁନିଆ ଦେଖିପାରିଲା ନାହିଁ। ବିବାହର ମାତ୍ର ଏକ ବର୍ଷ ୬ ମାସ ହୋଇଥିଲା। ପୂର୍ବରୁ ତିନିଥର ଗର୍ଭପାତର ଯନ୍ତ୍ରଣା ସହିବା ପରେ, ଅନେକ ଚିକିତ୍ସା ଓ ଔଷଧ ପରେ ଏଥର ନିଜ ଘରକୁ ଏକ ନୂଆ ଅତିଥି ଆସିବ ବୋଲି ଆଶା କରିଥିଲେ ପ୍ରତିମା ଓ ବିପିନ। ଯେଉଁ ଶିଶୁକୁ କୋଳରେ ଧରିବାର ସ୍ୱପ୍ନ ଦେଖୁଥିଲେ, ଆଜି ସେହି ଶିଶୁ ସହ ତାଙ୍କ ଜୀବନସାଥୀଙ୍କୁ ମଧ୍ୟ ହରାଇଦେଲେ ବିପିନ। ହସ୍ପିଟାଲ ବାରଣ୍ଡାରେ ବସି ସ୍ତ୍ରୀ ଓ ଅଜନ୍ମା ଶିଶୁକୁ ହରାଇ ବିପିନଙ୍କ ଆଖିରୁ ଝରୁଥିଲା ଅଶ୍ରୁ। ତାଙ୍କ ମୁହଁରୁ ବାହାରୁଥିବା ପ୍ରତ୍ୟେକ କଥା ଶୁଣିଲେ ଯେକୌଣସି ମଣିଷର ହୃଦୟ ଭାଙ୍ଗିଯିବ।ଏହା କେଵଳ ଏକ ସଡ଼କ ଦୁର୍ଘଟଣା ନୁହେଁ ଏକା ଥରକେ ଗୋଟିଏ ପରିବାରର ସ୍ୱପ୍ନ, ଆଶା ଓ ଭବିଷ୍ୟତକୁ ଗୋଟିଏ ମୁହୂର୍ତ୍ତରେ ଛଡ଼ାଇ ନେଇଥିବା ଏକ ଅପୂରଣୀୟ କ୍ଷତି।