🔥 TRENDING SGPC Suspends Akal Takht Member and Dr... AI-powered smart parking system launch... Zone-26 clinches title in Delhi State... Server Issues: e-KYC Deadline Extended... Delhi Man Blackmailed After Online Fri... Delhi to Upgrade Water Facilities at M...
17 Sep 2026
ગુજરાતી मराठी ਪੰਜਾਬੀ বাংলা
ସରକାରଙ୍କ ‘ଖାରଜ ନିଷ୍ପତ୍ତି’କୁ ଚ୍ୟାଲେଞ୍ଜ କରିବ ଦାରା ସିଂହ, ଆବେଦନ ସଂଶୋଧନ ପାଇଁ ସୁପ୍ରିମକୋର୍ଟ ଦେଲେ ଅନୁମତି
Crime

ସରକାରଙ୍କ ‘ଖାରଜ ନିଷ୍ପତ୍ତି’କୁ ଚ୍ୟାଲେଞ୍ଜ କରିବ ଦାରା ସିଂହ, ଆବେଦନ ସଂଶୋଧନ ପାଇଁ ସୁପ୍ରିମକୋର୍ଟ ଦେଲେ ଅନୁମତି

✍️ Reporter: Deepak Mahapatra 🗓 17 Sep 2026, 04:34 PM 👁 10
Share: 💬 WhatsApp 📘 Facebook 𝕏 Post
ରାଜ୍ୟ ସରକାରଙ୍କ ଆବେଦନ ଖାରଜ ନିଷ୍ପତ୍ତିକୁ ସିଧାସଳଖ ଚ୍ୟାଲେଞ୍ଜ କରିବା ଓ ଆବେଦନରେ ଆବଶ୍ୟକ ସଂଶୋଧନ ଆଣିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହାସହିତ ସରକାରଙ୍କ ଖାରଜ ନିର୍ଦ୍ଦେଶନାମାର ଏକ ନକଲ ଦାରା ସିଂଙ୍କ ଓକିଲଙ୍କୁ ତୁରନ୍ତ ଯୋଗାଇଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତି ଆବେଦନକୁ ଓଡ଼ିଶା ସରକାର ଖାରଜ କରିବା ପରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆବେଦନ ଖାରଜ ନିଷ୍ପତ୍ତିକୁ ସିଧାସଳଖ ଚ୍ୟାଲେଞ୍ଜ କରିବା ଓ ଆବେଦନରେ ଆବଶ୍ୟକ ସଂଶୋଧନ ଆଣିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହାସହିତ ସରକାରଙ୍କ ଖାରଜ ନିର୍ଦ୍ଦେଶନାମାର ଏକ ନକଲ ଦାରା ସିଂଙ୍କ ଓକିଲଙ୍କୁ ତୁରନ୍ତ ଯୋଗାଇଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ବୈଧତା ଉପରେ ଏବେ ସୁପ୍ରିମକୋର୍ଟରେ ପୁଣିଥରେ ଆଇନଗତ ଲଢ଼େଇ ଆରମ୍ଭ ହେବ ବୋଲି ସ୍ପଷ୍ଟ ହୋଇଛି।ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ ବିଜୟ ବିଷ୍ନୋୟୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କ ଅଗଷ୍ଟ ୩୧ ତାରିଖର ପ୍ରତ୍ୟାଖ୍ୟାନ ଆଦେଶକୁ ରେକର୍ଡଭୁକ୍ତ କରିଛନ୍ତି। ଦାରା ସିଂହଙ୍କ ଓକିଲ ଆଜି ଶୁଣାଣିବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସଂଶୋଧିତ ପିଟିସନ ଦାଖଲ କରିବା ଲାଗି ଦୁଇ ସପ୍ତାହର ମହଲତ ଲୋଡ଼ିଥିଲେ। ସୁପ୍ରିମକୋର୍ଟ ଏହି ଅନୁରୋଧକୁ ଗ୍ରହଣ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ତିନି ସପ୍ତାହ ପରେ ଧାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ , ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ନେବାରେ ରାଜ୍ୟ ସରକାର ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ବିଳମ୍ବ କରି ଆସୁଥିବାରୁ ପୂର୍ବ ଶୁଣାଣିଗୁଡ଼ିକରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ବାରମ୍ବାର ସମୟ ମାଗିବା ଘଟଣାରେ ଅଦାଲତ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ମାମଲାକୁ ଏଭଳି ଅନିର୍ଦ୍ଦିଷ୍ଟ କାଳ ପାଇଁ ଝୁଲାଇ ରଖାଯାଇ ପାରିବ ନାହିଁ ଓ ଯଦି ଆବେଦନ ଖାରଜ କରିବାର ଅଛି ତେବେ ତୁରନ୍ତ ତାହା ଉପରେ ସ୍ପଷ୍ଟ ନିଷ୍ପତ୍ତି ନେଉ ନଚେତ୍ ଆମେ ଦାୟିତ୍ୱରେ ଥିବା ସଚିବଙ୍କୁ ହାଜର ପାଇଁ ନୋଟିସ୍ ଦେବୁ। ସୁପ୍ରିମକୋର୍ଟଙ୍କ ଏହି କଡ଼ା ଚେତାବନୀ ପରେ ରାଜ୍ୟର ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ବୈଠକ ବସି ଶେଷରେ ଏହି ଆବେଦନକୁ ଅଗଷ୍ଟ ୩୧ରେ ଅଗ୍ରାହ୍ୟ କରିଦେଇଥିଲେ।ପୂର୍ବରୁ ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ୨୦୨୩ରେ ୫ଥର ଦାରା ସିଂଙ୍କ ମୁକ୍ତି ଦାବି ପ୍ରତ୍ୟାଖ୍ୟାନ ହୋଇଥିବାବେଳେ ଏବେପୁଣି ଥରେ ରାଜ୍ୟ ସରକାର ଏହାକୁ ଖାରଜ କରିଛନ୍ତି। ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ‘ଦାରା ସେନା’ର ପ୍ରାୟ ୨୫୦ ଜଣ ଉତ୍ତେଜିତ ସମର୍ଥକ କେନ୍ଦୁଝର ଜିଲ୍ଲା ଜେଲ୍ ସମ୍ମୁଖରେ ଏକତ୍ରିତ ହୋଇ ଦାରାଙ୍କ ସମ୍ଭାବ୍ୟ ମୁକ୍ତିକୁ ନେଇ ଉତ୍ତେଜନାମୂଳକ ସ୍ଲୋଗାନମାନ ଦେଇଥିବା ଏବଂ ଦାରାଙ୍କ ମୁକ୍ତି ଯୋଗୁ ସାମାଜିକ ସୌହାର୍ଦ୍ଦ୍ୟ ବିଗିଡ଼ିବାର ଆଶଙ୍କା କରି ରିଭ୍ୟୁ ବୋର୍ଡ ଅଗଷ୍ଟ ୩୧ତାରିଖରେ ତାଙ୍କର ମୁକ୍ତି ଆବେଦନକୁ ଖାରଜ କରିଦେଇଥିଲା।


ଗ୍ରାହାମ ଷ୍ଟେନସ ହତ୍ୟା ମାମଲାରେ ଦାରା ସିଂହ ଓଡ଼ିଶା ସରକାରଙ୍କ ଜେଲରୁ ଆଗୁଆ ମୁକ୍ତି ନୀତି-୨୦୨୨ ଆଧାରରେ ଗତ ୨୦୨୪ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କର ବୟସ ୬୦ବର୍ଷରୁ ଅଧିକ ହୋଇସାରିଛି ଓ ସେ ବିନା ପାରୋଲରେ ୨୪ରୁ ୨୬ ବର୍ଷ ଧରି ଜେଲରେ ରହି ଉତ୍ତମ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଯୁକ୍ତି ଦର୍ଶାଇଥିଲେ। ଏଥିସହ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ଏଜି. ପେରାରିଭାଲନଙ୍କୁ ମିଳିଥିବା ଆଇନଗତ ଆଶ୍ୱସ୍ତି ଓ ସଂସ୍କାରମୂଳକ ନ୍ୟାୟ ନୀତିକୁ ମଧ୍ୟ ଦାରାଙ୍କ ଆବେଦନରେ ତାଙ୍କ ଓକିଲ ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୨୧ ତାରିଖ ରାତିରେ କେନ୍ଦୁଝର ଜିଲ୍ଲାର ମନୋହରପୁର ଗାଁରେ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦାରା ସିଂହ ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇ ୨୦୦୩ରେ ସିବିଆଇ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଫାଶୀ ଦଣ୍ଡ ପାଇଥିଲା। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଥିଲେ, ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ ବଳବତ୍ତର ରଖିଥିଲେ। ଏବେ ରାଜ୍ୟ ସରକାରଙ୍କ ଖାରଜ ଆଦେଶ ରେକର୍ଡଭୁକ୍ତ ହେବା ପରେ ଦାରା ସିଂହର ସଂଶୋଧିତ ପିଟିସନ ଆଧାରରେ ସୁପ୍ରିମକୋର୍ଟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
📲Get App