🔥 TRENDING मुरैना जिले के कैलारस तहसील में किसानो... अनुराग द्विवेदी ने दुबई में जन्मदिन पर... અંબાજી મંદિર ખાતે ધ્વજ ચડાવવાના નવા નિ... તળાજામાં પૈસાની લેતી-દેતી મામલે યુવક પ... Rajmata Vijayraj Kumari Mewar Passes A... Punjabi truck driver stabbed 20 times...
15 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ପୁଞ୍ଜିନିବେଶ ନାଁରେ ୮୧ଲକ୍ଷ ଠକେଇ: ପଶ୍ଚିମବଙ୍ଗ ପୁରୁଲିଆରୁ ୨ ଗିରଫ, ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୁଲିସ

✍️ Reporter: Deepak Mahapatra 🗓 15 Sep 2026, 11:34 AM 👁 8
Share: 💬 WhatsApp 📘 Facebook 𝕏 Post

ସେୟାର୍‌ ମାର୍କେଟ୍‌ ବିଶେଷଜ୍ଞ ପରିଚୟରେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କଠାରୁ ୮୧ ଲକ୍ଷ ଟଙ୍କା ଠକି ନେଇଥିବା ଏକ ରୢାକେଟ୍‌ର ୨ ଜଣଙ୍କୁ ଭୁବନେଶ୍ବର ସାଇବର ଥାନା ପୁଲିସ ବାନ୍ଧିଛି।

ଭୁବନେଶ୍ୱର: ସେୟାର୍‌ ମାର୍କେଟ୍‌ ବିଶେଷଜ୍ଞ ପରିଚୟରେ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କଠାରୁ ୮୧ ଲକ୍ଷ ଟଙ୍କା ଠକି ନେଇଥିବା ଏକ ରୢାକେଟ୍‌ର ୨ ଜଣଙ୍କୁ ଭୁବନେଶ୍ବର ସାଇବର ଥାନା ପୁଲିସ ବାନ୍ଧିଛି। ପଶ୍ଚିମବଙ୍ଗ ପୁରୁଲିଆରେ ବସି ଏଭଳି ଖେଳ କରିଥିବା ୨ ଧୂର୍ତ୍ତ ହେଲେ ପୁରୁଲିଆ ଜିଲ୍ଲା ବାନ୍ଦୋଆନ୍‌ ଅଞ୍ଚଳର ବିମଳ କାଳିନ୍ଦୀ(୩୭) ଓ ପାର୍ଥ ହାଲ୍‌ଦାର(୩୯)। କିନ୍ତୁ ଏହି ଦୁଇ ଅଭିଯୁକ୍ତ ଉକ୍ତ ରୢାକେଟ୍‌ରେ ଏଜେଣ୍ଟ ଭାବେ କାମ କରୁଥିବା ଜଣାପଡ଼ିଛି। ରୢାକେଟ୍‌ର ମାଷ୍ଟରମାଇଣ୍ଡ ସଞ୍ଜୟ ରାଣା କିନ୍ତୁ ପୁଲିସ ହାତରେ ଲାଗିନାହିଁ। ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଜଣାପଡ଼ିଛି। ସେୟାର୍‌ ମାର୍କେଟ୍‌ ବିଶେଷଜ୍ଞ ହୋଇଥିବାରୁ ସେମାନଙ୍କ ପରାମର୍ଶକ୍ରମେ ପୁଞ୍ଜିନିବେଶ କଲେ, ନିହାତି ୪ଗୁଣା ରିଟର୍ଣ୍ଣ ମିଳିବ ବୋଲି ଲୋଭ ଦେଖାଇ ଏହି ରୢାକେଟ୍‌ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ଚୂନ ଲଗାଇଥିଲେ।ସୂଚନା ମୁତାବକ ୨୦୨୫ ଡିସେମ୍ବର ମାସରେ ଭୁବନେଶ୍ବର‌ରେ ରହୁଥିବା ଅବସରପ୍ରାପ୍ତ ସରକାରୀ ଅଧିକାରୀ ନିରଞ୍ଜନ ବୋଇତାଇଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଶ୍ରୀ ବୋଇତାଇ କଲ୍‌ ଗ୍ରହଣ କରିବା ପରେ ଫୋନ୍‌ କରିଥିବା ଠକ ନିଜକୁ ଜଣେ ସେୟାର ମାର୍କେଟ୍‌ ବିଶେଷଜ୍ଞ ବୋଲି ପରିଚୟ ଦେଇଥିଲା। ତା’ ପରାମର୍ଶରେ ସେୟାର୍‌ ବଜାରରେ ପୁଞ୍ଜିନିବେଶ କଲେ ୩/୪ଗୁଣ ଅର୍ଥ ରିଟର୍ଣ୍ଣ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲା। କେବଳ ସେତିକି ନୁହେଁ, ତା’ ଅଧୀନରେ କିଭଳି ନିବେଶକମାନେ ଲାଭବାନ ହେଉଛନ୍ତି, ଦେଖାଇବା ପାଇଁ ଧୂର୍ତ୍ତଜଣକ ଶ୍ରୀ ବୋଇତାଇଙ୍କୁ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଯୋଡ଼ିଥିଲା। ସେହି ଗ୍ରୁପ୍‌ରେ ବିଭିନ୍ନ ନିବେଶକ ଲକ୍ଷ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଉଥିବା ଦେଖିବାକୁ ମିଳୁଥିଲା। ମିଛ ନିବେଶକମାନେ ବିଭିନ୍ନ ସେୟାର୍‌ ବଜାରରୁ ଫାଇଦା ଉଠାଉଥିବା ନେଇ ସେହି ଗ୍ରୁପ୍‌ରେ ମେସେଜ୍‌ ପୋଷ୍ଟ କରୁଥିଲେ। ଏସବୁ ଦେଖିବା ପରେ ଶ୍ରୀ ବୋଇତାଇଙ୍କର ଲୋଭ ବଢ଼ିଥିଲା ଏବଂ ସେ ସାଇବର ଠକଙ୍କ ମାୟାଜାଲରେ ଛନ୍ଦି ହେବାକୁ ଲାଗିଲେ। ଠକଙ୍କ ଚାଲ୍‌ ବୁଝିନପାରି ସେ ପୁଞ୍ଜିନିବେଶ କରିବା ପାଇଁ ମନ ବଳାଇଲେ। ମଉକାକୁ ଅପେକ୍ଷା କରିଥିବା ସାଇବର ଠକ ରୢାକେଟ୍‌ ତାଙ୍କୁ ‘ମାଭେରିକ୍ କ୍ୟାପ୍’ ନାମକ ଏକ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥିଲା। ଠକଙ୍କ ପରାମର୍ଶକ୍ରମେ ଶ୍ରୀ ବୋଇତାଇ ବିଭିନ୍ନ ପର୍ଯ୍ୟାୟରେ ମୋଟ ୮୧ ଲକ୍ଷ ୩୦ ହଜାର ଟଙ୍କା ଜମା କରିଥିଲେ। ତାଙ୍କ ୱାଲେଟ୍‌ରେ ବି ବହୁତ ମୁନାଫା ହେଉଥିବା ପ୍ରଦର୍ଶିତ ହେଉଥିଲା। ତେଣୁ ସେ କିଛି ଟଙ୍କା ଉଠାଇବାକୁ ଚାହିଥିଲେ। ମାତ୍ର ପାହୁଲାଟିଏ ବି ଉଠାଇ ପାରିନଥିଲେ। କିଛି ସମୟ ପରେ ଆପ୍‌ଟି ବ୍ଲକ୍‌ ହୋଇଯାଇଥିଲା। ଏତେବେଳକୁ ହିଁ ଶ୍ରୀ ବୋଇତାଇ ଜାଣିଲେ ଯେ ତାଙ୍କୁ ସାଇବର ଠକ ରୢାକେଟ୍‌ ଫସାଇ ଲୁଟି ସାରିଛି।ଅଭିଯୋଗ ଆଧାରରେ ମାମଲା ରୁଜୁ କରି ସାଇବର ଥାନା ପୁଲିସ ଶ୍ରୀ ବୋଇତାଇଙ୍କ ଆକାଉଣ୍ଟରୁ କେଉଁ କେଉଁ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ହୋଇଛି, ଖୋଳତାଡ଼ କଲା। ତଦନ୍ତରୁ ଜଣାପଡ଼ିଲା ଯେ ଶ୍ରୀ ବୋଇତାଇଙ୍କ ଆକାଉଣ୍ଟରୁ ୧୮ଲକ୍ଷ ଟଙ୍କା ପଶ୍ଚିମବଙ୍ଗ ପୁରୁଲିଆସ୍ଥିତ ବିମଳ କାଳିନ୍ଦୀଙ୍କ କମ୍ପାନି ‘ୱାର୍ଲ୍ଡ ନେଟ୍ କମ୍ପ୍ୟୁଟେକ୍‌’ର ବନ୍ଧନ ବ୍ୟାଙ୍କ ଖାତାକୁ ଯାଇଛି। ଏହି ଆକାଉଣ୍ଟକୁ ପିଛା କରି ସାଇବର ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ପୁରୁଲିଆ ବାନ୍ଦୋଆନ୍‌ ଥାନା ଅଞ୍ଚଳରେ ଚଢ଼ଉ କରି ବିମଳ ଓ ପାର୍ଥକୁ କାବୁ କରିଥିଲା। ଜେରାରୁ ଜଣାପଡ଼ିଛି ଯେ ବିମଳ ଓ ପାର୍ଥ, ମାଷ୍ଟରମାଇଣ୍ଡ ସଞ୍ଜୟ ରାଣା ରୢାକେଟ୍‌ରେ ଏଜେଣ୍ଟ ଭଳି କାମ କରୁଥିଲେ। ମାଷ୍ଟରମାଇଣ୍ଡ ସଞ୍ଜୟ ଲୋକଙ୍କୁ ଫସାଉଥିଲା ଏବଂ ବିମଳ ଓ ପାର୍ଥ ନାଁରେ ଖୋଲିଥିବା ଜାଲ୍‌ କମ୍ପାନି ଆକାଉଣ୍ଟକୁ ଠକେଇ ଟଙ୍କା ସ୍ଥାନାନ୍ତର କରାଇବାରେ ବ୍ୟବହାର କରୁଥିଲା। ବିମଳ ଓ ପାର୍ଥ କମିସନ ପାଉଥିଲେ। ସଞ୍ଜୟକୁ ଗିରଫ କରିବା ଲାଗି ସାଇବର ଥାନା ପୁଲିସ ଜାଲ ବିଛାଇଛି।
📲Get App