🔥 TRENDING Cyclone Arnab Brings Heavy Rains to Bi... ತುಮಕೂರು: ಕಾರ್ಖಾನೆಯ ಯಂತ್ರಕ್ಕೆ ಸಿಲುಕಿ ಯು... Uncapped Indian Women Cricketers Aim f... India and Liechtenstein Sign New Tax T... PGTI partners with Business Today to b... Google Shares Rise Slightly Amid OpenA...
28 Oct 2026•
ગુજરાતી मराठी ਪੰਜਾਬੀ বাংলা

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ନୂତନ ଖବର କାଗଜ "କଳିଙ୍ଗ ଦର୍ପଣ "ର ଭବ୍ୟ ଲୋକାର୍ପଣ l

✍️ Reporter: Dulendra Kumar Meher 🗓 24 Oct 2026, 07:24 PM 👁 51
Share: 💬 WhatsApp 📘 Facebook 𝕏 Post

କଳାହାଣ୍ଡିର ପ୍ରତ୍ୟେକ ଅଞ୍ଚଳର ଖବର ଓ ଲୋକଙ୍କ ସ୍ୱର ସମସ୍ତଙ୍କ ପାଖରେ ପହଞ୍ଚିବ l

ଜୁନାଗଡ଼ରେ ନୂତନ ଖବରକାଗଜ 'କଳିଙ୍ଗ ଦର୍ପଣ'ର ଭବ୍ୟ ଲୋକାର୍ପଣ: ସାଜିବ କଳାହାଣ୍ଡିର ଅଦେଖା ଓ ଅଶୁଣା ସ୍ୱର

କଳାହାଣ୍ଡି /ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ହୃଦୟସ୍ଥଳୀ ଜୁନାଗଡ଼ଠାରେ ଏକ ନୂତନ ଖବରକାଗଜ 'କଳିଙ୍ଗ ଦର୍ପଣ'ର ଆନୁଷ୍ଠାନିକ ଭାବେ ଶୁଭ ଉନ୍ମୋଚନ ହୋଇଯାଇଛି। ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଧାର କରି ତଥା ନିରପେକ୍ଷତାର ବାର୍ତ୍ତା ନେଇ ଏହି ଖବରକାଗଜ ନିଜର ଯାତ୍ରା ଆରମ୍ଭ କରିଛି।
ଉଦ୍‌ଘାଟନୀ ଉତ୍ସବ ସକାଳ ୧୦ ଘଟିକା ସମୟରେ ଇଷ୍ଟଦେବୀ ମା' ଲଙ୍କେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ସହିତ ଆରମ୍ଭ ହୋଇଥିଲା।

ପୂର୍ବାହ୍ନ ୧୧:୩୦ ମିନିଟରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ମୁଖ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହ ରାଜ୍ୟ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇଥିଲା। ଆୟୋଜକ କମିଟି ପକ୍ଷରୁ ସ୍ୱାଗତ ଭାଷଣ ପ୍ରଦାନ କରାଯାଇ ଖବରକାଗଜକୁ 'ସମାଜର ହୃଦସ୍ପନ୍ଦନ' ଭାବେ ବର୍ଣ୍ଣନା କରାଯାଇଥିଲା। କଳାହାଣ୍ଡି ତଥା ଜୁନାଗଡ଼ ଅଞ୍ଚଳର ଲୁକ୍କାୟିତ ପ୍ରତିଭା, ସଂସ୍କୃତି, ସମ୍ଭାବନା ଏବଂ ଅଦେଖା ଓ ଅଶୁଣା ସମସ୍ୟାକୁ ରାଜ୍ୟ ତଥା ଦେଶ ଦରବାରରେ ପହଞ୍ଚାଇବା 'କଳିଙ୍ଗ ଦର୍ପଣ'ର ମୁଖ୍ୟ ଲକ୍ଷ୍ୟ ବୋଲି ଏଥିରେ ପ୍ରକାଶ ପାଇଥିଲା।

ସୁଶାନ୍ତ କୁମାର ଠାକୁରଙ୍କ ସଭାପତିତ୍ୱ ତଥା ନରେନ୍ଦ୍ର ଖିତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବ୍ଲକ୍ ଅଧ୍ୟକ୍ଷା ସବିତା ମେହେର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ବ୍ଲକ୍ ଶିକ୍ଷାଧିକାରୀ ତପନ ମାଝୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ସିଂ ଦେଓ ଏବଂ ଓଟିଏନ୍ ଟିଭିର ସମ୍ପାଦିକା ସଂଯୁକ୍ତା ଦାସ ଉପସ୍ଥିତ ଥିଲେ।

ପତ୍ରିକାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ସତ୍ୟ ରଞ୍ଜନ ଦାସଙ୍କ ଆଭିମୁଖ୍ୟ ଉପସ୍ଥାପନ ପରେ ଅତିଥିମାନଙ୍କ କରକମଳରେ ଖବରକାଗଜର ପ୍ରଥମ ସଂସ୍କରଣ ଲୋକାର୍ପିତ ହୋଇଥିଲା। ଏଥିସହ କଳିଙ୍ଗ ୱେବ୍ ମିଡିଆ ଇନସାଇଟ୍‌ର ରାଜ୍ୟ ଉପସଭାପତି ମୂରଲୀଧର ତାଣ୍ଡି, ରାଜ୍ୟ ସମ୍ପାଦକ ରୋହିତ କୁମାର ନିଆଳ ଏବଂ ରାଜ୍ୟ ସଂଯୋଜକ ଧର୍ମୁ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଭବ୍ୟ ଉନ୍ମୋଚନ ସମାରୋହକୁ କଳାହାଣ୍ଡି ଜିଲ୍ଲା ସଭାପତି ପୂର୍ଣ୍ଣେନ୍ଦୁ କୁମାର ମାଝୀ, ଲକ୍ଷ୍ମଣ ପୋଢ଼ ଏବଂ ଜଗନ୍ନାଥ ନାଏକ ଆୟୋଜନ କରିଥିଲେ। ଏଥିରେ ଜୁନାଗଡ଼ର ତିନୋଟି ସାମ୍ବାଦିକ ସଂଘ ଯଥା- ଜୁନାଗଡ଼ ସାମ୍ବାଦିକ ସଂଘ, ମିଡିଆ କ୍ଲବ୍ ଜୁନାଗଡ଼ ଏବଂ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ।

ମୁଖ୍ୟ ଅତିଥି ଏବଂ ସଭାପତି ସମାଜକୁ ଦିଗଦର୍ଶନ ଦେବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ ଓ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସଭାପତି ନିଜର ମାର୍ଗଦର୍ଶନମୂଳକ ଅଭିଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ସହ-ସମ୍ପାଦକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ତଥା ଜାତୀୟ ସଂଗୀତ ଗାନ କରାଯାଇ ସଭା କାର୍ଯ୍ୟର ବିଧିବଦ୍ଧ ସମାପ୍ତି ଘୋଷଣା କରାଯାଇଥିଲା ଏବଂ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ପାଇଁ ଆତିଥ୍ୟ ସତ୍କାରର ବ୍ୟବସ୍ଥା କରାଯାଇଥିଲା।
କଳାହାଣ୍ଡିରୁ ଦୁଲେନ୍ଦ୍ର କୁମାର ମେହେରଙ୍କ ରିପୋର୍ଟ
📲Get App