🔥 TRENDING चारामा में जान से मारने की धमकी देकर द... બેહરામપુરા થી પાટણ સુધી માતાજીનો રથ પગ... ସ୍କୁଲରୁ ୧୫ କ୍ୱିଣ୍ଟାଲ ଚାଉଳ, ଗ୍ୟାସ୍ ଟାଙ୍... ભાવનગર–સોમનાથ હાઈવે પર વધુ એક ગમખ્વાર... ਕਪਿਲ ਸ਼ਰਮਾ ਸ਼ੋਅ 'ਚ ਨਜ਼ਰ ਆਉਣਗੇ ਕੇਂਦਰੀ ਮ... ट्रक की टक्कर से बाइक सवार अधेड़ की मौ...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା 'ଅକଭାନ୍‌' ପାଇଁ କଟିବନି ମୋବାଇଲ୍ ନେଟୱର୍କ; : ୬ଟି ଜିଲ୍ଲାରେ ଲାଗୁ ଇଣ୍ଟ୍ରା ସର୍କଲ ରୋମିଂ, ଯେକୌଣସି ସିମରୁ ମିଳିପାରିବ ସିଗନାଲ୍

✍️ Reporter: Deepak Mahapatra 🗓 20 Nov 2026, 01:07 PM 👁 23
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକଭାନ୍‌’ ଏବେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇଥିବାବେଳେ କେନ୍ଦ୍ର ସରକାର ଟେଲିକମ୍ ସେବାକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନର୍ସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଗୋପାଳପୁର ନିକଟରେ ବାତ୍ୟା ‘ଅକଭାନ’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଦୂରସଂଚାର ବିଭାଗ ପକ୍ଷରୁ ୨୪ଘଣ୍ଟିଆ ବାଧାମୁକ୍ତ ଟେଲିକମ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।


ବାତ୍ୟା(Cyclone Akvan) ସମୟରେ ପ୍ରତିକୂଳ ପାଗ ଯୋଗୁଁ ଟେଲିକମ୍ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରାଜ୍ୟର ୬ଟି ଜିଲ୍ଲାରେ 'ଇଣ୍ଟ୍ରା ସର୍କଲ୍ ରୋମିଂ' ସୁବିଧାକୁ ସକ୍ରିୟ କରାଯାଇଛି। ଯାହାଫଳରେ ବାତ୍ୟା ସମୟରେ ଯଦି ନିଜ ମୋବାଇଲ୍ କମ୍ପାନୀର ନେଟୱାର୍କ କାମ ନକରେ, ତେବେ ଅନ୍ୟ ଯେକୌଣସି ଉପଲବ୍ଧ ନେଟୱାର୍କ ବ୍ୟବହାର କରି ସହଜରେ ମୋବାଇଲ୍ ଫୋନ୍ ମାଧ୍ୟମରେ ଯୋଗାଯୋଗ ରକ୍ଷା କରିହେବ ବୋଲି ଜଣାପଡ଼ିଛି।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟର ଟେଲିକମ୍ୟୁନିକେସନ ବିଭାଗର ବିପର୍ଯ୍ୟୟ ପରିଚାଳନା ଶାଖା ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୬ଟି ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯାଇଛି। ଏକୀକୃତ ଲାଇସେନ୍ସର ଧାରା ୨୯.୬ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଉଦ୍ଦିଷ୍ଟ ଏସଓପି-୨୦୨୦ ନିୟମାବଳୀ ଅନୁସାରେ ସମସ୍ତ ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଯଥା-ଭାରତୀ ଏୟାରଟେଲ୍‌, ବିଏସଏନଏଲ୍‌, ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆର ନିୟାମକ ମୁଖ୍ୟମାନଙ୍କୁ ଏହି ନିର୍ଦ୍ଦେଶକୁ 'ସର୍ବୋଚ୍ଚ ପ୍ରାଥମିକତା' ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। କେବଳ ସ୍ଥାନୀୟ ଗ୍ରାହକ ନୁହଁନ୍ତି ବରଂ ଏହି ୬ଟି ଜିଲ୍ଲାରେ ଉପସ୍ଥିତ ଥିବା ସମସ୍ତ ବାହାର ସର୍କଲରୁ ଆସିଥିବା ଗ୍ରାହକମାନେ ମଧ୍ୟ ଏହି ସୁବିଧାର ଲାଭ ଉଠାଇପାରିବେ।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଏହି ଇଣ୍ଟ୍ରା ସର୍କଲ୍ ରୋମିଂ ସୁବିଧା ଆଜି ନଭେମ୍ବର ୧୯ ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡ ଠାରୁ ଆରମ୍ଭ ହୋଇ ୨୦ ନଭେମ୍ବର ୨୦୨୬ ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡ ପର୍ଯ୍ୟନ୍ତ, କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ (ଯାହା ଆଗେ ହେବ) ବଳବତ୍ତର ରହିବ। ବାତ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ସାଧାରଣ ଲୋକମାନେ ଯେପରି ନିଜ ପରିବାର ତଥା ଉଦ୍ଧାରକାରୀ ପ୍ରଶାସନ ସହ ନିରବଚ୍ଛିନ୍ନ ଭାବେ ଯୋଗାଯୋଗରେ ରହିପାରିବେ, ସେଥିପାଇଁ ଦୂରସଂଚାର ବିଭାଗର ଏହି ନିଷ୍ପତ୍ତି ବେଶ୍ ସହାୟକ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି।
📲Get App