🔥 TRENDING મટોડા માં ઘરમાંથી કોડેઈનવાળી કફ સિરપની... गांव हारनी खुर्द में श्री अखंड पाठ साह... Kashmir Experiences Sub‑Zero Temperatu... CineInfinity publishes advance booking... Ramayana Sets Record for Lowest Single... From Quilt Worker to AICC Secretary: Y...
26 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଓଏଏସ୍ ସ୍ୱପ୍ନ ଅଧାରେ ରହିଗଲା; ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ମେଧାବୀ ସାଙ୍ଗଙ୍କ ଜୀବନ

✍️ Reporter: Deepak Mahapatra 🗓 26 Nov 2026, 01:17 PM 👁 27
Share: 💬 WhatsApp 📘 Facebook 𝕏 Post
ଓଏଏସ୍ ହେବାକୁ ସ୍ୱପ୍ନ ଦେଖିଥିଲେ। ନିଜ ନିଜ ପରିବାର ପାଇଁ ଓ ସମାଜ ପାଇଁ କିଛି କରିବାକୁ ଆଶା ରଖିଥିଲେ। ହେଲେ ଗୋଟିଏ ଦୁର୍ଘଟଣା ଛାରଖାର ହୋଇଗଲା ସବୁ କିଛି। ଚାଲିଗଲା ଦୁଇ ମେଧାବୀ ବନ୍ଧୁଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସହରରେ।

ଅଜଣା ଗାଡ଼ି ଧକ୍କାରେ ଜୀବନ ହରାଇଥିବା ଏହି ଦୁଇ ବନ୍ଧୁ ହେଉଛନ୍ତି ପ୍ରକାଶ ସିଂ ଭୋଇ ଓ ବିଜୟାନନ୍ଦ ମେହେର। ପ୍ରକାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବିବିନା ଗାଁରେ। ସେହିପରି ବିଜୟାନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କୁକୁରମୁଡ଼ା ଗାଁରେ। ଉଭୟେ ନବୋଦୟ ବିଦ୍ୟାଳୟରେ ଏକାଠି ପଢ଼ୁଥିଲେ। ପାଠପଢ଼ା ସରିବା ପରେ ବଲାଙ୍ଗିର ସହରରେ ଭଡ଼ା ଘରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଏପରିକି ଉଭୟେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ କୌଣସି କାମରେ ସେମାନେ ବାଇକ୍‌ରେ ଯାଉଥିବା ବେଳେ ବଲାଙ୍ଗିର ସହରର ଓମେନ୍ସ କଲେଜ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।

ଉଭୟ ବନ୍ଧୁ ନିଜ ନିଜ ପରିବାରର ଏକମାତ୍ର ପୁଅ ଥିଲେ। ପୁଅମାନେ ଚାକିରି କରିବେ, ପରିବାରର ଦୁଃଖ ଦୂର କରିବେ- ଏମିତି ଅନେକ ସ୍ୱପ୍ନ ଦେଖିଥିଲେ ପରିବାର ଲୋକେ। ହେଲେ ସେମାନଙ୍କ ଅକାଳ ମୃତ୍ୟୁ ସବୁ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି।

ଟାଉନ ଥାନା ପୁଲିସ ଉଭୟଙ୍କ ମୃତଦେହକୁ ଜବତ କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିବା ବେଳେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ହସ୍ପିଟାଲ ପରିସର।

କେଉଁ ଗାଡ଼ି ଧକ୍କା ଦେଇଥିଲା, ତାକୁ ନେଇ ତଦନ୍ତ ଜାରି ରଖିଛି ଟାଉନ ଥାନା ପୁଲିସ। କେହି ଟ୍ରକ୍ ତ ଆଉ କେହି ବଲେରୋ ଗାଡ଼ି ବୋଲି କହୁଥିବା ବେଳେ ଏଯାଏ କେଉଁ ଗାଡ଼ି ପ୍ରକାଶ ଓ ବିଜୟାନନ୍ଦଙ୍କୁ ଧକ୍କା ଦେଇଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସହର ଭିତରେ ରାତି ୧୨ଟା ପରେ ଭାରୀଯାନ ଚଳାଚଳ ଏବଂ ବାଇପାସ୍ ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଦୁଇ ମେଧାବୀ ଛାତ୍ରଙ୍କ ମୃତ୍ୟୁ ପରେ ଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ ସହ ସହରରେ ଭାରୀଯାନ ଚଳାଚଳ ନିୟନ୍ତ୍ରଣ ପାଇଁ ଦାବି ଜୋର ଧରିଛି।
📲Get App