🔥 TRENDING लक्सर शुगर मिल में 2026‑27 पेराई सत्र... Hyderabad Weather: Rain in Suryapet, K... IMD Forecast: Dense Fog in North, Heav... O Manase Releases One-Hour Special Epi... जहानाबाद शहर के शिवाजीपथ के पास कपड़े... Pak Drama 'Dar-e-Nijaat' Screenings in...
26 Nov 2026•
ગુજરાતી मराठी ਪੰਜਾਬੀ বাংলা

ନୂଆ ରାସନ କାର୍ଡ ପାଇଁ ୨୩.୧୫ ଲକ୍ଷ ଆବେଦନ: ୧୦.୨୯ ଲକ୍ଷ ଆବେଦନ ଅଗ୍ରାହ୍ୟ, ୫ଲକ୍ଷର ଚାଲିଛି ଯାଂଚ, ଇ-କେୱାଇସି ନହେଲେ ବି ବନ୍ଦ ହେବନି ଚାଉଳ

✍️ Reporter: Deepak Mahapatra 🗓 26 Nov 2026, 01:30 PM 👁 21
Share: 💬 WhatsApp 📘 Facebook 𝕏 Post
ନୂଆ ରାସନ କାର୍ଡ ପାଇଁ ଆସିଥିବା ପ୍ରାୟ ୨୩.୧୫ଲକ୍ଷ ପରିବାରର ଆବେଦନ ମଧ୍ୟରୁ ୧୦.୨୯ଲକ୍ଷ ଆବେଦନକୁ ରାଜ୍ୟର ବିଜେପି ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରାୟ ୫ଲକ୍ଷ ପରିବାରର ଆବେଦନର ଯାଂଚ ପ୍ରକ୍ରିୟା ଏବେ ଜାରି ରହିଥିବାବେଳେ ୭.୭୬ଲକ୍ଷ ପରିବାରକୁ ରାସନକାର୍ଡ ଯୋଗାଇ ଦେଇଛନ୍ତି। ଇ-କେୱାଇସି ଅପଡେଟ୍ ନହେଲେ ବି କୌଣସି ହିତାଧିକାରୀଙ୍କ ଚାଉଳ ବନ୍ଦ ହେବ ନାହିଁ। ଆଜି ବିଧାନସଭାରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି।
ବିଧାନସଭାରେ ବିଧାୟକ ସଞ୍ଜିବ ମଲ୍ଲିକ, ଶାରଦା ପ୍ରସନ୍ନ ଜେନା ଓ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ରାସନକାର୍ଡ ପାଇଁ ମୋଟ୍ ୨୩ ଲକ୍ଷ ୧୫ ହଜାର ୯୪୬ଟି ନୂଆ ଆବେଦନ ମଧ୍ୟରୁ ଏପର୍ଯ୍ୟନ୍ତ ୧୮ ଲକ୍ଷ ୦୬ ହଜାର ୧୬୯ଟି ଆବେଦନର କ୍ଷେତ୍ର ତର୍ଜମା ସମ୍ପୂର୍ଣ୍ଣ ହୋଇସାରିଛି। ସେଥିରୁ ୧୦ ଲକ୍ଷ ୨୯ ହଜାର ୩୫୫ଟି ଆବେଦନକୁ ସରକାର ଅଗ୍ରାହ୍ୟ କରିଛନ୍ତି। ‘ଓଡ଼ିଶା ଖାଦ୍ୟ ସୁରକ୍ଷା (ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା) ନିୟମ ୨୦୨୦’ ଆଧାରରେ ବିଗତ ଦୁଇ ବର୍ଷ ମଧ୍ୟରେ ଯୋଗ୍ୟ ବିବେଚିତ ୭ ଲକ୍ଷ ୭୬ ହଜାର ୮୧୪ଟି ପରିବାରର ୧୫ ଲକ୍ଷ ୩୮ ହଜାର ୦୯୨ ଜଣ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯାଇଛି। ବଳକା ତଥା ହସ୍ତଗତ ହେଉଥିବା ୫ ଲକ୍ଷ ୦୯ ହଜାର ୭୭୭ଟି ଆବେଦନର କ୍ଷେତ୍ରସ୍ତରରେ ତର୍ଜମା ଚାଲୁ ରହିଛି ଓ ଏହା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର କାର୍ଡ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

ଇ-କେୱାଇସି ଅପଡେଟ୍ କରାଇନପାରିଥିବା କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀରୁ ବଂଚିତ କରାଯାଉନାହିଁ କିମ୍ବା ଇ-କେୱାଇସି ଅପଡେଟ୍ ନହେବା ଯୋଗୁ ରାଜ୍ୟରେ କୌଣସି ରାସନ କାର୍ଡ ବାତିଲ ବା ସ୍ଥଗିତ ରଖାଯାଇନାହିଁ। ସେମାନଙ୍କୁ ପୂର୍ବଭଳି ମାସିକ ଧାର୍ଯ୍ୟ ଖାଦ୍ୟଶସ୍ୟ କୋଟା ନିୟମିତ ବଣ୍ଟନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି।
📲Get App