🔥 TRENDING Dulquer Salmaan’s ‘Aakasamlo Oka Tara’... Aakasamlo Oka Tara Tops Kaantha on Fir... Telangana BIE Eliminates Question Jumb... Shubman Gill's appeal unlikely to over... YMCA Secunderabad beats St Francis to... Odisha’s Tumba Craft Revives Ancient G...
25 Nov 2026•
ગુજરાતી मराठी ਪੰਜਾਬੀ বাংলা

ଶିକ୍ଷକ ପଦୋନ୍ନତି ଓ ପୋଷ୍ଟିଂରେ ପୁଣି ଅନିୟମିତତା ଅଭିଯୋଗ

✍️ Reporter: Sukumar Mandal 🗓 25 Nov 2026, 02:02 AM 👁 21
Share: 💬 WhatsApp 📘 Facebook 𝕏 Post

କାଉନସେଲିଂରେ ଯୋଗ ନଦେଇ ମନପସନ୍ଦ ସ୍ଥାନରେ ନିଯୁକ୍ତି! ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

ମାଲକାନଗିରି, ୨୪ ନଭେମ୍ବର : ମାଲକାନଗିରି ଜିଲ୍ଲାରେ ଏଲିମେଣ୍ଟାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ଏବଂ ପୋଷ୍ଟିଂ ପ୍ରକ୍ରିୟାକୁ ନେଇ ପୁଣି ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ଗତ ୨୧ ତାରିଖରେ ପଦୋନ୍ନତି ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଧାରଣାରେ ବସିଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକ୍ରିୟାରେ ତ୍ରୁଟି ଥିବା ସ୍ୱୀକାର କରିବା ସହ ପଦୋନ୍ନତିରୁ ବଞ୍ଚିତ ଶିକ୍ଷକମାନଙ୍କୁ ଆଗାମୀ ଦିନରେ ପଦୋନ୍ନତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା।

ତେବେ ଏବେ ପଦୋନ୍ନତି ପରବର୍ତ୍ତୀ କାଉନସେଲିଂ ଓ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆଉ ଏକ ଅଭିଯୋଗ ଉଠିଛି। କାଉନସେଲିଂରେ ଯୋଗଦେଇଥିବା ଶିକ୍ଷକମାନଙ୍କୁ ଅନ୍ୟ ବ୍ଲକର ବିଦ୍ୟାଳୟରେ ପୋଷ୍ଟିଂ ଦିଆଯାଇଥିବା ବେଳେ କେତେକ ଶିକ୍ଷକ କାଉନସେଲିଂରେ ଯୋଗ ନଦେଇ ମଧ୍ୟ ନିଜ ପୂର୍ବ କାର୍ଯ୍ୟରତ ବ୍ଲକ ଏପରିକି ନିଜ ଗ୍ରାମ ନିକଟସ୍ଥ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ମାଥିଲି ବ୍ଲକର ଜଣେ ଶିକ୍ଷୟିତ୍ରୀ ଓ ଖଇରପୁଟ ବ୍ଲକର ଜଣେ ଶିକ୍ଷକ କାଉନସେଲିଂରେ ଯୋଗ ନଦେଇ ନିଜ ପସନ୍ଦର ସ୍ଥାନରେ ନିଯୁକ୍ତି ପାଇଥିବା ନେଇ ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି। ଏପରିକି ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ତେବେ ଏହି ଅଭିଯୋଗର ସତ୍ୟତା ସ୍ୱାଧୀନ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ।

ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ବ୍ଲକ ଅନୁଯାୟୀ ଖାଲିଥିବା ପଦବୀର ତାଲିକା ପ୍ରସ୍ତୁତ କରାଯାଇଥିଲା। କାଉନସେଲିଂରେ ଯୋଗଦେଇଥିବା ଶିକ୍ଷକମାନଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଇଥିଲା। ପରେ କାଉନସେଲିଂରେ ଯୋଗଦେଇନଥିବା ଶିକ୍ଷକମାନଙ୍କୁ ଅବଶିଷ୍ଟ ଖାଲିଥିବା ପଦବୀ ଅନୁଯାୟୀ ନିଯୁକ୍ତି ଦିଆଯାଇଛି।

ତେବେ ଶିକ୍ଷା ବିଭାଗର ପଦୋନ୍ନତି ଓ ପୋଷ୍ଟିଂ ପ୍ରକ୍ରିୟାକୁ ନେଇ ବାରମ୍ବାର ଏଭଳି ଅଭିଯୋଗ ଉଠୁଥିବାରୁ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରି ନିଯୁକ୍ତି ସମ୍ପର୍କିତ ତଥ୍ୟ, କାଉନସେଲିଂ ତାଲିକା ଓ ପୋଷ୍ଟିଂ ଆଦେଶର ଯାଞ୍ଚ କରାଇଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ଶିକ୍ଷକ ମହଲରେ ଦାବି ହେଉଛି।
📲Get App