🔥 TRENDING ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା, ନଭେମ୍ବ... ସରକାରୀ ଟଙ୍କାରେ ବଡ଼ ହେରଫେର; ୧.୨୩ କୋଟି ଟ... ସୁଦାମ ହତ୍ୟା ଘଟଣାର ପର୍ଦ୍ଦାଫାସ: ମଙ୍ଗଳସୂତ... ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ... କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା... फिरोजाबाद के मदनपुर ब्लॉक में तालाब पर...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଦୁର୍ବଳ ହେଲା ବାତ୍ୟା 'ଅକଭାନ୍‌', ଗଭୀର ଅବପାତ ହୋଇ ଓଡ଼ିଶା ଉପରେ ସକ୍ରିୟ, ୩.୭୨ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନାନ୍ତରିତ, ୩ରେ ଏସଏସବି ପରୀକ୍ଷା

✍️ Reporter: Deepak Mahapatra 🗓 21 Nov 2026, 03:16 PM 👁 19
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍‌’ ଆଜି ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏବେ ଏହା ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସକ୍ରିୟ ରହିଥିବାବେଳେ ରାଜ୍ୟର ପ୍ରଶାସନିକ ତତ୍ପରତା ଯୋଗୁଁ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୩.୭୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି।


ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ୩୦ ସମୟରେ ଘଣ୍ଟାପ୍ରତି ପ୍ରାୟ ୬୫ କିଲୋମିଟର ବେଗର ପବନ ସହ ବାତ୍ୟା ରୂପେ ଥିବା ‘ଅକଭାନ୍‌’ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଛି। ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଏହି ଗଭୀର ଅବପାତ ଗୋପାଳପୁରଠାରୁ ୮୦ କିମି ଉତ୍ତର, ଅନୁଗୁଳଠାରୁ ୯୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଓ ପୁରୀଠାରୁ ୧୦୦ କିମି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଅବପାତ ଓ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାତ୍ୟା ‘ଅକଭାନ୍‌’ ଆଜି ପୂର୍ବାହ୍ନରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ରହିଥିବାବେଳେ ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ପହଂଚିଥିଲା। ତେବେ ସ୍ଥଳଭାଗ ଛୁଇଁବା ପରେ ଏହା ପ୍ରଥମେ ଗଭୀର ଅବପାତ ଓ ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ହୋଇଛି। ଏବେ ଏହି ସିଷ୍ଟମଟି ଗୋପାଳପୁରଠାରୁ ପ୍ରାୟ ୪୦ କିମି ଉତ୍ତରରେ, ପୁରୀଠାରୁ ୧୦୦ କିମି ଦକ୍ଷିଣ-ପଶ୍ଚିମରେ ଓ ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୧୬୦ କିମି ଉତ୍ତର-ଉତ୍ତରପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୬ରୁ ୭ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଓ ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ବାତ୍ୟା ‘ଅକଭାନ’ର ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୪.୬ ମିଲିମିଟର ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ାରେ ୬୪.୬ମିମି, ପୁରୀରେ ୬୧.୧ମିମି, ଜଗତସିଂହପୁରରେ ୫୧.୩, ଭଦ୍ରକରେ ୫୦.୯, ମୟୂରଭଞ୍ଜରେ ୪୩.୯, ବାଲେଶ୍ୱରରେ ୪୩.୭ ଓ କଟକରେ ୪୦.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସେହିପରି ଯାଜପୁରରେ ୩୭.୫, ନୟାଗଡ଼ରେ ୩୩.୮, କନ୍ଧମାଳରେ ୩୩.୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯.୮, ଖୋର୍ଦ୍ଧାରେ ୨୪.୫, ବଲାଙ୍ଗୀରରେ ୨୪.୪ ଓ ଗଜପତିରେ ୨୧.୯ ମିଲିମିଟର ବର୍ଷା ହୋଇଛି । ଅଧିକ ବର୍ଷା ଯୋଗୁଁ ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହରାଂଚଳ ରାସ୍ତାରେ ଜମି ରହିଥିବା ପାଣିକୁ ନିଷ୍କାସନ କରିବା ପାଇଁ ମୋଟର ପମ୍ପ ସହିତ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଥିଲେ ମଧ୍ୟ କ୍ଷୟକ୍ଷତି ସମ୍ପର୍କରେ ବିଶେଷ ସୂଚନା ମିଳିପାରି ନାହିଁ। କିଛି ଅଂଚଳରେ ବର୍ଷା ବିତ୍ପାତ ଲାଗି ରହିଥିବାବେଳେ କେତେକ ସ୍ଥାନରେ ଗଛ ଉପୁଡି ପଡ଼ିଥିବା ଓ ଡାଳ ଭାଙ୍ଗିଥିବାର ସୂଚନା ମିଳିଛି। ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ଟିମ୍ ଏବେ ଉଦ୍ଧାର କାର୍ଯ୍ୟ ଓ ରାସ୍ତା ସଫା କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।
ବାତ୍ୟା ଦୁର୍ବଳ ହେବାପରେ ଅବପାତ ଯୋଗୁ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଭୂସ୍ଖଳନର ଆଶଙ୍କା ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଭୂସ୍ଖଳନପ୍ରବଣ ଅଂଚଳ ଉପରେ ଅଗ୍ନିଶମ ବିଭାଗ ସତର୍କ ନଜର ରଖିଛି ବୋଲି ଅଗ୍ନିଶମ ବିଭାଗ ଆଇଜି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଭୂସ୍ଖଳନ ଆଶଙ୍କା ଥିବା ଗାଁଗୁଡ଼ିକର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ଓ କମାଣ୍ଡ ସେଣ୍ଟରରୁ ସମସ୍ତ ସ୍ଥିତିର ନିରନ୍ତର ତଦାରଖ କରାଯାଉଛି। ବର୍ଷା ଯୋଗୁଁ ରାଜ୍ୟର ୫୧ଟି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ୱାଟର ପମ୍ପ ସହାୟତାରେ ଅଧିକାଂଶ ସ୍ଥାନରୁ ଜଳ ନିଷ୍କାସନ କରାଯାଇଛି। ସେହିପରି ଗଛ ଉପୁଡ଼ିବା ନେଇ ଆସିଥିବା ୨୬ଟି ଅଭିଯୋଗ ଆଧାରରେ ପ୍ରାୟ ସମସ୍ତ ରାସ୍ତା ସଫା କରାଯାଇଥିବାବେଳେ ତାରାତାରିଣୀ ପୀଠ ରାସ୍ତାରୁ ତହସିଲଦାର ଓ ଅଗ୍ନିଶମ ବିଭାଗର ମିଳିତ ଟିମ୍ ଗଛ କାଟି ରାସ୍ତା ଅବରୋଧ ହଟାଇଛନ୍ତି। ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ସାରା ରାଜ୍ୟରେ ୨୧୬ଟି ଅଗ୍ନିଶମ ଟିମ୍ ସମସ୍ତ ଆବଶ୍ୟକୀୟ ଉପକରଣ ସହ ପ୍ରସ୍ତୁତ ଥିବାବେଳେ ଭୁବନେଶ୍ୱରରେ ୧୫ଟି ଟିମକୁ ସ୍ୱତନ୍ତ୍ର ଭାବେ ରିଜର୍ଭ ରଖାଯାଇଛି।

ଆଜି ସକାଳେ ମୁଖ୍ୟ ସଚିବ ଅନୁ ଗର୍ଗ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଥିବା ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ସ୍ଥିତି ସମୀକ୍ଷା କରି ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ। ପରେ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଂଚି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟାର ଗତିପଥ ଓ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ ହୋଇଥିବା ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧ ଲକ୍ଷ ୫୪ ହଜାର ୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧ ହଜାର ୯୫୬, ପୁରୀରୁ ୪୦ ହଜାର ୨୯୫, ଗଜପତିରୁ ୨୮ ହଜାର ୬୯୩ ଏବଂ ଖୋର୍ଦ୍ଧାରୁ ୨୩ ହଜାର ୬୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହାସହ ଚିହ୍ନଟ ହୋଇଥିବା ୧୨୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅଦ୍ୟାବଧି ୧୪୫୦ ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି ଓ ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଏହାସହ ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଥିବାବେଳେ ଗୋପାଳପୁର ଓ ପୁରୀ ବନ୍ଦରରେ ୭ ନମ୍ବର ବିପଦ ସଙ୍କେତ ଏବଂ ଧାମରା ଓ ପାରାଦୀପ ବନ୍ଦରରେ ୩ ନମ୍ବର ସ୍ଥାନୀୟ ସତର୍କ ସଙ୍କେତ ବଳବତ୍ତର ରହିଛି।

ବାତ୍ୟା ‘ଅକଭାନ୍‌’ର(Cyclone Akvan) ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ଚୟନ ବୋର୍ଡ ବା ଏସଏସବି ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା କମ୍ପ୍ୟୁଟର ଆଧାରିତ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଆସନ୍ତା ଡିସେମ୍ବର ୩ ଓ ୪ ତାରିଖକୁ ଘୁଂଚାଇ ଦିଆଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ନଭେମ୍ବର ୨୫, ନଭେମ୍ବର ୨୭, ଡିସେମ୍ବର ୧ ଓ ଡିସେମ୍ବର ୨ ତାରିଖର ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିଛି। ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ଟା ପରଠାରୁ ଏସଏସବି ୱେବସାଇଟରୁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
📲Get App