🔥 TRENDING Main Shooter Happy Bahman Arrested Aft... India Rethinks 'Accident' Label for Ro... 4-Year-Old Killed in Kerala Plywood Fa... Researchers Propose Smart Solutions fo... Indian Man Samit Apurva Patel Arrested... *तेज रफ्तार कार ट्रांसफार्मर से टकराई,...
21 Nov 2026•
ગુજરાતી मराठी ਪੰਜਾਬੀ বাংলা

ପିତୃମାତୃହୀନ ୪ ଶିଶୁଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ଦାୟିତ୍ୱ ନେଲା ପ୍ରଶାସନ

✍️ Reporter: Sukumar Mandal 🗓 21 Nov 2026, 07:14 AM 👁 21
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୦ ନଭେମ୍ବର: ମାନବିକତାର ପରିଚୟ ଦେଇ ମାଲକାନଗିରି ଜିଲ୍ଲାର ଚାରିଜଣ ପିତୃମାତୃହୀନ ଶିଶୁଙ୍କ ଯତ୍ନ, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଅନୁଯାୟୀ ଚାରିଜଣ ଶିଶୁଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇବା ସହ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣର ଦାୟିତ୍ୱ ନିଆଯାଇଛି।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ଶିଶୁମାନଙ୍କ ପରିସ୍ଥିତି, ପରିଚୟ ଓ ଶିକ୍ଷାଗତ ଆବଶ୍ୟକତା ଅନୁଧ୍ୟାନ କରିଥିଲେ। ପରେ ଚାରିଜଣ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯାଇ ସ୍ୱୀକୃତିପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି।

ଶିବ ଚିନାମ ଓ ସନ୍ତୋଷ ଚିନାମଙ୍କୁ କୋରୁକୋଣ୍ଡାସ୍ଥିତ ନୀଳାଚଳ ଆଦିବାସୀ ସେବାଶ୍ରମରେ ରଖାଯାଇଥିବା ବେଳେ ମେଘା ଚିନାମ ଓ ମାମାଲି ଚିନାମଙ୍କୁ ମାଲକାନଗିରିସ୍ଥିତ ପରିବର୍ତ୍ତନ ଶିଶୁ ଗୃହରେ ଥଇଥାନ କରାଯାଇଛି।

ଶିଶୁମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇ ସମସ୍ତଙ୍କ ବିଦ୍ୟାଳୟରେ ନାମଲେଖା ସୁନିଶ୍ଚିତ କରାଯାଇଛି। ବଡ଼ ଝିଅ ମାମାଲି ଚିନାମଙ୍କୁ ଦୂରଶିକ୍ଷା ମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ନାମ ଲେଖାଯାଇଛି। ଏଥିସହ ଶିଶୁମାନଙ୍କ ଆଧାର କାର୍ଡ ପ୍ରସ୍ତୁତ କରାଯାଇ ରାସନ କାର୍ଡରେ ନାମ ଅନ୍ତର୍ଭୁକ୍ତ କରାଯାଇଛି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ପୃକ୍ତ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଶିଶୁମାନଙ୍କ ସମସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣଗତ ଆବଶ୍ୟକତା ପୂରଣ କରାଯିବ। ଏଥିସହ ମାମାଲି ଚିନାମଙ୍କ ନାମରେ ଜିଲ୍ଲା ରେଡକ୍ରସ୍ ସୋସାଇଟି ପକ୍ଷରୁ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ପ୍ରଶାସନ ପଦକ୍ଷେପ ନେଇଛି।

ଜିଲ୍ଲାର କୌଣସି ଅସହାୟ ଶିଶୁ ଯେପରି ନିଜର ଅଧିକାରରୁ ବଞ୍ଚିତ ନହୁଏ, ସେଥିପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ଜଣାପଡ଼ିଛି।
📲Get App