🔥 TRENDING Himachal Pradesh Legislative Assembly... Governor Opens Winter Travel Exhibitio... Yogi Adityanath's Mother Passes Away a... Chief Minister to Depart for Uttarakha... 27-Year-Old Arrested After Impersonati... Bulgarian Foreign Minister Velislava P...
20 Nov 2026•
ગુજરાતી मराठी ਪੰਜਾਬੀ বাংলা

କାଲିମେଳାରେ ବନ ବିଭାଗର ବଡ଼ ଚଢ଼ାଉ: ୩୯୦ଟି ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ଜବତ, ବୋଲେରୋ ଛାଡ଼ି ଚାଳକ ଫେରାର

✍️ Reporter: Sukumar Mandal 🗓 20 Nov 2026, 05:03 PM 👁 26
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୦ ନଭେମ୍ବର: ମାଲକାନଗିରି ଜିଲ୍ଲାରେ ବେଆଇନ ବନ୍ୟଜନ୍ତୁ ଚାଲାଣ ବିରୋଧରେ କାଲିମେଳା ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। କାଲିମେଳା ଅଞ୍ଚଳରୁ ୩୯୦ଟି ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ଜବତ କରାଯାଇଛି। ଏହି ଘଟଣାରେ ଚାଲାଣରେ ବ୍ୟବହୃତ ଏକ ମହିନ୍ଦ୍ରା ବୋଲେରୋ ଗାଡ଼ିକୁ ମଧ୍ୟ ବନ ବିଭାଗ ଜବତ କରିଛି। ତେବେ ଗାଡ଼ିର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ, ବେଆଇନ ଭାବେ କଇଁଛ ଚାଲାଣ ଓ ବାଣିଜ୍ୟ ହେଉଥିବା ନେଇ ବିଶେଷ ସୂଚନା ପାଇ ନଭେମ୍ବର ୨୦ ତାରିଖରେ କାଲିମେଳା ବନ ବିଭାଗର ଏକ ଟିମ୍ ଏମ୍‌ପିଭି-୭୪ କୁମ୍ଭାର ସାହି ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ଓଡି-୦୨-ଏଜେ-୧୪୧୦ ନମ୍ବର ବିଶିଷ୍ଟ ଏକ ସନ୍ଦେହଜନକ ମହିନ୍ଦ୍ରା ବୋଲେରୋ ଗାଡ଼ିକୁ ଅଟକାଇବାକୁ ବନ କର୍ମଚାରୀମାନେ ଉଦ୍ୟମ କରିଥିଲେ। ମାତ୍ର ବନ କର୍ମଚାରୀଙ୍କୁ ଦେଖି ଚାଳକ ଗାଡ଼ି ଛାଡ଼ି ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପରେ ବନ ବିଭାଗ ପକ୍ଷରୁ ଗାଡ଼ିଟିକୁ ଯାଞ୍ଚ କରାଯିବାରୁ ସେଥିରେ ୯ଟି ଅଖା ବସ୍ତାରେ ଭର୍ତ୍ତି ହୋଇଥିବା ମୋଟ ୩୯୦ଟି ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ମିଳିଥିଲା। ଏହାପରେ ନିୟମ ଅନୁଯାୟୀ କଇଁଛଗୁଡ଼ିକ ସହ ବୋଲେରୋ ଗାଡ଼ିକୁ ଜବତ କରି କାଲିମେଳା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି।

ଏତେ ସଂଖ୍ୟକ କଇଁଛ କେଉଁଠାରୁ ଆସିଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ଏହା ପଛରେ କେଉଁମାନଙ୍କର ହାତ ରହିଛି, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଫେରାର ଚାଳକଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ମଧ୍ୟ ବନ ବିଭାଗ ଉଦ୍ୟମ ଜାରି ରଖିଛି।
📲Get App