🔥 TRENDING Rishijaan10kf आपके साथ Winter school holidays 2026-27: State-... Dera Bhagat chief Baba Gurinder Singh... ED to Submit Digital Evidence to CBI i... West Bengal government kicks off 2027-... J&K Chief Secretary Inspects Urban Dev...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଫିସର: ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର

✍️ Reporter: Deepak Mahapatra 🗓 20 Nov 2026, 01:15 PM 👁 22
Share: 💬 WhatsApp 📘 Facebook 𝕏 Post
ନିକଟରେ ଓଡ଼ିଶା ରାଜସ୍ୱ ସେବା (ଓଆରଏସ)ର ଜଣେ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଲାଞ୍ଚୁଆ ଅଫିସରଙ୍କ ଉପରେ ଏହାର କାଣିଚାଏ ପ୍ରଭାବ ପଡ଼ିନଥିବା ମନେ ହେଉଛି। କାରଣ ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ। ତାଙ୍କ ନାଁ ଚନ୍ଦନ କୁମାର ନାୟକ। ସେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ତହସିଲଦାର ଭାବେ ନିଯୁକ୍ତ ହୋଇଛନ୍ତି।

ଜଣେ ବ୍ୟକ୍ତିଙ୍କ ଚାଷ ଜମିକୁ ଘରବାଡ଼ି ଜମିରେ ପରିଣତ କରିବାକୁ ଓ ପଟ୍ଟା ପ୍ରଦାନ କରିବାକୁ ତହସିଲଦାର ଶ୍ରୀ ନାୟକ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ତହସିଲଦାରଙ୍କ ସହିତ ତାଙ୍କ ଡ୍ରାଇଭର ପଙ୍କଜ ସିପକାଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ। ସେ ବି ଏହି ଲାଞ୍ଚ କାରବାରରେ ସଂପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଉକ୍ତ ବ୍ୟକ୍ତି ଜଣଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ନିୟମ ପ୍ରକାରେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ସେହି ଅନୁସାରେ ରାଜସ୍ୱ ନିରୀକ୍ଷକ (ଆରଆଇ) ସ୍କେଚ୍ ମ୍ୟାପ୍ ସହିତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ସତ୍ତ୍ୱେ ତହସିଲଦାର ଶ୍ରୀ ନାୟକ ଫାଇଲକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। କାମ କରିଦେବା ପାଇଁ ସେ ଆବେଦନକାରୀଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ତା’ ସହିତ ତାଙ୍କ ଡ୍ରାଇଭରଙ୍କୁ ଅତିରିକ୍ତ ଦୁଇ ହଜାର ଟଙ୍କା ଦେବା ପାଇଁ ସେ କହିଥିଲେ।

ତହସିଲଦାର ଲାଞ୍ଚ ମାଗିବା ପରେ ଆବେଦନକାରୀ ଘଟଣା ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ପ୍ରକାରେ ଆଜି ସେ ତହସିଲଦାରଙ୍କୁ ଭେଟି ଲାଞ୍ଚ ଅର୍ଥ ଦେଇଥିଲେ। ତହସିଲଦାର ଶ୍ରୀ ନାୟକ ତାଙ୍କ ଡ୍ରାଇଭରଙ୍କ ଜରିଆରେ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଲାଞ୍ଚ ନେଇ ଧରାପଡ଼ିବା ପରେ ତହସିଲଦାର ଶ୍ରୀ ନାୟକଙ୍କ ଦୁଇଟି ଠିକଣା ସହିତ ଡ୍ରାଇଭର ପଙ୍କଜ ସିପକାଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ। ସେମାନେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

ପ୍ରବୋସେନରେ ଥିଲେ ଓଆରଏସ ଅଧିକାରୀ

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ନଭେମ୍ବର ୧୦ ତାରିଖରେ ଚାକିରିରୁ ବରଖାସ୍ତ କରିଛନ୍ତି।

ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପ୍ରୋବେସନ୍ ଅବଧିରେ ଥିବାବେଳେ ବାଲିଆପାଳରେ ସବ୍‌-ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଥିଲେ।

ତାଙ୍କୁ ବରଖାସ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ରାଜ୍ୟପାଳଙ୍କ ଆଦେଶାନୁସାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନେଇଥିଲେ ଏହି କାର୍ଯ୍ୟାନୁଷ୍ଠାନ। ଓଡ଼ିଶା ସରକାର କର୍ମଚାରୀ ଆଚରଣ ନିମୟ, ୧୯୫୯ (୩) ଉଲ୍ଲଂଘନ କରିଥିବାରୁ ମନୀଷା ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି

ମନୀଷା ମିଶ୍ର ଲାଞ୍ଚ ନେଇ ଧରାପଡ଼ିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ବିଭାଗର ସମସ୍ତ ସହକର୍ମୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ। ସେଥିରେ ସେ ସହକର୍ମୀମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବା ପାଇଁ କହିଥିଲେ। ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣକୁ ବଦଳାଇବା ପାଇଁ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ସେ ଅପିଲ କରିଥିଲେ। କିନ୍ତୁ ତହସିଲଦାର ଚନ୍ଦନ କୁମାର ନାୟକ ଉପରେ ଏହାର କିଛି ପ୍ରଭାବ ପଡ଼ିନଥିବା ମନେ ହେଉଛି।

ଉକ୍ତ ଚିଠିରେ ଡ. ଅରବିନ୍ଦ କୁମାର ପାଢ଼ୀ ଲେଖିଥିଲେ, ସରକାରୀ ଚାକିରି କେବଳ ଜୀବୀକା ନିର୍ବାହର ମାଧ୍ୟମ ନୁହେଁ, ଏହା ଜନସାଧାରଣଙ୍କ ସେବା କରିବାର ଏକ ସୁଯୋଗ। ଦୁର୍ନୀତି ଜଣେ ଅଧିକାରୀକୁ କଳଙ୍କିତ କରେ। ଯାହାଫଳରେ ସମଗ୍ର ବିଭାଗର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୁଏ। ପ୍ରଶାସନ ଉପରେ, ସର୍ବୋପରି ସରକାରୀ କଳ ଉପରେ ଜନସାଧାରଣଙ୍କ ବିଶ୍ଵାସ ରହେ ନାହିଁ। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଦୁର୍ନୀତି ପ୍ରତି ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ ଦିଗରେ ଆମେ ବିଭାଗ ସର୍ବଦା ପ୍ରତିବଦ୍ଧ ରହିଛି। ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଆଇନ ଓ ସେବା ନିୟମ ଅନୁଯାୟୀ ଚାକିରିରୁ ବହିଷ୍କାର ସମେତ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ କରାଯିବ ମଧ୍ୟ। ମୋର ଦୃଢ଼ ବିଶ୍ୱାସ, ବିଭାଗରେ ଅନେକ ସଚ୍ଚୋଟ, ସାହସୀ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି, ଯେଉଁମାନେ ସମାଜରେ ଦୃଶ୍ୟମାନ ପରିବର୍ତ୍ତନ ଆଣିପାରିବେ। ଅସଦ୍ ଉପାୟରେ ଅର୍ଜିତ ଧନ ବା କ୍ଷମତାଠାରୁ ନିର୍ମଳ ବିବେକ, ଆତ୍ମସମ୍ମାନ ଓ ଶାନ୍ତିପୂର୍ଣ୍ଣ ଜୀବନ ଅଧିକ ମୂଲ୍ୟବାନ।
ଆସନ୍ତୁ, ଆମେ ସମସ୍ତେ ଆତ୍ମସମୀକ୍ଷା କରିବା ଏବଂ ଏକ ସ୍ୱଚ୍ଛ, ସଚୋତ, ଦୁର୍ନୀତିମୁକ୍ତ ଓ ଜନସେବା ପ୍ରତି ସମର୍ପିତ ବିଭାଗ ଗଢ଼ିବା ପାଇଁ ସଂକଳ୍ପ ନେବା। ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣକୁ ଆମକୁ ବଦଳାଇବାକୁ ପଡ଼ିବ। ଆମ ବିବେକ ହେଉ ଆମର ମାର୍ଗଦର୍ଶକ, ଆଉ ଜନସାଧାରଣଙ୍କ ବିଶ୍ଵାସ ହେଉ ଆମର ସର୍ବଶ୍ରେଷ୍ଠ ପୁଞ୍ଜି।
📲Get App