🔥 TRENDING బొప్పాపూర్ గ్రామంలో ఇందిరమ్మ కుటుంబ జీ... હિંમતનગરમાં વિશ્વ શૌચાલય દિવસ ૨૦૨૬ માટ... उत्तर प्रदेश Bengaluru’s Classical Duo Breaks Stere... Cincinnati Zoo’s Hippo Fiona Dies Afte... Gold price drops below ₹1.23 lakh per...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Sports

ହକି ଇଣ୍ଡିଆକୁ ହାଇକୋର୍ଟଙ୍କ ଝଟକା, ଅନ୍ତରୀଣ ଆବେଦନ ଖାରଜ; ବଳବତ୍ତର ରହିଲା ରହିତାଦେଶ

✍️ Reporter: Deepak Mahapatra 🗓 20 Nov 2026, 11:23 AM 👁 29
Share: 💬 WhatsApp 📘 Facebook 𝕏 Post
କଟକ: ହକି ଇଣ୍ଡିଆକୁ ଓଡ଼ିଶା ହାଇକୋର୍ଟରୁ ଲାଗିଛି ବଡ଼ ଝଟକା। ହକି ଆସୋସିଏସନ ଅଫ୍ ଓଡ଼ିଶାକୁ ନେଇ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ ଏବଂ ହକି ଇଣ୍ଡିଆର ନିର୍ବାଚନ ପ୍ରକ୍ରିୟା ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ହଟାଇବାକୁ ହକି ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ନଭେମ୍ବର ୬ ତାରିଖରେ ଜାରି ହୋଇଥିବା ରହିତାଦେଶ ପୂର୍ବଭଳି ବଳବତ୍ତର ରହିବ।

ଜଷ୍ଟିସ୍ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ହକି ଇଣ୍ଡିଆର ଅନ୍ତରୀଣ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ମୂଳ ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ପୂର୍ବ ଆଦେଶ କାଏମ ରହିବ ବୋଲି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି।

କାହିଁକି ହାଇକୋର୍ଟ ଯାଇଥିଲା ହକି ଆସୋସିଏସନ ଅଫ୍ ଓଡ଼ିଶା?

ହକି ଇଣ୍ଡିଆ ପକ୍ଷରୁ ଗତ ଅକ୍ଟୋବର ମାସରେ ହକି ଆସୋସିଏସନ ଅଫ୍ ଓଡ଼ିଶାକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ହକି ଇଣ୍ଡିଆର ବାଇ-ଲ' ଅନୁପାଳନରେ ଅବହେଳା ଏବଂ ଜିଲ୍ଲା ହକି ସଂଘଗୁଡ଼ିକର ପରିଚାଳନାରେ ଅନିୟମିତତା ଥିବା ଅଭିଯୋଗ ଏହି ନୋଟିସ୍‌ର ଆଧାର ଥିଲା।

ଏହା ସହିତ ହକି ଆସୋସିଏସନ ଅଫ୍ ଓଡ଼ିଶାର ସ୍ଥାୟୀ ସଦସ୍ୟତାକୁ ରଦ୍ଦ କରି ଆସୋସିଏଟ୍ ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିଲା। ଏହାପରେ ହକି ଇଣ୍ଡିଆର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା।ହକି ଇଣ୍ଡିଆର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହକି ଆସୋସିଏସନ ଅଫ୍ ଓଡ଼ିଶା ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲା।

ନଭେମ୍ବର ୬ରେ ଲାଗିଥିଲା ରୋକ୍

ହକି ଆସୋସିଏସନ ଅଫ୍ ଓଡ଼ିଶାର ଆବେଦନ ଉପରେ ନଭେମ୍ବର ୬ ତାରିଖରେ ଶୁଣାଣି କରି ହାଇକୋର୍ଟ ହକି ଇଣ୍ଡିଆ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥିସହ ଆସୋସିଏସନକୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ ଏବଂ ହକି ଇଣ୍ଡିଆର ନିର୍ବାଚନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିଲେ।

ଏହି ରହିତାଦେଶକୁ ଉଠାଇବା ପାଇଁ ହକି ଇଣ୍ଡିଆ ପରବର୍ତ୍ତୀ ସମୟରେ ଅନ୍ତରୀଣ ଆବେଦନ ଦାଖଲ କରିଥିଲା। ତେବେ ହାଇକୋର୍ଟ ଏହାକୁ ଖାରଜ କରିଦେବାରୁ ଓଡ଼ିଶା ହକି ସଂଘ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଅଗ୍ରଗତି ଭାବେ ଦେଖାଯାଉଛି।
📲Get App