🔥 TRENDING ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ TPSODLର... Madras High Court bans opening of new... Madhya Pradesh Records 8.9°C Low, 20 D... Fake APK Scam Drains Bank Accounts in... Herbal Remedy for Alcohol Addiction Cl... EOU raids four properties of Bajpatti...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଓଡ଼ିଶାମୁହାଁ ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’: ନରସାପୁର-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା, ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ

✍️ Reporter: Deepak Mahapatra 🗓 19 Nov 2026, 11:48 AM 👁 20
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ଅକ୍ଭାନ୍’ ଏବେ ଓଡ଼ିଶା ମୁହାଁଇଛି। ତିନି ଦିନ ଧରି ଗତିପଥ ବଦଳାଇବା ପରେ ବାତ୍ୟାଟି ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସୂଚନା ଅନୁଯାୟୀ, ବାତ୍ୟାଟି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ୪୮୦ କିମି ଦକ୍ଷିଣପୂର୍ବ, କଳିଙ୍ଗପଟ୍ଟନମ୍ଠାରୁ ୫୨୦ କିମି, ଓଡ଼ିଶାର ଗୋପାଳପୁରଠାରୁ ୬୧୦ କିମି ଏବଂ ପୁରୀଠାରୁ ୬୭୦ କିମି ଦକ୍ଷିଣରେ ରହିଛି। ଘଣ୍ଟାପ୍ରତି ୧୦ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଥିବା ଏହି ବାତ୍ୟା ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ।

ବାତ୍ୟାର ଗତିପଥ ଓ ପବନର ବେଗ

• ସମ୍ଭାବ୍ୟ ଲ୍ୟାଣ୍ଡଫଲ୍:
ଆଇଏମ୍ଡି ଆକଳନ ମୁତାବକ, ୨୦ ତାରିଖ ମଧ୍ୟାହ୍ନରେ ନରସାପୁର-ପୁରୀ ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ। ତେବେ ଗୋପାଳପୁରରୁ କଳିଙ୍ଗପଟ୍ଟନମ୍ ମଧ୍ୟରେ ଏହା ଉପକୂଳ ଛୁଇଁବାର ଅଧିକ ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ମତରେ, ୨୦ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ।

• ପବନର ବେଗ:
ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବା ସହ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁଯାୟୀ, ସ୍ଥଳଭାଗ ଛୁଇଁବା ସମୟରେ ଏହା ସାମାନ୍ୟ ଦୁର୍ବଳ ହୋଇ ପବନ ବେଗ ୬୫ରୁ ୭୫ କିମି ଏବଂ ଝଟକା ପବନ ୮୩ କିମି ରହିପାରେ।

• ସମୁଦ୍ର ସ୍ଥିତି:
ଉପକୂଳ ଓ ସମୁଦ୍ର ଅଶାନ୍ତ ରହିଥିବା ବେଳେ ୧୯ ତାରିଖ ସକାଳରୁ ୨୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ପବନ ବେଗ ୭୦ରୁ ୮୦ କିମି ଓ ଝଟକା ପବନ ୯୦ କିମି ହୋଇପାରେ। ୨୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ବର୍ଷା ଓ ସତର୍କ ସୂଚନା

ବାତ୍ୟା ପ୍ରଭାବରେ ଓଡ଼ିଶାରେ ପାଗ ବଦଳିବା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ସକାଳଠାରୁ ବର୍ଷା ବଢ଼ିବ।

ସତର୍କତା / ପ୍ରଭାବ ପ୍ରଭାବିତ ଜିଲ୍ଲା ବିବରଣୀ
ରେଡ୍ ଆଲର୍ଟ (୨୦ ତାରିଖ)
ପୁରୀ, ଗଞ୍ଜାମ, ଖୋରଧା, ଗଜପତି, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ପବନ ବେଗ ୬୦-୭୦ କିମି (ଝଟକା ୮୦ କିମି) ସମ୍ଭାବନା

ରେଡ୍ ଆଲର୍ଟ (ଶୁକ୍ରବାର ସକାଳ ସୁଦ୍ଧା) ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ଜଗତସିଂହପୁର, ଗଜପତି, ପୁରୀ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା

ରେଡ୍ ଆଲର୍ଟ (ଲ୍ୟାଣ୍ଡଫଲ୍ ସମୟରେ) ବାଲେଶ୍ୱର, ମୟୂରଭଞ୍ଜ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା

ଅରେଞ୍ଜ ଆଲର୍ଟ / ୱାର୍ଣ୍ଣିଂ
ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, ଗଞ୍ଜାମ, ପୁରୀ ପ୍ରବଳରୁ ଅତିପ୍ରବଳ ବର୍ଷା

ଏହାଛଡ଼ା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁରରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଝଟକା ପବନ ୭୦ କିମି ଛୁଇଁପାରେ।

ସରକାରୀ ପ୍ରସ୍ତୁତି ଓ ସ୍ଥାନାନ୍ତରଣ
ବାତ୍ୟା ‘ଅକ୍ଭାନ୍’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଏସ୍ଆର୍ସି କଣ୍ଟ୍ରୋଲ ରୁମ୍ରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଜିରୋ କାଜୁଆଲଟି’ ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି।

ଲୋକଙ୍କୁ ସ୍ଥାନାନ୍ତର: ରେଡ୍ ୱାର୍ଣ୍ଣିଂ ଥିବା ଅଞ୍ଚଳରୁ ୪୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଛି। କେବଳ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ପାହାଡ଼ ତଳି ଅଞ୍ଚଳରୁ ଲୋକଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଶାସନିକ ବ୍ୟବସ୍ଥା: ଉଦ୍ଧାର ଓ ରିଲିଫ୍ ପାଇଁ ଆଗୁଆ ପାଣ୍ଠି ମଞ୍ଜୁର କରାଯାଇଛି। ସାତଟି ଜିଲ୍ଲାରେ ପ୍ରସ୍ତୁତି ଓ ଥଇଥାନ ତଦାରଖ ପାଇଁ ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ବୈଠକରେ ଉପସ୍ଥିତି: ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି. କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୨୦ଟି ଜିଲ୍ଲାର ଜିଲ୍ଲାପାଳ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଜରୁରୀ ମରାମତି ପାଇଁ ଇଞ୍ଜିନିୟରିଂ ବିଭାଗଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।
📲Get App