🔥 TRENDING Bihar Weather Forecast: Expect Tempera... Gwalior Doctor Fined ₹2.22 Lakh for Tr... ଆଜି ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ, ଯୋଗ... न्यायालयीन कर्मचाऱ्यांचा बेमुदत संप, ३... ପାରାଦ୍ୱୀପ ବନ୍ଦର ପକ୍ଷରୁ ବଡ଼ ରେସ୍କ୍ୟୁ ଅପ... अंबेडकर नगर में ट्रक ने बाइक सवार को क...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

'ଆକଭାନ୍‌' ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି: ୮ ଜିଲ୍ଲାରେ ସରକାରୀ ଛୁଟି ବାତିଲ, ୨୬୪ ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ ସହ ଡ୍ୟାମରୁ ଛଡ଼ାଯାଉଛି ପାଣି

✍️ Reporter: Deepak Mahapatra 🗓 17 Nov 2026, 11:54 AM 👁 27
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ‘ଆକଭାନ୍‌’ର ରୂପ ନେବାପରେ ରାଜ୍ୟ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି। ଆସନ୍ତା ୨୦ତାରିଖ ମଧ୍ୟାହ୍ନରେ ଏହା ‘ଅତି ଭୀଷଣ ବାତ୍ୟା’ ରୂପ ଧାରଣ କରି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ତଥା ୮ଜିଲ୍ଲାରେ ସରକାରୀ ଛୁଟି ବାତିଲ ସହ ୨୬୪ ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି।



ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଘଣ୍ଟାପ୍ରତି ୧୦ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ବାତ୍ୟା ‘ଆକଭାନ୍‌’ରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୭୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଆସନ୍ତାକାଲି ଅର୍ଥାତ୍ ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟା ଓ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ। ୨୦ ତାରିଖ ମଧ୍ୟାହ୍ନ ବେଳକୁ ଏହା ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ବେଗରେ ପବନ ସହ ଆନ୍ଧ୍ରପ୍ରଦେଶର ନେଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣଓଡ଼ିଶା ଉପକୂଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଆଜି ପ୍ରସ୍ତୁତି ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପୂର୍ବ ବାତ୍ୟା ‘ଅର୍ଣ୍ଣବ’ ଯେଉଁଠାରେ ଲ୍ୟାଣ୍ଡଫଲ୍ କରିଥିଲା, ଏହି ବାତ୍ୟା ତା’ଠାରୁ ସାମାନ୍ୟ ଦୂରରେ ସ୍ଥଳଭାଗ ଛୁଇଁବ। ତଥାପି ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବାକୁ ଥିବାରୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।

ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଭଳି ୮ଟି ଜିଲ୍ଲାରେ ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଛୁଟି ବାତିଲ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ।
ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବଦିନ ଅର୍ଥାତ୍ ୧୮ ତାରିଖରୁ ବର୍ଷା ବଢ଼ିବା ସହ ୧୯ ଓ ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବିଶେଷକରି ଗଞ୍ଜାମ, ପୁରୀ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ, ଆସନ୍ତାକାଲି ସୁଦ୍ଧା ସମସ୍ତ ଜିଲ୍ଲାକୁ ଶୁଖିଲା ଖାଦ୍ୟ, ପିଇବା ପାଣି ଓ ଔଷଧ ପଠାଇ ଦିଆଯିବ। ଭାରତୀୟ ନୌସେନାକୁ ଷ୍ଟାଣ୍ଡବାଏରେ ରଖାଯାଇଥିବାବେଳେ ମୁଖ୍ୟ ସଚିବ କେନ୍ଦ୍ର ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛନ୍ତି ଓ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ସମେତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ବାତ୍ୟା ‘ଅର୍ଣ୍ଣବ’ ସମୟରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବାରୁ ଏଥର ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି। ଜିଲ୍ଲାପାଳମାନଙ୍କୁ ଭୂସ୍ଖଳନ ପ୍ରବଣ ପାହାଡ଼ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ଏପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ୧୪୭ଟି, କନ୍ଧମାଳରେ ୬୨ଟି ଓ ରାୟଗଡ଼ାରେ ୫୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇସାରିଛି। ଟେଲିକମ୍ୟୁନିକେସନ୍ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ଅସ୍ଥାୟୀ ମୋବାଇଲ ଟାୱାର ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ମୁକାବିଲା ପାଇଁ ମୋଟ ୭୪ଟି ଉଦ୍ଧାରକାରୀ ଟିମ୍ ମୁତୟନ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ଏଥିରେ ୬୦ଟି ଓଡ୍ରାଫ୍ ଓ ୧୪ଟି ଏନଡିଆରଏଫ୍ ଟିମ୍ ସାମିଲ ଅଛନ୍ତି। ଏହି ଦଳଗୁଡ଼ିକୁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ପୁରୀ ସମେତ ଅନ୍ୟାନ୍ୟ ପ୍ରଭାବିତ ଜିଲ୍ଲାରେ ଆଗୁଆ ମୁତୟନ କରାଯିବ। ଏହା ସହ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ, ଡଙ୍ଗା, ଯାନବାହନ, ଆଲୋକୀକରଣ ଓ ଅନ୍ୟାନ୍ୟ ଜରୁରୀ ଉପକରଣର ସ୍ଥିତି ଯାଞ୍ଚ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ବଡ଼ଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀବନ୍ଧ ଓ କେନାଲ ବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଅନେକ ଜଳଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଥିବା ବଡ଼ ବଡ଼ ଘାଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମରାମତି ହୋଇପାରିନାହିଁ। ତେଣୁ ଆଗାମୀ ବର୍ଷାରେ ବନ୍ଧ ଉପରେ ଅତିରିକ୍ତ ଚାପ ନପଡ଼ିବା ପାଇଁ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଖାଲି ସ୍ଥାନ ସୃଷ୍ଟି କରାଯାଉଛି। ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଜଳଭଣ୍ଡାରଗୁଡ଼ିକର ଜଳସ୍ତରକୁ ୫୦ ପ୍ରତିଶତକୁ ଖସାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗୀୟ ସଚିବଙ୍କସ୍ତରରେ ଲଗାତାର ସମୀକ୍ଷା ବୈଠକ କରାଯାଉଥିବାବେଳେ ଆସନ୍ତାକାଲି ଜଳ ସମ୍ପଦ ବିଭାଗ ସଚିବ ଗଞ୍ଜାମ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବେ। ଋଷିକୂଲ୍ୟା ବେସିନର ୬ଟି, ବାହୁଦା ବେସିନର ୨ଟି ଓ ବଂଶଧାରା ବେସିନର ୨ଟି ମଧ୍ୟମ ଧରଣର ଜଳଭଣ୍ଡାର ସମେତ କୋଲାବ, ଇନ୍ଦ୍ରାବତୀ, ବାଲିମେଳା ଓ ତେଲେଙ୍ଗିରି ଭଳି ବଡ଼ ଡ୍ୟାମ୍ ଉପରେ କଡ଼ା ନଜର ରଖାଯାଇଛି।

ନଦୀର ଜଳଧାରଣ କ୍ଷମତା ଓ ତଳିଆ ଅଂଚଳର ସ୍ଥିତିକୁ ଦେଖି ବାଘୁଆ ଡ୍ୟାମରୁ ୨୫ କ୍ୟୁସେକ୍‌, ଭଟ୍ଟେଶ୍ୱରରୁ ୫୦୦ କ୍ୟୁସେକ୍‌, ବଡ଼ନଳାରୁ ୨୪ କ୍ୟୁସେକ୍ ଓ ଧରମଙ୍ଗିରିରୁ ୮୭କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି। ଆସନ୍ତା ୧୯ତାରିଖ ସୁଦ୍ଧା ମଧ୍ୟମ ଜଳଭଣ୍ଡାରଗୁଡ଼ିକୁ ପ୍ରାୟ ୬୦ପ୍ରତିଶତ ଓ ଡହର ଜଳଭଣ୍ଡାରକୁ ପ୍ରାୟ ୫୦ପ୍ରତିଶତ ଜଳସ୍ତରକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରିଜ୍ ଓ ରେଳଲାଇନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିକଟରେ ନଦୀର ଜଳସ୍ତର ଯେପରି ବିପଦ ସଙ୍କେତ ଟପି ନଯାଏ, ସେଥିପ୍ରତି ୨୪ ଘଣ୍ଟିଆ ନଜର ରଖିବା ସହ ଶନିବାର ଓ ରବିବାର ମଧ୍ୟ ଛୁଟିରେ ନରହିବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସମସ୍ତ ଇଞ୍ଜିନିୟର ଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
📲Get App