🔥 TRENDING लोक आस्था और सेवा का अनूठा संगम: जेन-ज... जफराबाद पुलिस का बड़ा खुलासा, बैंक में... मेंड्रा गुनघुटा नदी के श्रीराम छठ घाट... हरिद्वार के मंगलौर विधानसभा क्षेत्र मे... પાટણમાં ક્ષત્રિય ઠાકોર સમાજનું સ્નેહમિ... CoTU Launches Non-Cooperation Protest...
15 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ: ୧୬୧ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ୪,୨୦୦ କୋଟିରେ ହେବ ଦୁଇଟି ଶିଳ୍ପ ପ୍ରକଳ୍ପ

✍️ Reporter: Sukumar Mandal 🗓 15 Nov 2026, 07:48 PM 👁 31
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୫ ନଭେମ୍ବର: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଗୌରବ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଜାତୀୟ ଜନଜାତୀୟ ଗୌରବ ଦିବସ ମାଲକାନଗିରିଠାରେ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୧୬୧ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ସହ ଜିଲ୍ଲାରେ ୪,୨୦୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନଜାତି ସମାଜ ଦେଶର ଏକ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ବର୍ଗ। ସେମାନଙ୍କ ସଶକ୍ତିକରଣ ବିନା ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ସମ୍ଭବ ନୁହେଁ। ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଆଜି ମଧ୍ୟ ସମଗ୍ର ଜନଜାତି ସମାଜକୁ ପ୍ରେରଣା ଯୋଗାଉଛି। ଜନଜାତିଙ୍କ ଗୌରବମୟ ଇତିହାସ, ଭାଷା, କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଆଗାମୀ ପିଢ଼ି ମଧ୍ୟରେ ଏହା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ମାଲକାନଗିରି ଜିଲ୍ଲାର ମୋଟ ଜନସଂଖ୍ୟାର ୫୮ ପ୍ରତିଶତ ଜନଜାତି ବର୍ଗର ହୋଇଥିବାରୁ ଏହି ଜିଲ୍ଲାର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଜିଲ୍ଲାରେ ୪,୨୦୦ କୋଟି ଟଙ୍କାର ଦୁଇଟି ଶିଳ୍ପ ପ୍ରକଳ୍ପ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ। ଏଥିସହ ମାଲକାନଗିରିର ସାମଗ୍ରିକ ବିକାଶ ପାଇଁ ଟିମ୍‌ ମାଲକାନଗିରି ଗଠନ କରି ଟିମ୍‌ ଓଡ଼ିଶା ସହ ମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ୧୬୧ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରୁ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୮ଟି ନୂତନ ଛାତ୍ରାବାସକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହାଦ୍ୱାରା ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଆବାସିକ ସୁବିଧାରେ ଉନ୍ନତି ଆସିବ। ସେହିପରି ୧୦୬ କୋଟି ଟଙ୍କା ବ୍ୟୟରେ ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ଜନଜାତି ପରିବାରଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାର 'ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦' ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକ୍‌ର ପ୍ରାୟ ୮ ଲକ୍ଷ ଅନୁସୂଚିତ ଜନଜାତି ଓ ବିଶେଷ ଅନୁନ୍ନତ ଜନଜାତି ପରିବାରକୁ ସଶକ୍ତ କରିବାର ଲକ୍ଷ୍ୟ ରହିଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ଓଡ଼ିଶାକୁ ପ୍ରଥମେ ୪ ଲକ୍ଷ ଘର ଆବଣ୍ଟନ ହୋଇଥିବା ବେଳେ ଅନୁରୋଧ ପରେ ଏହାକୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଆଉ ୧ ଲକ୍ଷ ଘର ପାଇଁ ମଧ୍ୟ ଦାବି କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଉଚ୍ଚଶିକ୍ଷାରେ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସହ ରାଜ୍ୟରେ ଏକକାଳୀନ ୨୪ଟି ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇ ମୋଟ ସଂଖ୍ୟା ୭୧ରେ ପହଞ୍ଚିଥିବା ସେ କହିଥିଲେ।

ଏହାସହ 'ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ' ଅଧୀନରେ ଓଡ଼ିଶାର ୨୭ଟି ଜିଲ୍ଲାର ୭,୬୬୭ଟି ଗ୍ରାମକୁ ସାମିଲ କରାଯାଇ ପକ୍କା ଘର, ପାନୀୟ ଜଳ, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। ମାଲକାନଗିରିର ବଣ୍ଡା ଓ ଦିଦାୟୀ ଜନଜାତିର ଯୁବପିଢ଼ି ଡାକ୍ତରୀ ଶିକ୍ଷା ଓ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିବା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଦିଦାୟୀ ଜନଜାତିର ଦୁଇଜଣ ପିଏଚ୍‌ଡି ଛାତ୍ର ଓ ଜଣେ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷା ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବିର୍ସା ମୁଣ୍ଡାଙ୍କୁ ଜନଜାତି ସମାଜର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ବିର୍ସା ମୁଣ୍ଡାଙ୍କ ସଂଗ୍ରାମକୁ ସେ ସ୍ମରଣ କରିଥିଲେ।

ଏହି ରାଜ୍ୟସ୍ତରୀୟ ସମାରୋହରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ ଏବଂ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଜନଜାତି ଭାଇଭଉଣୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
📲Get App