🔥 TRENDING Two New Railway Lines Proposed to Link... Video: ಯುವಜನ ಚಳುವಳಿ ಅಧ್ಯಯನ ಶಿಬಿರ ಉದ್ದೇ... ପ୍ରଧାନମନ୍ତ୍ରୀ ପଦକୁ ନେଇ ଦ୍ୱନ୍ଦ୍ୱରେ ଥିଲେ... ମେନକାଙ୍କୁ ନେଇ ଗାନ୍ଧୀ ପରିବାରରେ ବଢ଼ିଥିଲା... भोरमध्ये दिवाळीच्या भाऊबीजेदिवशी कबूतर... Fire engulfs Sher-e-Punjab restaurant...
11 Nov 2026•
ગુજરાતી मराठी ਪੰਜਾਬੀ বাংলা
Agriculture

କୃଷି ଓ ଚାଷୀଙ୍କ ଉନ୍ନତି ପାଇଁ ଓଡ଼ିଶା ସରକାର-ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌ ମଧ୍ୟରେ ଚୁକ୍ତି

✍️ Reporter: Deepak Mahapatra 🗓 11 Nov 2026, 01:02 PM 👁 11
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟର କୃଷି କ୍ଷେତ୍ରକୁ ନୂଆ ଦିଗ ଦେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ (MSSRF) ସହ ରାଜ୍ୟ ସରକାର ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି। ଏହି ସହଭାଗିତା ମାଧ୍ୟମରେ କୃଷି ଗବେଷଣା, ପୁଷ୍ଟି ସୁରକ୍ଷା, ପରିବେଶ ସଂରକ୍ଷଣ ଓ ଗ୍ରାମୀଣ ଅର୍ଥନୀତିର ବିକାଶକୁ ଗୁରୁତ୍ୱ ଦିଆଯିବ।
ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ଉଚ୍ଚପଦସ୍ଥ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍‌ ମଧ୍ୟ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭାଶ୍ରୀ ନନ୍ଦ ଏବଂ ଫାଉଣ୍ଡେସନ୍‌ ପକ୍ଷରୁ ଡ. ସୌମ୍ୟା ସ୍ୱାମୀନାଥନ୍‌ ଚୁକ୍ତିପତ୍ରରେ ଦସ୍ତଖତ କରିଥିଲେ।
ଏହି ଚୁକ୍ତି ଅନୁଯାୟୀ, ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌ ରାଜ୍ୟ ସରକାରଙ୍କ ବୈଷୟିକ ଜ୍ଞାନ ସହଯୋଗୀ ଭାବେ କାମ କରିବ। କୃଷି, ସ୍ୱାସ୍ଥ୍ୟ, ପୁଷ୍ଟି, ପରିବେଶ ଓ ଜୀବିକା ସମ୍ପର୍କିତ ବିଭିନ୍ନ ଯୋଜନାର ରୂପରେଖ ପ୍ରସ୍ତୁତି, ଗବେଷଣା ଏବଂ କାର୍ଯ୍ୟକାରିତାରେ ସଂସ୍ଥା ପକ୍ଷରୁ ବୈଷୟିକ ସହାୟତା ମିଳିବ। ବିଶେଷକରି ଆଧୁନିକ ବିଜ୍ଞାନ ସହ ପାରମ୍ପରିକ କୃଷି ଜ୍ଞାନକୁ ଯୋଡ଼ି ଚାଷ ବ୍ୟବସ୍ଥାକୁ ଅଧିକ ଲାଭଦାୟକ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟ ରହିଛି।
ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରିପାରୁଥିବା ଚାଷ ପଦ୍ଧତି, ମିଲେଟ୍‌ ଚାଷର ସମ୍ପ୍ରସାରଣ, ବିକଳ୍ପ ଫସଲର ପ୍ରଚାର ଏବଂ ଦେଶୀ ବିହନର ସଂରକ୍ଷଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ରହିବ। ଏହା ସହ କୃଷି ଜୈବବିବିଧତାର ସୁରକ୍ଷା ଓ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ଗଠନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।
ଏହି ପ୍ରକଳ୍ପରେ ମହିଳା ଚାଷୀଙ୍କ ଭୂମିକାକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର୍‌ ଦିଆଯିବ। ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ଉଦ୍ୟୋଗ ପ୍ରତିଷ୍ଠା, ଉତ୍ପାଦର ବଜାରୀକରଣ ଓ ଆୟ ବୃଦ୍ଧି ପାଇଁ ସହଯୋଗ ଯୋଗାଇ ଦିଆଯିବ। ସରକାରଙ୍କ 'ସୁଭଦ୍ରା ଫାଷ୍ଟ' ଆଭିମୁଖ୍ୟ ଅନୁସାରେ ମହିଳା ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରକୁ ବିଭିନ୍ନ ଜୀବିକା ସୁଯୋଗ ସହ ଯୋଡ଼ିବାକୁ ଯୋଜନା ରହିଛି।
କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ 'ବାୟୋ-ହାପିନେସ୍‌' କେନ୍ଦ୍ର ସ୍ଥାପନ କରିବାକୁ ମଧ୍ୟ ଏହି ସହଭାଗିତାରେ ପ୍ରସ୍ତାବ ରହିଛି। ଏହାଦ୍ୱାରା ପରିବେଶ ଅନୁକୂଳ କୃଷି, ଜୈବବିବିଧତା ପରିଚାଳନା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସମ୍ପର୍କିତ ଗବେଷଣାକୁ ଆଗକୁ ନିଆଯିବ। ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳରେ ସ୍ଥାନୀୟ ଖାଦ୍ୟ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସେବାର ଉନ୍ନତି ସହ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଯୋଜନା କରାଯାଇଛି।
ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ମଧ୍ୟ ଏହି ଚୁକ୍ତିରେ ସ୍ଥାନ ମିଳିଛି। ଉପକୂଳ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ଆୟ ବୃଦ୍ଧି ପାଇଁ 'ଫିସର ଫ୍ରେଣ୍ଡ' ମୋବାଇଲ୍‌ ଆପ୍‌ର ଉନ୍ନତିକରଣ, ଡିଜିଟାଲ୍‌ ସେବାର ସମ୍ପ୍ରସାରଣ ଏବଂ ମାଛ ଓ ଅନ୍ୟାନ୍ୟ ମତ୍ସ୍ୟଜାତ ଦ୍ରବ୍ୟର ସଂରକ୍ଷଣ ଓ ମୂଲ୍ୟବୃଦ୍ଧି ଉପରେ କାମ କରାଯିବ। ମହିଳା ମତ୍ସ୍ୟଜୀବୀଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏଥିସହ ଜଳାଶୟ, ଆର୍ଦ୍ରଭୂମି, ହେନ୍ତାଳବନ ଓ ଉପକୂଳ ପରିବେଶର ସୁରକ୍ଷା ଏବଂ ପୁନରୁଦ୍ଧାର ଦିଗରେ ମିଳିତ ପ୍ରୟାସ ହେବ।
ଅନ୍ୟପଟେ ଦାଦନ ପ୍ରବଣ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା କମାଇବାକୁ ସ୍ଥାନୀୟ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ ରହିବ। କୃଷି ଓ ଏହାର ସହାୟକ କ୍ଷେତ୍ରରେ କାର୍ଯ୍ୟର ସୁଯୋଗ ବଢ଼ାଇବା, ଦକ୍ଷତା ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗକୁ ସୁଦୃଢ଼ କରିବା ଏବଂ ବଜାର ସହ ସଂଯୋଗ ସ୍ଥାପନ ଉପରେ କାର୍ଯ୍ୟ କରାଯିବ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଆୟ ଓ ନିଯୁକ୍ତି ବଢ଼ିବା ସହ ବାଧ୍ୟତାମୂଳକ ଦାଦନ ହ୍ରାସ ପାଇବାର ଆଶା ରହିଛି।
ଚୁକ୍ତିର ସଠିକ୍‌ କାର୍ଯ୍ୟାନ୍ୱୟନ ଏବଂ ଯୋଜନାଗୁଡ଼ିକର ଅଗ୍ରଗତି ଉପରେ ନଜର ରଖିବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଏଥିରେ ସମ୍ପୃକ୍ତ ବିଭାଗର ସଚିବ ଏବଂ ଏମ୍‌ଏସ୍‌ଏସ୍‌ଆର୍‌ଏଫ୍‌ର ପ୍ରତିନିଧି ସଦସ୍ୟ ରହିବେ। ନିୟମିତ ବୈଠକ ମାଧ୍ୟମରେ ଯୋଜନାର ଅଗ୍ରଗତି, କାର୍ଯ୍ୟକାରିତା ଓ ଏହାର ପ୍ରଭାବ ସମୀକ୍ଷା କରାଯିବ।
ସାମଗ୍ରିକ ଭାବେ ଏହି ସହଭାଗିତା ଓଡ଼ିଶାର କୃଷି ବ୍ୟବସ୍ଥାକୁ ଅଧିକ ସ୍ଥାୟୀ କରିବା ସହ ଚାଷୀ, ମହିଳା, ମତ୍ସ୍ୟଜୀବୀ ଓ ଆଦିବାସୀ ପରିବାରଙ୍କ ଜୀବିକାରେ ନୂଆ ସମ୍ଭାବନା ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶା କରାଯାଉଛି।
📲Get App