🔥 ट्रेंडिंग ଆସୁଛି ଆଉ ଏକ ଲଘୁଚାପ, ଅବପାତର ରୂପ ନେବ ବୋଲ... भारत और न्यूज़ीलैंड की पुरुष फुटबॉल टी... ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ନାଁରେ... અમરેલી નાં રાજુલા નાં માંડલ ગામે અકસ્મ... हार्डिक पांडा पंजाब में ₹18 करोड़ के ल... ओडिशा कमिश्नरेट पुलिस ने कई अधिक समय त...
11 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଗଞ୍ଜାମ ବନ୍ୟାକୁ ନେଇ ରାଜନୀତି: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ କଡ଼ା ଚିଠି, ପାଲଟା ଜବାବ ଦେଲେ ପୂର୍ତ୍ତମନ୍ତ୍ରୀ, ବିଜେଡି-ବିଜେପିକୁ ଘେରିଲା କଂଗ୍ରେସ

✍️ रिपोर्टर: Deepak Mahapatra 🗓 11 नव. 2026, 12:53 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏହାକୁ ମନୁଷ୍ୟକୃତ ବନ୍ୟା ବୋଲି କହି ବିରୋଧୀ ଘେରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଡ଼ା ଚିଠି ଲେଖି ଗଞ୍ଜାମର ଏହି ଦୁର୍ଦ୍ଦଶା ସମ୍ପୂର୍ଣ୍ଣ ରୂପେ ‘ମନୁଷ୍ୟକୃତ ବନ୍ୟା’ ଯୋଗୁ ବୋଲି କହି ସରକାରୀ ଅବହେଳା ଓ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି।
ସେପଟେ ନବୀନଙ୍କ ଏହି ଆକ୍ଷେପକୁ ତୀବ୍ର ବିରୋଧ କରି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପାଲଟା ଜବାବ ଦେଇ କହିଛନ୍ତି ଯେ ବିଜେଡିର ୨୪ ବର୍ଷର କୁଶାସନ ଓ ଭୋଟ ରାଜନୀତି ହିଁ ଆଜି ଗଞ୍ଜାମକୁ ଏହି ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି। ଏହି ଆରୋପ-ପ୍ରତ୍ୟାରୋପ ଭିତରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଉଭୟ ଦଳକୁ କାଠଗଡ଼ାରେ ଛିଡ଼ା କରାଇ ଗଞ୍ଜାମବାସୀଙ୍କ ବର୍ତ୍ତମାନର ଅବସ୍ଥା ପାଇଁ ଉଭୟ ବିଜେଡି-ବିଜେପିକୁ ସମାନ ଭାବେ ଦାୟୀ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ଚିଠି ଲେଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ହିଞ୍ଜିଳି, ଶେରଗଡ଼, ଆସିକା ଓ ସୋରଡ଼ା ଅଂଚଳ ଗସ୍ତ କରିବାପରେ ଲୋକଙ୍କ ଅକଥନୀୟ ଦୁଃଖ ତାଙ୍କୁ ଗଭୀର ଆଘାତ ଦେଇଛି। ଅକ୍ଟୋବର ୨୩ ତାରିଖରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗୁଆ ସତର୍କ ସୂଚନା ଦେଇଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ ଡ୍ୟାମରୁ ଜଳସ୍ତର ହ୍ରାସ କରାଯାଇ ନଥିଲା। ବରଂ ପ୍ରବଳ ବର୍ଷା ଆରମ୍ଭ ହେବା ପରେ ଏକାସାଙ୍ଗରେ ପାଣି ଛଡ଼ାଯିବା ଓ ଲୋକଙ୍କୁ ଆଗୁଆ ସତର୍କ ନକରିବା ଫଳରେ ଏହି ମନୁଷ୍ୟକୃତ ସଙ୍କଟ ସୃଷ୍ଟି ହେଲା।
ଏହାସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଲୋକମାନେ ଦିନ ଦିନ ଧରି ଖାଦ୍ୟ ଓ ପାଣି ବିନା ଜଳବନ୍ଦୀ ରହିଲେ। ବିଜେଡି ସରକାର ଅମଳରେ ସରପଂଚ ଓ ମିଶନଶକ୍ତିକୁ ନେଇ ଗଢ଼ି ଉଠିଥିବା ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବର୍ତ୍ତମାନର ବିଜେପି ସରକାର ଦୁର୍ବଳ କରିଦେଇଛନ୍ତି। ସରକାର ଯଦି ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ନକରନ୍ତି ତେବେ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼େଇ କରିବ ବୋଲି ନବୀନ ଚେତାବନୀ ଦେଇଛନ୍ତି।
ନବୀନଙ୍କ ଏହି ଚିଠି ଉପରେ ପାଲଟା କଡ଼ା ଜବାବ ଦେଇ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କୌଣସି ମନୁଷ୍ୟ ଜାଣିଶୁଣି ବନ୍ୟା କରେନାହିଁ, ବରଂ ଦୀର୍ଘ ବର୍ଷ ଧରି ଗଞ୍ଜାମକୁ କରାଯାଇଥିବା ଅବହେଳା ହିଁ ଆଜି ଏଭଳି ସ୍ଥିତି ସୃଷ୍ଟି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଭୋଟ ରାଜନୀତି କରି ଗଞ୍ଜାମବାସୀଙ୍କୁ ପ୍ରତାରିତ କରିଥିଲେ, ଯାହାର ପରିଣାମ ଆଜି ଦେଖିବାକୁ ମିଳୁଛି। ବିଜେପି ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମାତ୍ର ୭୨ ଘଣ୍ଟା ମଧ୍ୟରେ ୨୦୦ରୁ ଅଧିକ କ୍ଷତିଗ୍ରସ୍ତ ରାସ୍ତା ମରାମତି କରି ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇଛି। ତେଣୁ ନବୀନ ବାବୁ ଅନ୍ୟ ଉପରେ ଦୋଷ ଲଦିବା ପୂର୍ବରୁ ନିଜର ବିଗତ ଦିନର ଶାସନ ଓ ଅବହେଳାକୁ ଭଲ ଭାବେ ଅନୁଧ୍ୟାନ କରିବା ଉଚିତ ବୋଲି ଶ୍ରୀ ହରିଚନ୍ଦନ ରୋକଠୋକ ଶୁଣାଇ ଦେଇଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉଭୟ ଦଳକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ସମୟ ଥାଉଥାଉ ଡ୍ୟାମ ଗେଟ୍ ନଖୋଲି ବିପର୍ଯ୍ୟୟ ଡାକି ଆଣିଥିବା ବିଜେପି ସରକାର ଯେତିକି ଦାୟୀ, ଦୀର୍ଘ ୨୪ବର୍ଷ ଶାସନରେ ରହି ଋଷିକୁଲ୍ୟାର କୌଣସି ସ୍ଥାୟୀ ପ୍ରତିକାର ନ କରି ତାକୁ ‘ଗଞ୍ଜାମର ହୋୟାଂହୋ’ରେ ପରିଣତ କରିଥିବା ବିଜେଡି ମଧ୍ୟ ସେତିକି ଦାୟୀ।
ଆଇଏମଡିର ସତର୍କ ସୂଚନା ସତ୍ୱେ ୨୩ରୁ ୨୮ତାରିଖ ଯାଏଁ ନିଘୋଡ଼ ନିଦରେ ଶୋଇ ରହି ହଠାତ୍ ୨୯-୩୦ ତାରିଖରେ ୧ ଲକ୍ଷ ୪୦ ହଜାର କ୍ୟୁସେକ ପାଣି ଛାଡ଼ିବାର ନିଷ୍ପତ୍ତି କିଏ ନେଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ୧୯୯୦, ୧୯୯୯, ୨୦୧୩ ‘ଫାଇଲିନ୍‌’, ୨୦୧୮ ‘ତିତଲି’ ଓ ଏବେ ‘ଅର୍ଣ୍ଣବ’ ବାତ୍ୟାରେ ରେକର୍ଡ ୫୪୬ ମିଲିମିଟର ବର୍ଷା ଯୋଗୁଁ ୮୦୦ରୁ ଅଧିକ ଗାଁ ବୁଡ଼ି ରହିଥିଲେ ମଧ୍ୟ ସ୍ଥାୟୀ ମାଷ୍ଟରପ୍ଲାନ ପାଇଁ ପଦକ୍ଷେପ ଶୂନ ବୋଲି ଶ୍ରୀ ଦାସ କହିଛନ୍ତି।
ପ୍ରତିଥର ମରାମତି ଓ ରିଲିଫ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ କରି ଏକ ବଡ଼ ମାଷ୍ଟରପ୍ଲାନ ଜରିଆରେ ବନ୍ୟାର ସ୍ଥାୟୀ ନିରାକରଣ କରିବାକୁ ସେ ଦାବି କରିଛନ୍ତି। ଏଥିସହ କେନ୍ଦ୍ର ନିକଟରୁ ୫ ହଜାର କୋଟି ଟଙ୍କାର ସହାୟତା ଆଣିବା, ଏମଏସପି ଅନୁଯାୟୀ ଫସଲ କ୍ଷତିପୂରଣ ଦେବା, ଚାଷୀଙ୍କ ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା ଓ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି।
📲Get App