🔥 ट्रेंडिंग रामायण बॉक्स ऑफिस डे 1: रणबीर-यश की फि... टाइगर श्रॉफ के गोलीबारी मामले पर अमित... बॉलीवुड अभिनेता: सबसे दिलचस्प भूमिकाएं... मयेम : गुरुद्वादशी के पावन अवसर पर विध... मुण्ड़ली रणजीतपुरा में सरपंच चुनाव तawang मठ में बुद्ध के पवित्र अवशेषों...
06 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

କେନ୍ଦ୍ରକୁ ପ୍ରସ୍ତାବ: ‘ଅର୍ଣ୍ଣବ’ କ୍ଷୟକ୍ଷତି ପାଇଁ ୨୫୨୬ କୋଟି ଟଙ୍କା ସହ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲା ଓଡ଼ିଶା

✍️ रिपोर्टर: Deepak Mahapatra 🗓 06 नव. 2026, 01:27 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟା ଯୋଗୁ ଦକ୍ଷିଣ ଓଡ଼ିଶାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜ୍ୟ ସରକାର ଏବେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଜାରି ରଖିଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରାରମ୍ଭିକ କ୍ଷୟକ୍ଷତି ଭରଣା ନିମନ୍ତେ ରାଜ୍ୟ ସରକାର ଆଜି କେନ୍ଦ୍ରୀୟ ଟିମ୍ ନିକଟରେ ୨୫୨୬ କୋଟି ଟଙ୍କାର ଆର୍ଥକ ସହାୟତା ଦାବି କରିଛନ୍ତି। ଏହାସହିତ ବାରମ୍ବାର ବିପର୍ଯ୍ୟୟର ଶିକାର ହେଉଥିବା ଓଡ଼ିଶାରେ ଦୃଢ଼ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ ଆଉ ୧୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ôଥକ ପ୍ୟାକେଜ୍ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ନିଜର ଦାବି ଉପସ୍ଥାପନ କରିଛି।
ଅର୍ଣ୍ଣବ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ୮ଜଣିଆ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗଜପତି ଓ ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପରେ କେନ୍ଦ୍ରୀୟ ଟିମ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରି ପ୍ରଭାବିତ ଅଂଚଳର ବାସ୍ତବ ଚିତ୍ର ଉପରେ ଆଲୋଚନା କରିଥିଲେ।
ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଆସିଥିବା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଆଧାରରେ କେନ୍ଦ୍ରୀୟ ଟିମ୍ ଆଗରେ ୨୫୨୬ କୋଟି ଟଙ୍କାର ଆର୍ଥକ ସହାୟତା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାସହିତ ବନ୍ୟା ଓ ବାତ୍ୟାର ବାରମ୍ବାର ମୁକାବିଲା କରିବା ଲାଗି ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଅତିରିକ୍ତ ୧୦ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପାଇଁ ଦୃଢ଼ ଦାବି ରଖାଯାଇଛି। ତେବେ ଏହା ଏକ ପ୍ରାଥମିକ ଆକଳନ ମାତ୍ର, କ୍ଷେତ୍ରସ୍ତରରେ ଚାଲିଥିବା ବିସ୍ତୃତ ସର୍ଭେ ଶେଷ ହେବା ପରେ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଛନ୍ତି।
ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହେକ୍ଟର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହେବା ସହ ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ ଓ ଗ୍ରାମାଂଚଳ ରାସ୍ତାଘାଟ, ବ୍ରିଜ୍‌, ବିଦ୍ୟୁତ୍ ଭିତ୍ତିଭୂମି, ନଦୀବନ୍ଧ ଓ କେନାଲ ବ୍ୟାପକ ଭାବେ ଧୋଇଯାଇଛି। ମାଛ ଚାଷ ପୋଖରୀ ସମେତ ବିପୁଳ ପରିମାଣର ପ୍ରାଣୀସମ୍ପଦ ହାନି ଘଟିଛି। କେନ୍ଦ୍ରୀୟ ଟିମ୍ ନିଜ କ୍ଷେତ୍ର ପରିଦର୍ଶନ ଅଭିଜ୍ଞତା ବଖାଣି କ୍ଷୟକ୍ଷତିର ମାତ୍ରା ବେଶ୍ ଅଧିକ ବୋଲି ସ୍ୱୀକାର କରିବା ସହ ପ୍ରତ୍ୟେକ ପ୍ରଭାବିତ ଘରକୁ ଯାଇ ସର୍ଭେ କରିବାକୁ ପରାମର୍ଶ ଦେଇଛନ୍ତି ଓ ପୁନରୁଦ୍ଧାର ଲାଗି କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ୧୯୯୯ ମସିହା ମହାବାତ୍ୟା ପରଠାରୁ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦକ୍ଷତା ସମ୍ପର୍କରେ କେନ୍ଦ୍ରୀୟ ଟିମକୁ ଅବଗତ କରାଇ କହିଥିଲେ ଯେ, ରାଜ୍ୟ ବାରମ୍ବାର ଏପରି ପ୍ରାକୃତିକ ବିପତ୍ତିିର ସମ୍ମୁଖୀନ ହେଉଥିବାରୁ ଜନଜୀବନ ଓ ସମ୍ପତ୍ତିିର ସୁରକ୍ଷା ପାଇଁ ଏକ ସ୍ଥାୟୀ ତଥା ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିିଭୂମି ଗଠନ ଏକାନ୍ତ ଜରୁରୀ। ବିଶେଷକରି ନଦୀବନ୍ଧ ଓ କେନାଲଗୁଡ଼ିକର ଉଚ୍ଚତା ବୃଦ୍ଧି ତଥା ସୁଦୃଢ଼ୀକରଣ ଦିଗରେ ଦୀର୍ଘମିଆଦୀ ଯୋଜନା ତୁରନ୍ତ ଆରମ୍ଭ କରାଯିବା ଆବଶ୍ୟକ ରହିଛି ।
ଆଜିର ଏହି ବୈଠକରେ ଉନ୍ନୟନ କମିଶନର ଦେଓରଂଜନ କୁମାର ସିଂ, ରାଜସ୍ୱ ବିଭାଗ ସଚିବ ଅରବିନ୍ଦ କୁମାର ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।
📲Get App