🔥 ट्रेंडिंग ભાજપના શાસનમાં તહેવારો ના સમયે સામાન્ય... ରାତିରେ ରାଜି, ସକାଳେ ମନା: ଗିଡ଼ିପାବାଲିରେ... પાટણમાં દિવાળીના પર્વે અનોખી પહેલ: જાણ... वैशाली में पि एम के संभावित कार्यक्रम... ଆନ୍ଧ୍ର ନିର୍ବାଚନ: ଗଜପତିରେ ପ୍ରଶାସନର କଡ଼ା... पंचायत चुनाव तीसरा चरण मतदान आज
05 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବିଶ୍ୱାସରେ ବିଷ ଦେଲେ କେୟାରଟେକର, ଏକା ରହୁଥିବା ମାଲିକାଣୀଙ୍କୁ ମାରି ଲୁଟି ନେଲେ ଟଙ୍କାସୁନା

✍️ रिपोर्टर: Deepak Mahapatra 🗓 05 नव. 2026, 12:52 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବିଶ୍ୱାସରେ ବିଷ ଦେଲା କେୟାରଟେକର। ମାଲିକାଣୀଙ୍କୁ ମାରି ସୁନାଗହଣା ଧରି ଫେରାର ହୋଇଯାଇଥିବା ଅଭିଯୋଗ। ଲକ୍ଷ୍ମୀସାଗରର ବୁଦ୍ଧ ନଗରରେ ଘଟିଛି ଏହି ଘଟଣା।
ମୃତ ବୃଦ୍ଧାଙ୍କ ନାଁ କୁଞ୍ଜଲତା ନନ୍ଦ। ତାଙ୍କୁ ୭୬ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାଁ ହାଡ଼ିବନ୍ଧୁ ନନ୍ଦ। ସେ ଡିଏଫଓ ଥିଲେ। ତାଙ୍କ ମୃତ୍ୟୁ ପରେ ବୁଦ୍ଧ ନଗର ଘରେ ଏକା ରହୁଥିଲେ କୁଞ୍ଜଲତା। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ବଡ଼ ପୁଅ ଆମେରିକାରେ ରହୁଥିବା ବେଳେ ସାନ ପୁଅ ରହନ୍ତି ମୁମ୍ବାଇରେ। ଦୁଇ ଝିଅ ଭୁବନେଶ୍ୱରରେ ରହନ୍ତି। ତେବେ ସେମାନେ ଭୁବନେଶ୍ୱରର ଅନ୍ୟ ଅଞ୍ଚଳରେ ରହନ୍ତି। କୁଞ୍ଜଲତାଙ୍କ ଦେଖାଶୁଣା କରିବା ପାଇଁ ଘରେ ରଖାଯାଇଥିଲା କେୟାରଟେକର। ହେଲେ ଯାହା ଉପରେ ଭରସା କରିଥିଲେ, ସେ ବିଷ ଦେଇଥିବା ହୋଇଛି ଅଭିଯୋଗ।
ଅଭିଯୁକ୍ତ ତଥା ଫେରାର କେୟାରଟେକରଙ୍କ ନାଁ ବଳଭଦ୍ର ମହାରଣା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ସେ ୪ ମାସ ହେଲା କୁଞ୍ଜଲତା ନନ୍ଦଙ୍କ ଘରେ ନିଯୁକ୍ତ ହୋଇଥିଲେ। ଏକା ରହୁଥିବା କୁଞ୍ଜଲତାଙ୍କ ସହିତ ମିଳାମିଶା କରି ତାଙ୍କ ମନ ଜିଣି ନେଇଥିଲେ। କୁଞ୍ଜଲତା ତାଙ୍କୁ ନିଜର ଭାବି ନେଇଥିଲେ। କିନ୍ତୁ ବଳଭଦ୍ରଙ୍କ ଉଦ୍ଦେଶ୍ୟ ଥିଲା ଅଲଗା। ସମସ୍ତଙ୍କ ଅଜାଣତରେ ହତ୍ୟା ଓ ଲୁଟ୍‌ର ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲେ ସେ।
ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରୁ କୁଞ୍ଜଲତାଙ୍କ ଘରର ସିସିଟିଭି ବନ୍ଦ କରିଦିଆଯାଇଥିଲା। ପରେ ହାତଗୋଡ଼ ବାନ୍ଧି କୁଞ୍ଜଲତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ଛେଚି ଦିଆଯାଇଛି। ତାଙ୍କ ମୃତ୍ୟୁ ହେବା ପରେ ଘରୁ ଲୁଟ୍ କରାଯାଇଥିଲା ସୁନା ଓ ଟଙ୍କା। ଘରୁ ପ୍ରାୟ ୪ରୁ ୫ ଭରି ସୁନା, ନଗଦ ୬୦ ହଜାର ଟଙ୍କା ଏବଂ ସ୍କୁଟି ନେଇ କେୟାରଟେକର ଫେରାର ହୋଇଥିବା ଅଭିଯୋଗ ହୋଇଛି।
ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିଥିଲା। କୁଞ୍ଜଲତା ଘରର ଦ୍ୱାର ନଖୋଲିବାରୁ ତଳ ମହଲାରେ ରହୁଥିବା ଲୋକେ ସନ୍ଦେହ କରିଥିଲେ। ସେମାନେ ତୁରନ୍ତ ତାଙ୍କ ଝିଅଙ୍କୁ ଖବର ଦେଇଥିଲେ। ଖବର ପାଇ ତାଙ୍କ ଜ୍ୱାଇଁ ଘରେ ପହଞ୍ଚିଥିଲେ। ହେଲେ ଭିତରୁ ବନ୍ଦ ଥିଲା କବାଟ। ଯେତେ କବାଟ ବାଡ଼େଇଲ ଓ କଲିଂ ବେଲ୍ ମାରିଲେ ମଧ୍ୟ ଭିତରକୁ କିଛି ଉତ୍ତର ମିଳି ନଥିଲା। ତେଣୁ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଉପସ୍ଥିତିରେ କବାଟ ଖୋଲାଯାଇଥିଲା। ଆଉ ତା’ ପରେ ଯାହା ଦେଖିବାକୁ ମିଳିଥିଲା, ତାହା ଥିଲା ଅତ୍ୟନ୍ତ ଭୟଙ୍କର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦ। ହାତଗୋଡ଼ ବନ୍ଧା ହୋଇଥିବା ବେଳେ ମୁଣ୍ଡରେ ରହିଥିଲା ଗଭୀର କ୍ଷତଚିହ୍ନ। ଘରର ଆଲମିରା ମଧ୍ୟ ଭଙ୍ଗାଯାଇଥିଲା।
କୁଞ୍ଜଲତାଙ୍କ ଝିଅ-ଜ୍ୱାଇଁ ସନ୍ଦେହ କରୁଛନ୍ତି ଯେ ଏହି ଘଟଣା ପଛରେ କେବଳ କେୟାରଟେକରର ସଂପୃକ୍ତି ନାହିଁ। ସେ ଆଉ କିଛି ଲୋକଙ୍କ ସହ ମିଶି ଏହି କାଣ୍ଡ କରିଛି।
ଲକ୍ଷୀସାଗର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନଭିନ କରିଛନ୍ତି। ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପି ମଧ୍ୟ କ୍ରାଇମ୍‌ ସ୍ପଟରେ ପହଞ୍ଚି ଯାଞ୍ଚ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଫେରାର କେୟାରଟେକର ସଂପର୍କରେ ପୁଲିସକୁ କିଛି ସୂଚନା ମିଳିନାହିଁ।
📲Get App