🔥 TRENDING Three AAP Rebel Leaders Switch to BJP... Three AAP MLAs Switch Allegiance to BJ... Three Assam Workers Assaulted in Benga... Kolkata Fatafat Result to be Released... Jharkhand Women’s Football League to b... Woman Fatally Stabbed in Seraikela, Jh...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

୨,୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

✍️ Reporter: Deepak Mahapatra 🗓 02 Nov 2026, 12:59 PM 👁 24
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ୨୦୬୭ ଜଣ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ରବିବାର ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ ଠାରେ ଅନୁଷ୍ଠିତ ୧୮ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦକ୍ଷତା ବିକାଶ ଏବଂ ନିଯୁକ୍ତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଆମ ସରକାରଙ୍କ ପ୍ରାଥମିକତା। ରାଜ୍ୟ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଖାଲିଥିବା ସରକାରୀ ପଦପଦବୀ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରୁଛନ୍ତି। ୨୦୨୪ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଆଜିର ୧୮ତମ ନିଯୁକ୍ତି ମେଳାର ୨,୦୬୭ ଜଣଙ୍କୁ ମିଶାଇ ସମୁଦାୟ ୪୮,୬୪୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜି ୧,୯୧୩ ଜଣ ସେବକ-ସେବିକା ଏବଂ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଆଜି ସୁଦ୍ଧା ୨୮, ୬୯୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବାରୁ, ସେମାନଙ୍କ ଶିକ୍ଷାଗତ ମାନବୃଦ୍ଧି ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ ସାନ୍ତାଳୀ ସମେତ ୧୦ଟି ଆଦିବାସୀ ଭାଷାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ କରାଯାଉଛି। ଏହାବ୍ୟତୀତ ଡ୍ରପ୍-ଆଉଟ୍ ହାର ରୋକିବା ପାଇଁ ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ରାଜ୍ୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୬୯କୁ ବୃଦ୍ଧି କରାଯାଇଥିବାବେଳେ ବର୍ଷକୁ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ମଧ୍ୟ ଆରମ୍ଭ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ଜଣେ ଶିକ୍ଷକ ଭାବେ ପରାମର୍ଶ ଦେଇ କହିଛନ୍ତି ଯେ, ବିଦ୍ୟାଳୟରେ ପିଲାମାନଙ୍କ ମନରେ ସୁରକ୍ଷା ଓ ଆତ୍ମବିଶ୍ୱାସର ଭାବ ଜାଗ୍ରତ କରନ୍ତୁ ଏବଂ କଠିନ ନହୋଇ ଜଣେ ଆଦର୍ଶ ବନ୍ଧୁ ହୁଅନ୍ତୁ। ସେମାନଙ୍କର ମାର୍ଗଦର୍ଶନ କରନ୍ତୁ । କାର୍ଯ୍ୟକ୍ଷେତ୍ରର ବିଭିନ୍ନ ଆହ୍ୱାନକୁ ଧୈର୍ଯ୍ୟ, ନିଷ୍ଠା ଓ ସକାରାତ୍ମକ ମନୋଭାବ ସହ ସମାଧାନ କରନ୍ତୁ। ‘କର୍ମ ହିଁ ଭଗବାନ’ ନୀତିକୁ ଆପଣାଇ ନିୟମିତତା ବଜାୟ ରଖନ୍ତୁ । ମଧ୍ୟାହ୍ନ ଭୋଜନ ଭଳି ଯୋଜନାରେ କୌଣସିପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ତେଣୁ ତା ପ୍ରତି ସଚେତନ ରୁହନ୍ତୁ। ଶିକ୍ଷକତା ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଥିବା ମଦ୍ୟପାନ କିମ୍ବା ଶିକ୍ଷାର୍ଥୀଙ୍କ ପ୍ରତି ଅମାନବିକ ଦଣ୍ଡବିଧାନ ଭଳି ବିଶୃଙ୍ଖଳିତ ଆଚରଣରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଆଦର୍ଶ ଆଚରଣ ଶିକ୍ଷକ ମାନଙ୍କ ପାଇଁ ଅଧିକ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହାସହ, ଦକ୍ଷିଣ ଓଡ଼ିଶାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଯୁକ୍ତି ପାଇଥିବା ସେବକ/ସେବିକା ମାନଙ୍କୁ ବନ୍ୟା ଘେରରେ ଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ଏକାମ୍ର ବିଧାୟକ ବାବୁ ସିଂ ଓ ଉନ୍ନୟନ କମିଶନର ଡିକେ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
📲Get App