🔥 TRENDING राजाराम जी ने चेंडा गांव, पाली में पंच... Meghalaya Chief Secretary urges full p... Meghalaya Attorney General accused of... Tripura farmers receive Rs 44.24 crore... Tripura to hold civic elections for 21... ECI again postpones SIR in Tripura bef...
31 Oct 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରି ଜିଲ୍ଲାର ୫୨ ହଜାରରୁ ଅଧିକ ଚାଷୀଙ୍କୁ ମିଳିଲା ପିଏମ୍‌-କିଷାନର ୨୪ତମ କିସ୍ତି

✍️ Reporter: SUKUMAR MANDAL 🗓 30 Oct 2026, 11:30 PM 👁 20
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୩୦ ଅକ୍ଟୋବର: ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଏଫ୍‌ଏଲ୍‌ସି ହଲ୍‌ଠାରେ ଜିଲ୍ଲାସ୍ତରୀୟ ପିଏମ୍‌-କିଷାନ ଉତ୍ସବ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗୁଜରାଟର ବନସକାଣ୍ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୋଗ୍ୟ ଚାଷୀଙ୍କ ନିମନ୍ତେ ପିଏମ୍‌-କିଷାନ ଯୋଜନାର ୨୪ତମ କିସ୍ତିର ଅର୍ଥରାଶି ଡିବିଟି ମାଧ୍ୟମରେ ପ୍ରଦାନ କରିଥିଲେ। ଏହାର ସିଧାପ୍ରସାରଣ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା।

ଏହି କିସ୍ତି ମାଧ୍ୟମରେ ମାଲକାନଗିରି ଜିଲ୍ଲାର ମୋଟ ୫୨ ହଜାର ୫୫୮ ଜଣ ଚାଷୀ ସିଧାସଳଖ ନିଜ ବ୍ୟାଙ୍କ ଖାତାକୁ ଆର୍ଥିକ ସହାୟତା ପାଇ ଉପକୃତ ହୋଇଛନ୍ତି।

ଉତ୍ସବରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ଗୋବିନ୍ଦ ପାତ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ ପ୍ରହରାଜ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମାଡ଼କାମୀ କହିଥିଲେ ଯେ, କୃଷକମାନେ ଦେଶର ଅର୍ଥନୀତିର ମେରୁଦଣ୍ଡ। ପିଏମ୍‌-କିଷାନ ଏବଂ ସିଏମ୍‌-କିଷାନ ଭଳି ଜନକଲ୍ୟାଣକାରୀ ଯୋଜନା ଚାଷୀମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେଉଛି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

ଅନ୍ୟ ଅତିଥିମାନେ ଜିଲ୍ଲାର କୃଷି ଉନ୍ନୟନ ଏବଂ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସୂଚନା ଅନୁଯାୟୀ, ପୂର୍ବରୁ ପିଏମ୍‌-କିଷାନ ଯୋଜନାର ୨୨ତମ କିସ୍ତି ସୁଦ୍ଧା ଜିଲ୍ଲାର ୪୯ ହଜାର ୯୭୯ ଜଣ ଚାଷୀ ଉପକୃତ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ୫୨ ହଜାର ୫୫୮ରେ ପହଞ୍ଚିଛି।

ଏହାସହ ଚାଷୀଙ୍କ ଆୟ ବୃଦ୍ଧି ଓ ମୃତ୍ତିକା ସଂରକ୍ଷଣ ପାଇଁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଉତ୍ସବରେ ଜିଲ୍ଲାର ୧୦୦ରୁ ଅଧିକ ପ୍ରଗତିଶୀଳ ଚାଷୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। ଏଥିରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀ, ପ୍ରଶାସନିକ ପଦାଧିକାରୀ ଏବଂ ବିଭିନ୍ନ ପ୍ରିଣ୍ଟ୍ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।
📲Get App