🔥 TRENDING PM Modi Calls for India to Lead in Fut... Naga Groups Join Meitei Organisations... NCST Issues 30‑Day Notice to Kangpokpi... Meghalaya Police Officers Excel in Taw... Meghalaya Governor urges Indian Red Cr... Shillong Teer Result for October 28, 2...
28 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଦୁର୍ନୀତି କରି ୪୧ ସରକାରୀ କର୍ମଚାରୀ ବହିଷ୍କୃତ , ୯୧ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ

✍️ Reporter: Deepak Mahapatra 🗓 28 Oct 2026, 01:25 PM 👁 16
Share: 💬 WhatsApp 📘 Facebook 𝕏 Post
‘ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ଏବଂ ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି।’ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ। ସରକାର ଲୋକଙ୍କ ପାଖକୁ ଯାଉଛନ୍ତି। ଲୋକଙ୍କ କଥା ଶୁଣୁଛନ୍ତି। ଆମ ସରକାରଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳସ୍ତରରେ ଦୁର୍ନୀତିକୁ ରୋକିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ତାଙ୍କ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ଦୁର୍ନୀତି ବିଷୟରେ ଅବଗତ କରାଉଛନ୍ତି ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।
ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ପଦାଧିକାରୀ ଓ ଅତିଥିମାନଙ୍କୁ ଦୁର୍ନୀତି ବିରୁଦ୍ଧରେ ସାଧୁତାର ଶପଥ ପାଠ କରାଇ କହିଥିଲେ ଯେ ଭିଜିଲାନ୍ସ ବିଭାଗ ହେଉଛି ଗୁଡ୍‌ ଗଭର୍ଣ୍ଣାନ୍ସର ଆଖି ଓ କାନ। ଗୁଡ୍ ଗଭର୍ଣ୍ଣାନ୍ସ ମାନେ କେବଳ ନୀତି ଓ ଯୋଜନା ପ୍ରଣୟନ କରିବା ନୁହେଁ, ଏହାର ପ୍ରକୃତ ଅର୍ଥ ହେଉଛି ଦୁର୍ନୀତିକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ଉଦ୍ଦିଷ୍ଟ ଅର୍ଥ ଯେଉଁ କାରଣ ପାଇଁ ପ୍ରାବଧାନ କରାଯାଇଛି, ଯାହାଙ୍କ ପାଇଁ କରାଯାଇଛି, ତାଙ୍କ ପାଖରେ ପହଞ୍ଚିବାକୁ ଶତପ୍ରତିଶତ ସୁନିଶ୍ଚିତ କରିବା। ତେଣୁ, ରାଜ୍ୟର ପ୍ରଗତି ସହିତ ତାଳ ମିଳାଇ ଆମ ସରକାର ଓଡିଶା ଭିଜିଲାନ୍ସକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ JAM ବ୍ୟବସ୍ଥା ପାଇଁ ତାଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଟେକ୍ନୋଲୋଜିକୁ ବ୍ୟବହାର କରି ମୋଦୀଜୀ ତୃଣମୂଳ ସ୍ତରରେ ଦୁର୍ନୀତିକୁ ସମ୍ପୂର୍ଣ୍ଣ ମୂଳତ୍ପାଟନ କରିଛନ୍ତି। ବାଟମାରଣା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଏହି ବ୍ୟବସ୍ଥା ଗରିବଙ୍କ ପାଇଁ ଭଗବାନଙ୍କ ବରଦାନ ଠାରୁ କିଛି କମ୍ ନୁହେଁ।
ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁର୍ନୀତି ମୁକାବିଲା ପାଇଁ ଆମ ସରକାର ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ନୀତି, ଇଣ୍ଟେଲିଜେନ୍ସ ଆଧାରରେ ପଦ, କାର୍ଯ୍ୟକାଳ ନିର୍ବିଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ପାଇଁ ଗିରଫ ହୋଇଥିବା ଅଧିକାରୀଙ୍କ ଦଣ୍ଡ ବିଧାନ ଭଳି ତିନୋଟି ରଣକୌଶଳ ଆପଣାଇଛନ୍ତି। ଭିଜିଲାନ୍ସ ବିଭାଗ ଏହି ରଣକୌଶଳକୁ ନିର୍ଭିକତାର ସହିତ ଏବଂ ବୃତ୍ତିଗତ ଭାବେ କାର୍ଯ୍ୟକାରୀ କରୁଥିବା ଦର୍ଶାଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।
ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଅଢ଼େଇ ବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ଏବଂ ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି। ୨୦୨୫ରେ କନ୍‌ଭିକ୍ସନ ରେଟ୍ ୫୦ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି। ଦୁର୍ନୀତି କ୍ଷେତ୍ରରେ ଏଭଳି ଉଚ୍ଚ ଦଣ୍ଡବିଧାନ ହାର ପାଇଁ ଓଡିଶା ଭିଜିଲାନ୍ସ ରାଜ୍ୟ ଭିତରେ ଓ ବାହାରେ ପ୍ରଶଂସିତ ହେଉଛି।
ଦୁର୍ନୀତି ନିୟନ୍ତ୍ରଣ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ପାଇଁ Odisha IT Policy ଅନୁମୋଦନ କରାଯାଇଛି। ଓଡିଶା ଭିଜିଲାନ୍ସରେ ଏକ Preventive Vigilance Research Wing ଗଠନ କରାଯାଉଛି। ଏହାଦ୍ୱାରା ଦୁର୍ନୀତି ହେଉଥିବା ସ୍ଥାନ ଓ ଦୁର୍ନୀତିଗ୍ରସ୍ତକୁ ଚିହ୍ନଟ କରାଯାଇ ଶାସନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରାଯିବ।
ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ପ୍ରସଙ୍ଗ ‘ସାଧୁତାରୁ ସମୃଦ୍ଧି’ ବିଷୟରେ ବର୍ଣ୍ଣନା କରି କହିଥିଲେ ଯେ, ଦୃଢ ନୈତିକତା, ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତା ହେଉଛି ଆମର ଏହି ଦୁର୍ନୀତି ବିରୋଧୀ ଲଢେଇର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର। ସରକାରୀ କର୍ମଚାରୀମାନଙ୍କୁ ଆଚରଣରେ ସାଧୁତା ଓ ନିଷ୍ଠା ପ୍ରଦର୍ଶନ କରିବା ସହିତ ସମସ୍ତେ ସାଧୁତାକୁ ନିଜର ବିଶ୍ୱାସ ଓ ନିଷ୍ଠାକୁ ଜୀବନର ଏକ ଶୈଳୀ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନ, ଶ୍ରେଷ୍ଠ ୟୁନିଟ ଭାବେ ଅନୁଗୋଳ ୟୁନିଟ, ଶ୍ରେଷ୍ଠ ଆଇ.ଓ ଭାବେ ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି, ଶ୍ରେଷ୍ଠ ମହିଳା ଆଇ.ଓ ଭାବେ ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ୱାଇଁ ଏବଂ ଶ୍ରେଷ୍ଠ
ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ କୋର୍ଟର ସଲିଳ କୁମାର ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ।
📲Get App