🔥 TRENDING Two Kidney Transplants Successfully Co... Tripura Police Seize 340 kg Ganja Wort... High Court Scrutinizes Encroachment on... Congress Protest in Vidisha Over Deten... ગ્યાનેશ કુમાનનું રાજીનામું: પ્રિયંકા ગ... बरहरवा नगर पंचायत में अतिक्रमण पर 54 द...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
ରାଜ୍ୟର ୧୫ଟି ଶିକ୍ଷକ ପ୍ରଶିକ୍ଷଣ କଲେଜକୁ ଜାରି ‘କାରଣ ଦର୍ଶାଅ’ ନୋଟିସକୁ ରଦ୍ଦ କଲା ଏନସିଟିଇ
Education

ରାଜ୍ୟର ୧୫ଟି ଶିକ୍ଷକ ପ୍ରଶିକ୍ଷଣ କଲେଜକୁ ଜାରି ‘କାରଣ ଦର୍ଶାଅ’ ନୋଟିସକୁ ରଦ୍ଦ କଲା ଏନସିଟିଇ

✍️ Reporter: Deepak Mahapatra 🗓 07 Oct 2026, 12:38 PM 👁 13
Share: 💬 WhatsApp 📘 Facebook 𝕏 Post
କଲେଜଗୁଡ଼ିକ ଆବଶ୍ୟକୀୟ ନିୟମ ପାଳନ କରିଥିବା ପ୍ରମାଣିତ ହେବାରୁ ସେମାନଙ୍କ ବିରୋଧରେ ଆଉ କୌଣସି ଶୃଙ୍ଖଳାଗତ ବା ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ସମସ୍ତ ‘କାରଣ ଦର୍ଶାଅ’ ପ୍ରକ୍ରିୟାକୁ ଏନସିଟିଇ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ରଦ୍ଦ କରିଛନ୍ତି।ରାଜ୍ୟର ୧୫ଟି ସରକାରୀ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ (ଟିଚର୍ସ ଏଜୁକେସନ୍ ଇନଷ୍ଟିଚ୍ୟୁଟ୍‌) ବିରୋଧରେ ଜାରି ହୋଇଥିବା 'କାରଣ ଦର୍ଶାଅ' ନୋଟିସକୁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ) ରଦ୍ଦ କରି ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଏନସିଟିଇର ପୂର୍ବାଂଚଳ କମିଟି (ଇଆରସି) ଅକ୍ଟୋବର ୧ତାରିଖରେ ଅନୁଷ୍ଠିତ ଏହାର ୪୧୦ତମ ବୈଠକରେ ରାଜ୍ୟ ସରକାର ଓ କଲେଜଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ଅନୁପାଳନ ରିପୋର୍ଟକୁ ଯାଂଚ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବିରୋଧରେ ଆଉ କୌଣସି ଶୃଙ୍ଖଳାଗତ ବା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ନିୟାମକ ସଂସ୍ଥା ସ୍ପଷ୍ଟ କରିଛି।

ନ୍ୟାସନାଲ କାଉନସିଲ ଫର ଟିଚର୍ସ ଏଜୁକେସନ (ଏନସିଟିଇ) ନିୟମାବଳୀ ଅନୁଯାୟୀ ଆବଶ୍ୟକ ମୁତାବକ ନିୟମିତ ଅଧ୍ୟାପକ (ଫ୍ୟାକଲ୍ଟି) ନଥିବା ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁମୋଦିତ ଅଧ୍ୟାପକ ତାଲିକା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ ହୋଇନଥିବା ଯୋଗୁୁ ଏହି ଅନୁଷ୍ଠାନଗୁଡ଼ିକ ଉପରେ ଧାରା ୧୭ର ପ୍ରାବଧାନ ଆଧାରରେ ଏନସିଟିଇ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅନୁଷ୍ଠାନଗୁଡ଼ିକର ସ୍ୱୀକୃତି ପ୍ରତ୍ୟାହାର ହେବାର ଆଶଙ୍କା ଉପୁଜିବା ପରେ ପରିସ୍ଥିତିର ଗମ୍ଭୀରତାକୁ ବୁଝି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ(କଲେଜ)ଗୁଡ଼ିକ ମିଳିତ ଭାବେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ତତ୍ପରତା ଯୋଗୁଁ ତୁରନ୍ତ ଅଧ୍ୟାପକ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା। ଏହାସହିତ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଏକ ବିସ୍ତୃତ ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରାଯାଇ ଏନସିଟିଇ ପାଖରେ ଦାଖଲ କରାଯାଇଥିଲା।

ଇଆରସି ବୈଠକରେ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁମୋଦିତ ଅଧ୍ୟାପକ ତାଲିକା ଓ ଅନୁଷ୍ଠାନଗୁଡ଼ିକର ଉତ୍ତରକୁ ବିସ୍ତୃତ ଯାଂଚ କରାଯାଇ ସନ୍ତୋଷ ବ୍ୟକ୍ତ କରାଯାଇଥିଲା। କଲେଜଗୁଡ଼ିକ ଆବଶ୍ୟକୀୟ ନିୟମ ପାଳନ କରିଥିବା ପ୍ରମାଣିତ ହେବାରୁ ସେମାନଙ୍କ ବିରୋଧରେ ଆଉ କୌଣସି ଶୃଙ୍ଖଳାଗତ ବା ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ସମସ୍ତ ‘କାରଣ ଦର୍ଶାଅ’ ପ୍ରକ୍ରିୟାକୁ ଏନସିଟିଇ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବେ ରଦ୍ଦ କରିଛନ୍ତି।
ଏହି ନିଷ୍ପତ୍ତି ଯୋଗୁ ରାଜ୍ୟରେ ଶିକ୍ଷକତାକୁ ବୃତ୍ତି କରିବାକୁ ସ୍ୱପ୍ନ ଦେଖୁଥିବା ହଜାର ହଜାର ବିଏଡ୍ ଓ ଏମଏଡ୍ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରଶାସନିକ ଉଦାସୀନତା ଯୋଗୁଁ ଦୀର୍ଘ ଦିନ ଧରି ଚାଲିଥିବା ଏହି ଆଇନଗତ ବିବାଦର ଅନ୍ତ ଘଟିବା ସହ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ସମନ୍ୱୟ ରକ୍ଷା କାରଣରୁ ଏହି ଅଚଳାବସ୍ଥା ଦୂର ହୋଇପାରିଛି।

ସୂଚନାଯୋଗ୍ୟ, ନୋଟିସ୍ ପରିସରଭୁକ୍ତ ହୋଇଥିବା ୧୫ଟି ଅନୁଷ୍ଠାନ(କଲେଜ) ମଧ୍ୟରେ କଟକର ରାଧାନାଥ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଇନ୍ ଏଜୁକେସନ୍ , ଭୁବନେଶ୍ୱରସ୍ଥିତ ନଳିନୀଦେବୀ ମହିଳା ବିଏଡ୍ କଲେଜ, ସମ୍ବଲପୁର ଡଃ ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ୍ ଅଫ ଆଡ଼ଭାନ୍ସଡ୍ ଷ୍ଟଡିଜ୍ ଇନ୍ ଏଜୁକେସନ, ସରକାରୀ ଶିକ୍ଷକ ପ୍ରଶିକ୍ଷଣ କଲେଜ ପୁରୀ, ବାଲେଶ୍ୱର ଓ ବ୍ରହ୍ମପୁର ଖଲ୍ଲିକୋଟ ସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ କଲେଜ ସାମିଲ ଥିଲେ । ଏଥିସହିତ ଅନୁଗୁଳ,ବଲାଙ୍ଗୀର, ବାରିପଦା, ଭବାନୀପାଟଣା, ରାଉରକେଲା,କୋରାପୁଟ ଓ ଫୁଲବାଣୀରେ ଥିବା କଲେଜ ଅଫ୍ ଟିଚର୍ ଏଜୁକେସନ୍ (ସିଟିଇ)ଗୁଡ଼ିକ ମଧ୍ୟ ଏହି ପ୍ରକ୍ରିୟାର ସମ୍ମୁଖୀନ ହୋଇଥିଲେ ।
📲Get App