🔥 TRENDING 19 વર્ષીય સદ્દામ શેખ પાંડેસરાનો વીજ શો... નવરાત્રિ અંતિમ 4 દિવસમાં કોઈ આયોજકએ ફા... टोंक जिले के मेहंदवास में डैप उर्वरक व... ઇન્ડિગોએ ફરીથી ફ્યુઅલ ચાર્જમાં વધારો ક... Abhay Deol's Goa Home: A Stunning Glas... Goa HC rejects Election Commission ple...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
ସମଦୂରତ୍ୱ ଆଳରେ କଂଗ୍ରେସ ସହ ଚୋରା ପୀରତି: ଇଣ୍ଡି ମେଂଟ ବିକ୍ଷୋଭରେ ସାମିଲ ହେଲା ବିଜେଡି, କଟାକ୍ଷ କଲା ବିଜେପି
Politics

ସମଦୂରତ୍ୱ ଆଳରେ କଂଗ୍ରେସ ସହ ଚୋରା ପୀରତି: ଇଣ୍ଡି ମେଂଟ ବିକ୍ଷୋଭରେ ସାମିଲ ହେଲା ବିଜେଡି, କଟାକ୍ଷ କଲା ବିଜେପି

✍️ Reporter: Deepak Mahapatra 🗓 07 Oct 2026, 12:45 PM 👁 11
Share: 💬 WhatsApp 📘 Facebook 𝕏 Post
ସମଦୂରତ୍ୱ କଥା କହୁଥିବା ବିଜେଡି ପାଇଁ ଏହା ଆବଶ୍ୟକତାର ଲଢ଼େଇ ନା ପଂଚାୟତ-ପୌର ନିର୍ବାଚନ ପୂର୍ବରୁ ଏହି ସମ୍ଭାବ୍ୟ ସମୀକରଣ ଆଧାରରେ ନିଜର ରାଜନୀତିକ ପରୀକ୍ଷାନିରୀକ୍ଷା କରୁଛି | ବିଜେଡି ଏଭଳି କରି ବିଜେପି ସହ ସମ୍ପର୍କକୁ ‘ଚେକ୍ ଆଣ୍ଡ ବାଲାନ୍ସ’ରେ ରଖିବାକୁଚାହୁଁଥିବା ଚର୍ଚ୍ଚା ହେଉଛି।ଜାତୀୟ ରାଜନୀତିରେ ‘ସମଦୂରତ୍ୱ’ର ଡିଣ୍ଡିମ ପିଟୁଥିବା ବିଜେଡି ଆଜି ପୁଣିଥରେ ୬ମାସ ବ୍ୟବଧାନରେ ଦିଲ୍ଲୀ ରାଜରାସ୍ତାରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଆଗରେ ଆତ୍ମସମର୍ପଣ କରିଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆୟୋଜିତ ଇଣ୍ଡି ମେଣ୍ଟର ଧାରଣା ପ୍ରଦର୍ଶନରେ ବିଜେଡି ସାମିଲ ହୋଇଛି। ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ, ସାଂସଦ ସୁଲତା ଦେଓ ଓ ପୂର୍ବତନ ସାଂସଦ ମୁନ୍ନା ଖାଁ ଦିଲ୍ଲୀରେ ଇଣ୍ଡି ମେଣ୍ଟର ନେତାମାନଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ମାତ୍ର ସେପ୍ଟେମ୍ବର ୩୦ତାରିଖରେ ଏହି ଧାରଣା ପାଇଁ ଅନୁଷ୍ଠିତ ଇଣ୍ଡି ମେଂଟର ପ୍ରସ୍ତୁତି ବୈଠକରୁ ଦୂରେଇ ରହିଥିବା ବିଜେଡି ନିଜକୁ ଇଣ୍ଡିମେଂଟର ଅଂଶବିଶେଷ ନୁହେଁ ବୋଲି କହିବା ସହ ସେହି ମେଂଟ କ’ଣ କରୁଛି ତାହା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲା। ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ଏହି ବୟାନର ମାତ୍ର ୬ଦିନ ନପୁରୁଣୁ ଆଜି ଦଳର ସାଂସଦମାନେ ଇଣ୍ଡିମେଂଟ କାର୍ଯ୍ୟକ୍ରମରେ ସାମିଲ ହେବା ଖୋଲାଖୋଲି ଭାବେ ବିଜେଡିର ‘ସୁବିଧାବାଦୀ’ ଚିତ୍ର ଓ ଚରିତ୍ରକୁ ପଦାରେ ପକାଇ ଦେଇଛି।
ତେବେ ସମଦୂରତ୍ୱ କଥା କହୁଥିବା ବିଜେଡି ପାଇଁ ଏହା ଆବଶ୍ୟକତାର ଲଢ଼େଇ ନା ପଂଚାୟତ-ପୌର ନିର୍ବାଚନ ପୂର୍ବରୁ ଏହି ସମ୍ଭାବ୍ୟ ସମୀକରଣ ଆଧାରରେ ବିଜେଡି ନିଜର ରାଜନୀତିକ ପରୀକ୍ଷାନିରୀକ୍ଷା କରୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେପି ଆଜି କଡ଼ା ଭାଷାରେ ସମାଲୋଚନା କରିଛି।

ବିଜେଡି ସୂତ୍ର ଅନୁସାରେ, ନୂଆଦିଲ୍ଲୀରେ ଇଣ୍ଡି ମେଂଟର ଆଜିର ଧାରଣା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦଳ ଦୁଇଦିନ ପୂର୍ବରୁ ଦଳୀୟ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ସାଂସଦ ସନୃପ୍ତ ମିଶ୍ର ଓ ଶୁଭାଶିଷ ଖୁଣ୍ଟିଆ ଓଡ଼ିଶାରେ ଥାଇ ଅନ୍ୟ କାର୍ଯ୍ୟର ବାହାନା ଦେଖାଇ ଦିଲ୍ଲୀ ଯାଇନଥିବା ଜଣାପଡ଼ିଛି। ଅନ୍ୟ ଜଣେ ସାଂସଦ ସସ୍ମିତ ପାତ୍ର ବିଦେଶ ଗସ୍ତରେ ଥିବାବେଳେ ଅନ୍ୟ ଦୁଇ ସାଂସଦ ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଦେଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟର ପ୍ରଦର୍ଶନରେ ସାମିଲ ହୋଇଥିଲେ।

ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ କହିଛନ୍ତି ଯେ, ଗଣତନ୍ତ୍ରର ସୁରକ୍ଷା ପାଇଁ ଏହା କେବଳ ଇଣ୍ଡି ମେଣ୍ଟକୁ ବିଜେଡିର ପ୍ରସଙ୍ଗ ଭିତ୍ତିକ ସମର୍ଥନ ।
ଏପଟେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ନଥିଲେ ଦଳର ସାଂସଦମାନେ ଆଜି ଦିଲ୍ଲୀର ଧାରଣାସ୍ଥଳକୁ ଯାଇନଥାନ୍ତେ । ନବୀନ ବାବୁଙ୍କୁ ଏଥିପାଇଁ ଧନ୍ୟବାଦ କିନ୍ତୁ ବହୁତ ଡେରି ହୋଇଗଲା । କାରଣ ବିଜେଡି ୨୪ ବର୍ଷ ଶାସନ କାଳରେ କଂଗ୍ରେସକୁ କେବେ ସମର୍ଥନ ଦେଇନଥିଲା। ଏବେ ବିଜେପି-ବିଜେଡିର ପ୍ରେମ ଭାଙ୍ଗିଯାଇଛି ଓ ବିଜେପି ସରକାରରେ ଓଡ଼ିଶା ପ୍ରତି ଯେଉଁ ଅବହେଳା ହେଉଛି ତାହା ବହୁତ ଡେରିରେ ହେଲେ ବି ନବୀନ ବୁଝିପାରିଛନ୍ତି । ଏବେ ନବୀନବାବୁ ଆଉ ଲୁଚକାଳି ନଖେଳି ଇଣ୍ଡି ମେଂଟରେ ବିଜେଡି ମିଶିଲା ବୋଲି ଘୋଷଣା କରିବାକୁ ତାରା ଆହ୍ୱାନ ଦେଇଛନ୍ତି।

ଅତୀତରେ ସମଦୂରତାର ଆଳ ଦେଖାଇ ବିଜେପି(Bjp)କୁ ସହଯୋଗ କରୁଥିବା ବିଜେଡି ଏବେ ଧୋକା ଖାଇବା ପରେ ରାଲିରେ ମିଶିଛି । ତେବେ ବିଜେଡି ଆଗାମୀ ଦିନରେ କୁଆଡ଼େ ଢଳୁଛି ତାହା ସମୟ କହିବ ବୋଲି ତାରା କହିଛନ୍ତି। ବିଜେଡି ଓ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ମେଂଟ ନିଷ୍ପତ୍ତିି ପିସିସି ସଭାପତି ଭକ୍ତ ଦାସ ଓ ରାହୁଲ ଗାନ୍ଧି ନେବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ ବିଜେଡିକୁ କାଠଗଡ଼ାରେ ଛିଡ଼ା କରି କହିଛନ୍ତି ଯେ, ଆଜି ନବୀନ ବାବୁ ଓ ବିଜେଡିର ଅସଲ ଚେହେରା ଦେଶବାସୀଙ୍କ ଆଗରେ ଧରା ପଡ଼ିଯାଇଛି । ଇଣ୍ଡି ମେଣ୍ଟରେ ସାମିଲ ହେବାପରେ ବିଜେଡିର ଦୀର୍ଘଦିନର ଛଦ୍ମବେଶର ପର୍ଦାଫାଶ ହୋଇଛି । କଂଗ୍ରେସ ସହିତ ବିଜେଡିର ଭିତିରି ସମ୍ପର୍କ ବହୁ ପୁରୁଣା । ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲାବେଳେ କଂଗ୍ରେସ ସହାୟତାରେ ହିଁ ବିଜେଡି ନିଜର ସରକାରକୁ ବଂଚାଇ ରଖିଥିଲା। ଆଉ ପରବର୍ତ୍ତୀ ସମୟରେ ବିଭିନ୍ନ ଉପନିର୍ବାଚନରେ ମଧ୍ୟ କଂଗ୍ରେସର ସହଯୋଗରେ ବିଜେଡି ଜିତୁଥିଲା। କଂଗ୍ରେସ ଓ ବିଜେଡିର ଏହି ଗୁପ୍ତ ବୁଝାମଣା ଆଜି ଦିଲ୍ଲୀ ଧାରଣାସ୍ଥଳରେ ଲୋକଲୋଚନକୁ ଆସିଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ୬ ମାସ ପରେ ଦିଲ୍ଲୀରେ ଇଣ୍ଡି ମେଣ୍ଟର କାର୍ଯ୍ୟକ୍ରମରେ ବିଜେଡି ପୁଣିଥରେ ସାମିଲ ହେବା କୌଣସି ଆକସ୍ମିକ ନୁହେଁ। ଦଳ ୨୦୨୪ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରଠୁ ନିଜର ଆଭିମୁଖ୍ୟକୁ ନେଇ କ୍ରମାଗତ ଦ୍ୱନ୍ଦ୍ୱରେ ରହିଛି। ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟରେ କଂଗ୍ରେସ ସହଯୋଗରେ ମିଳିତ ରାଜ୍ୟସଭା ପ୍ରାର୍ଥୀ ଦେବା ଓ ପରାଜୟ ସତ୍ତ୍ୱେ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ପ୍ରଥମଥର ପାଇଁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟ ସହଯୋଗୀ ଦଳ ସହ ମିଶି ମାର୍ଚ୍ଚ ୩୦ରେ ବିଧାନସଭା ଘେରାଉ କରିବା ଓ ରାଜଭବନ ଯାଇ ବିଜେଡି ନିଜର ଘନିଷ୍ଠତା ବଢ଼ାଇଥିଲା। ଏପରିକି ଏପ୍ରିଲ ୧୨ରେ ପିସିସି ସଭାପତି ଭକ୍ତଦାସ ବିଜେଡି ଓ କଂଗ୍ରେସ ଆଗାମୀ ପଂଚାୟତ ନିର୍ବାଚନରେ ମେଂଟ କରି ଲଢ଼ିବେ ବୋଲି ମଧ୍ୟ ଘୋଷଣା କରିଦେଇଥିଲେ। ଏପ୍ରିଲ ୧୭ ଓ ୧୮ ତାରିଖରେ ଦୁଇ ଦୁଇ ଥର ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ମଙ୍ଗରାଜ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଦିଲ୍ଲୀରେ ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେଇଥିଲେ।

ତେବେ ବିଜେଡିର ଏଭଳି ନିକଟତର ହେବାକୁ ନେଇ ରାଜ୍ୟ କଂଗ୍ରେସ(Congress)ରେ ଅସନ୍ତୋଷ ବଢ଼ିବା ପରେ ଏପ୍ରିଲ ୨୮ରେ ଭକ୍ତ ୟୁଟର୍ଣ୍ଣ ନେଇ ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଥିଲେ। ଯାହାକୁ ସେହିଦିନ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ‘ଶିରୋନାସ୍ତି ଶିରୋପୀଡ଼ା’ କହି କଟାକ୍ଷ କରିବା ସହ କିଏଲ ମେଂଟ ପାଇଁ ପ୍ରସ୍ତାବ ଦେଇଛି ବୋଲି ଓଲଟା ପ୍ରଶ୍ନ କରିଥିଲେ । ସେବେଠୁ କଂଗ୍ରେସ ଓ ବିଜେଡି ଚୁପଚାପ ରହିଥିଲେ ମଧ୍ୟ ବିଜେଡି ଆଜି ଇଣ୍ଡି ମେଂଟ ବୈଠକରେ ସାମିଲ ହୋଇଥିଲା। ଇଣ୍ଡି ମେଣ୍ଟର ପ୍ରସ୍ତୁତି ବୈଠକକୁ ଏଡ଼ାଇ ଯାଇ ସେପ୍ଟେମ୍ବର ୩୦ ବୈଠକ ସହ ସମ୍ପର୍କ ନଥିବା କହିଥିବା ବିଜେଡି ଆଜି ଇଣ୍ଡି ମେଂଟର ଧାରଣାରେ ସାମିଲ ହୋଇଛି।

କ୍ଷମତାଚ୍ୟୁତ ହେବା ପରଠୁ କେନ୍ଦ୍ରୀୟ ତଦନ୍ତର ଚାପ ଓ ସାଂଗଠନିକ ଭୁଶୁଡ଼ିବା ଭୟରେ ବିଜେଡି(Biju Janata Dal) ଦିଗହରା ହୋଇପଡ଼ିଛି। ଗୋଟିଏପଟେ ମୁଖପାତ୍ରମାନଙ୍କ ମାଧ୍ୟମରେ ‘ସମଦୂରତା’ର ସ୍ଲୋଗାନ ଦେବା ଓ ଅନ୍ୟପଟେ କଂଗ୍ରେସ ସହ ବ୍ୟାକଡୋରରେ ଜାତୀୟସ୍ତରରେ ସାମିଲ ହେବା ନବୀନଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ଏଭଳି କରି ବିଜେପି ସହ ସମ୍ପର୍କକୁ ‘ଚେକ୍ ଆଣ୍ଡ ବାଲାନ୍ସ’ରେ ରଖିବାକୁ ବିଜେଡି ଚାହୁଁଥିବା ଚର୍ଚ୍ଚା ହେଉଛି।
📲Get App