🔥 TRENDING Rajasthan Reschedules Elections to Avo... Crane Collides With 10 Vehicles in Pal... આજ રોજ પાટણ ઘટક ૧ ના તમામ આંગણવાડી કેન... Karnataka Farmers Suffer Rising Losses... Karnataka to Roll Out AI Course for Cl... RBSE to Conduct 10th Board Exams Twice...
06 Oct 2026•
ગુજરાતી मराठी ਪੰਜਾਬੀ বাংলা
ଶିଶୁ ଓ ଛାତ୍ରଛାତ୍ରୀଙ୍କ ‘ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା’ ପାଇଁ ରାଜ୍ୟ ସରକାରଙ୍କ ଏସଓପି: ନିୟୋଜିତ ହେବେ କାଉନସେଲର ଓ ପିଅର୍ ସପୋର୍ଟର
Education

ଶିଶୁ ଓ ଛାତ୍ରଛାତ୍ରୀଙ୍କ ‘ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା’ ପାଇଁ ରାଜ୍ୟ ସରକାରଙ୍କ ଏସଓପି: ନିୟୋଜିତ ହେବେ କାଉନସେଲର ଓ ପିଅର୍ ସପୋର୍ଟର

✍️ Reporter: Deepak Mahapatra 🗓 06 Oct 2026, 02:50 PM 👁 14
Share: 💬 WhatsApp 📘 Facebook 𝕏 Post
ପିଲାଙ୍କ ମଧ୍ୟରେ ମାନସିକ ଚାପ, ଅବସାଦ, ଆଚରଣଗତ ପରିବର୍ତ୍ତନ ଓ ଆତ୍ମହତ୍ୟା ଭଳି ମାରାତ୍ମକ ପ୍ରବୃତ୍ତିର ମୁକାବିଲା କରିବା ପାଇଁ ସବୁ କ୍ୟାମ୍ପସରେ ତାଲିମପ୍ରାପ୍ତ କାଉନସେଲର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ‘ପିଅର୍ ସପୋର୍ଟର’ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଶିଶୁ, କିଶୋର ତଥା ଉଚ୍ଚଶିକ୍ଷା ଅଧ୍ୟୟନରତ ଯୁବପିଢ଼ିଙ୍କ ‘ମାନସିକ ସୁସ୍ଥତା’ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର’ ବା ଏସଓପି ଜାରି କରିଛନ୍ତି। ପିଲାଙ୍କ ମଧ୍ୟରେ ମାନସିକ ଚାପ, ଅବସାଦ, ଆଚରଣଗତ ପରିବର୍ତ୍ତନ ଓ ଆତ୍ମହତ୍ୟା ଭଳି ମାରାତ୍ମକ ପ୍ରବୃତ୍ତିର ମୁକାବିଲା କରିବା ପାଇଁ ସବୁ କ୍ୟାମ୍ପସରେ ତାଲିମପ୍ରାପ୍ତ କାଉନସେଲର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ‘ପିଅର୍ ସପୋର୍ଟର’ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଅପରେସନାଲ୍ ଗାଇଡଲାଇନ ଅନ୍ ମେଣ୍ଟାଲ୍ ହେଲଥ୍ ଆଣ୍ଡ ୱେଲ-ବିଙ୍ଗ ଅଫ୍ ଚିଲଡ୍ରେନ୍‌, ଆଡୋଲେସେଣ୍ଟସ ଆଣ୍ଡ ୟଙ୍ଗ ଆଡଲ୍ଟସ୍‌’ ଶୀର୍ଷକ ରିପୋର୍ଟରେ ୩ ବର୍ଷ ବୟସର ଶିଶୁଙ୍କଠାରୁ ଆରମ୍ଭ କରି ୧୮ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ୫ଟି ବୟସଭିତ୍ତିକ ପର୍ଯ୍ୟାୟରେ ବିଭକ୍ତ କରି ସମସ୍ୟା ଚିହ୍ନଟ, ଉପଚାର ଓ ପରାମର୍ଶ ନିମନ୍ତେ ଏହି ଗାଇଡଲାଇନରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି।

ଜାତୀୟ ଶିକ୍ଷା ନୀତି-୨୦୨୦, ଆଇସିଡିଏସ, ପୋଷଣ ଅଭିଯାନ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସମଗ୍ର ଶିକ୍ଷା, ମନୋଦର୍ପଣ, ୟୁଜିସି ଗାଇଡଲାଇନ୍‌, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଏବଂ ରାଜ୍ୟର ସୁଭଦ୍ରା ଶକ୍ତି ଓ ଅଦ୍ୱିକା କାର୍ଯ୍ୟକ୍ରମ ସହ ସମନ୍ୱୟ ରକ୍ଷା କରି ଏହି ଏସଓପି ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହି ଏସଓପିରେ ପିଲାମାନଙ୍କ ନିୟମିତ ମାନସିକ ସ୍ୱାସ୍ଥ୍ୟ ସଚେତନତା, ସମସ୍ୟା ଚିହ୍ନଟ ଓ ପ୍ରତିକ୍ରିୟା, ନିରୀକ୍ଷଣ ତଥା ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି।

ପ୍ରାକ୍‌-ପ୍ରାଥମିକସ୍ତର ବା ୩ରୁ ୫ ବର୍ଷ ବୟସର ଶିଶୁଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର(Anganwadi) ଓ ପ୍ଲେ-ସ୍କୁଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି। ଏହି ବୟସରେ ପିଲାଙ୍କର ମସ୍ତିଷ୍କର ପ୍ରାୟ ୯୦ ପ୍ରତିଶତ ବିକାଶ ଘଟିଥାଏ ଯଦିଓ ପିଲାମାନେ ନିଜ ମନର କଥା କହିପାରନ୍ତି ନାହିଁ ଓ ସେମାନେ କାନ୍ଦିବା, ରାଗିବା, ଜିଦ୍ କରିବା କିମ୍ବା ଚୁପଚାପ୍ ରହିବା ମାଧ୍ୟମରେ ମାନସିକ ଅସ୍ଥିରତା ପ୍ରକାଶ କରନ୍ତି। ଘରୁ ପ୍ରଥମଥର ବାହାରକୁ ଆସିବା ଯୋଗୁଁ ସେମାନଙ୍କ ମଧ୍ୟରେ ଅଲଗା ହେବାର ଭୟ ବା ବିଚ୍ଛେଦଜନିତ ଚିନ୍ତା (ସେପାରେସନ୍ ଆଙ୍ଗଜାଇଟି) ଦେଖାଦିଏ।

ଏହାକୁ ଦୂର କରିବା ପାଇଁ ଅଙ୍ଗନୱାଡ଼ି କର୍ମୀମାନେ ପ୍ରତ୍ୟେକ ଦିନ ହସ, ଖୁସି, ଡର ଓ ରାଗ ଥିବା ‘ମୁଡ୍ ଫେସ୍‌’ ଚିତ୍ର କାର୍ଡ ଜରିଆରେ ପିଲାଙ୍କ ମନୋଭାବ ବୁଝିବେ, ଖେଳଭିତ୍ତିକ ଶିକ୍ଷା, ଗପ କହିବା, ଚିତ୍ରାଙ୍କନ ଓ ମାନସିକ ଅଶାନ୍ତି ସମୟରେ ଶାନ୍ତ ରହିବା ପାଇଁ କୋମଳ ବିଛଣାଯୁକ୍ତ ‘କାଲ୍ମ କର୍ଣ୍ଣର’ ବ୍ୟବହାର କରିବେ। ଏପରିକି ପିଲାଟିର ଖାଦ୍ୟ ଖାଇବା ଶୈଳୀରୁ ମଧ୍ୟ ତାର ପୁଷ୍ଟିହୀନତା ଓ ମାନସିକ ବିକାଶର ପାରସ୍ପରିକ ସମ୍ପର୍କ ଅନୁଧ୍ୟାନ କରାଯିବ।

ସେହିପରି ୬ରୁ ୧୦ ବର୍ଷ ବୟସର ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ପଂଚମ ଶ୍ରେଣୀ) ପିଲାମାନେ(Children) ଖେଳକୁଦରୁ ଆସି ନିୟମିତ ପାଠପଢ଼ା, ପରୀକ୍ଷା ଭୟ ଓ ସାଙ୍ଗସାଥୀଙ୍କ ମେଳରେ ପ୍ରତିଯୋଗିତାର ସମ୍ମୁଖୀନ ହୁଅନ୍ତି। ଶିକ୍ଷକମାନେ ପ୍ରତିଦିନ ସକାଳେ ଶ୍ରେଣୀଗୃହରେ ‘ମୁଡ୍ ଚାର୍ଟ’ ଓ ‘ସର୍କଲ୍ ଟାଇମ୍‌’ ମାଧ୍ୟମରେ ପିଲାଙ୍କ ଭାବନା ବୁଝିବେ, ଶ୍ୱାସକ୍ରିୟା ବ୍ୟାୟାମ, ଧ୍ୟାନ ଓ ଗ୍ରୁପ୍ କାର୍ଯ୍ୟ ମାଧ୍ୟମରେ ଆତ୍ମ ସଚେତନତା, ଭାବନା ଉପରେ ନିୟନ୍ତ୍ରଣ ଓ ସହାନୁଭୂତି ଭଳି ଶିକ୍ଷା ଦେବେ।

ସେହିପରି ୧୧ରୁ ୧୪ବର୍ଷର ଉଚ୍ଚ ପ୍ରାଥମିକସ୍ତରର ପିଲାମାନଙ୍କ ପାଇଁ ଶାରୀରିକ ଓ ହରମୋନ୍ ଗତ ପରିବର୍ତ୍ତନ, କୈଶୋର ଅବସ୍ଥାର ଚାପ, ଋତୁସ୍ରାବ ସ୍ୱଚ୍ଛତା, ବନ୍ଧୁତ୍ୱ, ସାଙ୍ଗସାଥୀଙ୍କ ଚାପ, ଲିଙ୍ଗଗତ ସମାନତା ଓ ଯୌନ ଶୋଷଣ ବିରୋଧରେ ‘ନୋ ମିନ୍ସ ନୋ’ ସମ୍ପର୍କିତ ପାକ୍ଷିକ ଆଲୋଚନା ଓ ‘ଅଦ୍ୱିକା’ ଅଧିବେଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି।

୧୫ ରୁ ୧୮ ବର୍ଷ ବୟସର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକସ୍ତରର ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷାର ଚାପ, କ୍ୟାରିୟର ଚିନ୍ତା, ସାମାଜିକ ଗଣମାଧ୍ୟମ ବା ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର, ସାଇବର ବୁଲିଂ, ନିଶାଦ୍ରବ୍ୟ ସେବନ, ନିଜ ଶରୀରକୁ ଆଘାତ ଦେବା ଓ ଆତ୍ମହତ୍ୟା ଭଳି ଗମ୍ଭୀର ବିପଦର ସମ୍ମୁଖୀନ ହୁଅନ୍ତି। ପରୀକ୍ଷା ଚାପ କମାଇବା ପାଇଁ ପୋମୋଡୋରୋ ପଦ୍ଧତି ଅର୍ଥାତ୍ ୨୫ ମିନିଟ୍ ପାଠପଢ଼ା ପରେ ୫ ମିନିଟ୍ ବିରତି, ଗଭୀର ଶ୍ୱାସକ୍ରିୟା ଓ ନିୟମିତ ଶୋଇବା ଅଭ୍ୟାସ ଶିକ୍ଷା ଦେବାକୁ ପରାମର୍ଶ ଦିଆଯାଇଛି।

ସେହିପରି ୧୮ ବର୍ଷରୁ ଊର୍ଦ୍ଧ୍ୱ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଘରଠାରୁ ଦୂରରେ ରହିବା, ଆର୍ôଥକ ଅନିଶ୍ଚିତତା, ରାଗିଂ, ଭେଦଭାବ, ସମ୍ପର୍କରେ ବିଫଳତା ଓ ନିଶା ସେବନ ଭଳି ଜଟିଳତା ଦୂର କରିବାକୁ ପ୍ରତ୍ୟେକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏକ ପୂର୍ଣ୍ଣାଙ୍ଗ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର (ଏମଏଚଡବ୍ଲ୍ୟୁବିସି) ପ୍ରତିଷ୍ଠା କରିବାକୁ କୁହାଯାଇଛି। ଅନୁଷ୍ଠାନର ମୁଖ୍ୟଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ବ୍ୟବସ୍ଥାରେ ନୋଡାଲ୍ ଅଧିକାରୀ, ପେସାଦାର କାଉନସେଲର, ହଷ୍ଟେଲ୍ ୱାର୍ଡେନ୍ ଓ ପ୍ରତି ୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଲେଖାଏଁ ତାଲିମପ୍ରାପ୍ତ ସହପାଠୀ ସହାୟକ ବା ‘ପିଅର୍ ସପୋର୍ଟର’ ନିୟୋଜିତ ହେବେ। ଏହାସହ କ୍ୟାମ୍ପସରେ ଛାତ୍ରୀଙ୍କ ସୁରକ୍ଷା ଓ ତ୍ୱରିତ ଅଭିଯୋଗ ସମାଧାନ ପାଇଁ ସିସିଟିଭି ଓ ତାଲିମପ୍ରାପ୍ତ ଛାତ୍ରୀଙ୍କ ସହାୟତାରେ ‘ଶକ୍ତିଶ୍ରୀ’ ଅଭିଯାନ କାର୍ଯ୍ୟକାରୀ ହେବ।

ଏହି ଏସଓପିରେ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ସ୍ପଷ୍ଟ ନିୟମ ଲାଗୁ କରାଯାଇଛି। କୌଣସି ପିଲା -ଛାତ୍ରଛାତ୍ରୀଙ୍କ ଅସ୍ୱାଭାବିକ ଆଚରଣ, କ୍ରମାଗତ ଉଦାସୀନତା, ଭୟ କିମ୍ବା ହିଂସ୍ର ମନୋଭାବ ଯଦି କ୍ରମାଗତ ୨ସପ୍ତାହରୁ ଅଧିକ ସମୟ ଧରି ଲାଗି ରହେ ତାକୁ ଚିନ୍ତାଜନକ ବୋଲି ଧରାଯିବ। ଆଉ ସେମାନଙ୍କୁ ବୁଝାସୁଝା, ସହାୟତା, ନିରୀକ୍ଷଣ ଓ ରେଫର୍ କରିବାର ଏକ ଶୃଙ୍ଖଳିତ ନିୟମ ରହିଛି। ପିଲାମାନଙ୍କୁ ସାଧାରଣ ବା ସବୁଜ ସମେତ ଯତ୍ନ ଆବଶ୍ୟକ କରୁଥିବା ହଳଦିଆ-ଅରେଞ୍ଜ ଓ ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଥିବା ଲାଲ୍ ବର୍ଗରେ ବିଭକ୍ତ କରି ଡାକ୍ତର କିମ୍ବା ଡିଇଆଇସି କେନ୍ଦ୍ରକୁ ପଠାଯିବ।

କୌଣସି ପରିସ୍ଥିତିରେ ବି ପିଲାଙ୍କ ଉପରେ ‘ଅଳସୁଆ’, ‘ଜିଦିଆ’ ବା ‘ସମସ୍ୟାଗ୍ରସ୍ତ ପିଲା’ ଭଳି ଖରାପ ଲେବୁଲ୍ କଦାପି ଲଗାଇ ପାରିବେ ନାହିଁ କିମ୍ବା ସେମାନଙ୍କୁ ସର୍ବସାଧାରଣରେ ଅପମାନିତ କରାଯାଇପାରିବ ନାହିଁ। ଶିକ୍ଷକ-କର୍ମଚାରୀମାନେ କଠିନ ଡାକ୍ତରୀ ଶବ୍ଦ ପରିବର୍ତ୍ତେ ନରମ ଓ ଆଶ୍ୱାସନାପୂର୍ଣ୍ଣ ଭାଷା ବ୍ୟବହାର କରିବେ।
ଯଦି କୌଣସି ଶିଶୁ ଶୋଷଣ, ଅବହେଳା କିମ୍ବା ଆତ୍ମହତ୍ୟାର ଆଶଙ୍କା ଥାଏ, ତେବେ କୌଣସି ବିଳମ୍ବ ନକରି ଚାଇଲଡ୍ ହେଲପଲାଇନ୍ ନମ୍ବର-୧୦୯୮, ଟେଲି-ମାନସ ୧୪୪୧୬ କିମ୍ବା ୧୮୦୦୮୯୧୪୪୧୬, ମନୋଦର୍ପଣ ୮୪୪୮୪୪୦୬୩୨, ଜରୁରୀକାଳୀନ ନମ୍ବର-୧୧୨, ସାଇବର ହେଲପଲାଇନ୍ ୧୯୩୦, ମହିଳା ହେଲପଲାଇନ୍ ୧୮୧, ନିଶା ନିବାରଣ ହେଲପଲାଇନ୍ ୧୪୪୪୬, ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବା ଶିଶୁ କଲ୍ୟାଣ ସମିତିକୁ ତୁରନ୍ତ ଜଣାଇବାକୁ କଡ଼ା ନିର୍ଦ୍ଦେଶ ରହିଛି।

ଏହି ସମଗ୍ର ବ୍ୟବସ୍ଥାରେ ଶିଶୁ ଓ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଦେଖାଶୁଣା କରୁଥିବା ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଓ କାଉନସେଲରମାନଙ୍କ ନିଜସ୍ୱ ମାନସିକ ସୁସ୍ଥତା ଉପରେ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।
📲Get App