Business
ବେଦାନ୍ତକୁ ‘ହାଇକୋର୍ଟ’ ଝଟକା: ୨୦୦୪ ମସିହା ଚୁକ୍ତି ଦରରେ ମିଳିବନି ବକ୍ସାଇଟ୍, ଖାରଜ ହେଲା ଆବେଦନ
ଓଡ଼ିଶା ସରକାରଙ୍କଠୁ ୨୦୦୪ ମସିହାର ପୁରୁଣା ଚୁକ୍ତି ମୁତାବକ ଶସ୍ତା ଦରରେ ବକ୍ସାଇଟ୍ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଦାନ୍ତ ଆଲୁମିନିୟମକୁ ଆଜି ଶକ୍ତ ଝଟକା ଲାଗିଛି। ବେଦାନ୍ତ କରିଥିବା ଆବେଦନରେ କୌଣସି ଯଥାର୍ଥତା ନଥିବା ଦର୍ଶାଇ ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏହାସହ ପୂର୍ବରୁ ଏହି ମାମଲାରେ ଜାରି ହୋଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ମଧ୍ୟ କୋର୍ଟ ପ୍ରତ୍ୟାହାର କରିନେଇଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଦ୍ୱାରା ଦାଏର ରିଟ୍ ପିଟିସନର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୦୪ ମସିହା ଅକ୍ଟୋବର ୫ ତାରିଖରେ ରାଜ୍ୟ ସରକାର ଓ ଓଡ଼ିଶା ଖଣି ନିଗମ (ଓଏମସି) ସହ ହୋଇଥିବା ଚୁକ୍ତି ଅନୁସାରେ ୧୫୦ ନିୟୁତ ଟନ୍ ବକ୍ସାଇଟ୍ ପୁରୁଣା ମୂଲ୍ୟରେ (ଉତ୍ତୋଳନ ଖର୍ଚ୍ଚ ଓ ୫୦ ପ୍ରତିଶତ ରୟାଲଟି) ଯୋଗାଇ ଦେବା ଦାବିରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଦାନ୍ତ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଉପରେ ଆଧାର କରି କମ୍ପାନୀ ରାଜ୍ୟରେ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ନିମନ୍ତେ ବଡ଼ଧରଣର ପୁଞ୍ଜିନିବେଶ କରିଥିଲା ଓ କଂଚାମାଲ ନମିଳିବାରୁ ସେମାନଙ୍କର ବିପୁଳ କ୍ଷତି ହୋଇଛି ବୋଲି ବେଦାନ୍ତ ପକ୍ଷରୁ କୋର୍ଟରେ ଯୁକ୍ତି ଦିଆଯାଇଥିଲା।
ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ଦାବିକୁ ଦୃଢ଼ ବିରୋଧ କରି ଯୁକ୍ତି ବାଢ଼ିଥିଲେ ଯେ, ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ଏମଏମଡିଆର ଆକ୍ଟ ସଂଶୋଧନ ହେବାପରେ ଓଡ଼ିଶା ସରକାରଙ୍କ ସହ ପୂର୍ବରୁ ହୋଇଥିବା ଯୌଥ ଉଦ୍ୟୋଗ ଚୁକ୍ତି ଆପୋଷ ବୁଝାମଣାରେ ରଦ୍ଦ ହୋଇସାରିଥିଲା। ଏହାପରେ ବେଦାନ୍ତ ନିଜେ ରାଜ୍ୟ ସରକାରଙ୍କ ଦୀର୍ଘମିଆଦି ଯୋଗାଣ ବା ଲଙ୍ଗ ଟର୍ମ ଲିଙ୍କେଜ୍ ନୀତି(ଏଲଟିଏଲ)କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା ଓ ଏବେମଧ୍ୟ ୨୦୨୩ରୁ ୨୦୨୮ମସିହା ପର୍ଯ୍ୟନ୍ତ ବୈଧ ଥିବା ଏଲଟିଏଲ୍ ଚୁକ୍ତିନାମା ଅନୁସାରେ କମ୍ପାନୀକୁ ନିୟମିତ ବକ୍ସାଇଟ୍ ଯୋଗାଣ ଚାଲିଛି।
ରାଜ୍ୟ ସରକାରଙ୍କ ଯୁକ୍ତିକୁ କାଏମ ରଖି ହାଇକୋର୍ଟ କହିଛନ୍ତି ଯେ, ନୂଆ ବ୍ୟବସ୍ଥାରେ ସାମିଲ ହୋଇସାରିବା ପରେ ଓ ୨୦୧୫ର ଚୁକ୍ତି ବାତିଲ ନିଷ୍ପତ୍ତିକୁ ସେତେବେଳେ ଚ୍ୟାଲେଞ୍ଜ ନକରି ଏତେବର୍ଷ ପରେ ପୁରୁଣା ସର୍ତ୍ତ ଲାଗୁ କରିବାକୁ ଚାହିଁବା କମ୍ପାନୀର ପରସ୍ପର ବିରୋଧୀ ଆଭିମୁଖ୍ୟ। ଦୀର୍ଘଦିନର ନିରବତା ପରେ ପୁରୁଣା ଚୁକ୍ତିକୁ ପୁନର୍ଜୀବିତ କରିବା ଆଇନ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ନୁହେଁ।
ଅନ୍ୟପଟେ କମ୍ପାନୀ କୋର୍ଟଙ୍କ ରାୟର ଅନୁଧ୍ୟାନ କରୁଛି ଓ ଆଗାମୀ ଆଇନଗତ ପଦକ୍ଷେପ ବାବଦରେ ବିଚାର କରୁଥିବାବେଳେ, ଏହି ରାୟ ଯୋଗୁଁ କାରଖାନାକୁ ଚାଲୁ ରହିଥିବା ବକ୍ସାଇଟ୍ ଯୋଗାଣରେ କୌଣସି ବାଧା ଉପୁଜିବ ନାହିଁ ବୋଲି ବେଦାନ୍ତ ଆଲୁମିନିୟମ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।