🔥 TRENDING Poonia says he will apply Haryana’s le... CBI chargesheet alleges cash kickbacks... Haryana Cuts Paddy Stubble‑Burning Inc... Jaishankar Bluntly Responds to Questio... Sun Life CEO Kevin Strain Highlights G... Amarinder Singh Claims BJP Ignored Him...
26 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ପଦଯାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ନୂଆ ନିୟମାବଳୀ: ଫୁଟପାଥ ଜବରଦଖଲ ଓ ବେପରୁୱା ଡ୍ରାଇଭରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ

✍️ Reporter: Deepak Mahapatra 🗓 26 Sep 2026, 01:42 PM 👁 15
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଏହି ନୂଆ ଚିଠା ରୁଲସ୍‌ରେ ରାଜ୍ୟର ସମସ୍ତ ସହରାଂଚଳ ଓ ଜନବହୁଳ ଅଂଚଳରେ ଥିବା ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ନିରବଚ୍ଛିନ୍ନ ତଥା ବାଧାମୁକ୍ତ ଫୁଟପାଥ୍ ନିର୍ମାଣ ବାଧ୍ୟତାମୂଳକ କରାଯାଇଛି । ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଥିବା ବିଭାଗ, ଇଞ୍ଜିନିୟର ଓ ଠିକାଦାର ଏଣିକି ସିଧାସଳଖ ଉତ୍ତରଦାୟୀ ରହିବେ।ରାସ୍ତାରେ ଯାତାୟତ କରୁଥିବା ପଦଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ‘ଓଡ଼ିଶା ପଦଯାତ୍ରୀ ସୁରକ୍ଷା ନିୟମାବଳୀ-୨୦୨୬’ର ଚିଠା ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି । ଆସନ୍ତା ୩୦ଦିନ ମଧ୍ୟରେ ଜନସାଧାରଣ ନିଜର ମତାମତ ଓ ଆପତ୍ତି ଦାଖଲ କରିପାରିବେ। ଏହାପରେ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ଜାରି ହେବ । ଏହି ରୁଲସ୍ ବା ନିୟମାବଳୀ କାର୍ଯ୍ୟକାରୀ ହେବା ଦ୍ୱାରା ରାସ୍ତାରେ ଚାଲୁଥିବା ସାଧାରଣ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ମିଳିବା ସହ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଡ୍ରାଇଭର ଓ ଫୁଟପାଥ୍ ଜବରଦଖଲକାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ନୂଆ ଚିଠା ରୁଲସ୍‌ରେ ରାଜ୍ୟର ସମସ୍ତ ସହରାଂଚଳ ଓ ଜନବହୁଳ ଅଂଚଳ ଦେଇ ଯାଇଥିବା ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ନିରବଚ୍ଛିନ୍ନ ତଥା ବାଧାମୁକ୍ତ ଫୁଟପାଥ୍ ନିର୍ମାଣ ବାଧ୍ୟତାମୂଳକ କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାମାନେ ଯେପରି ଏହି ଫୁଟପାଥରେବିନା ବାଧାରେ ଯାତାୟତ କରିପାରିବେ,ସେଥିପାଇଁ ଟାକଟାଇଲ୍ ପେଭିଂ (ବ୍ରେଲ୍ ଟାଇଲ୍ସ) ଓ ହୁଇଲଚେୟାର ରାମ୍ପର ବ୍ୟବସ୍ଥା ରହିବ।

ଫୁଟପାଥ୍ ଉପରେ କୌଣସି ପ୍ରକାର ଅନଧିକାର ଗାଡ଼ି ଚଳାଚଳ, ପାର୍କିଂ କିମ୍ବା ବେଆଇନ ଦୋକାନ ବଜାର ବସାଇବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ମୋଟର ଯାନ ଆଇନ ଓ ପୌର ନିୟମ ଅନୁସାରେ ଜୋରିମାନା ସହିତ ଗାଡ଼ି ଓ ସାମଗ୍ରୀ ଜବତ କରାଯିବାର ପ୍ରାବଧାନ ରହିଛି।
ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ସିସିଟିଭି, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ଓ ଜିଓ-ଟ୍ୟାଗ୍ ଫଟୋ ଭଳି ବ୍ୟବସ୍ଥା ଲାଗୁ କରାଯିବ। ଏହାସହିତ ପ୍ରଶାସନ ଚାହିଁଲେ ଐତିହ୍ୟ ସ୍ଥଳୀ, ପ୍ରସିଦ୍ଧ ମନ୍ଦିର ଓ ବଜାର ଅଂଚଳଗୁଡ଼ିକୁ ସ୍ଥାୟୀ ବା ନିର୍ଦ୍ଦିଷ୍ଟ ସମୟ ପାଇଁ ‘କେବଳ ପଦଯାତ୍ରୀ ଜୋନ୍‌’ ଘୋଷଣା କରିପାରିବେ।

ବେପରୁଆ ଗାଡ଼ି ଚାଳନାକୁ ନିୟନ୍ତ୍ରଣ କରିବା ପାଇଁ ସ୍କୁଲ ଓ ମେଡିକାଲ ନିକଟବତ୍ତୀ ରାସ୍ତାରେ ଗାଡ଼ିଗୁଡ଼ିକର ସର୍ବାଧିକ ସ୍ପିଡ୍ ଘଣ୍ଟା ପ୍ରତି ୨୫ କିମି ଧାର୍ଯ୍ୟ ହୋଇଛି। ଟ୍ରାଫିକ୍ ସିଗନାଲ୍ ନଥିବା ଜେବ୍ରା କ୍ରସିଂରେ ରାସ୍ତା ପାର ହେଉଥିବା ପଦଯାତ୍ରୀଙ୍କୁ ପ୍ରଥମେ ଯିବାକୁ ଛାଡ଼ିବା ପ୍ରତ୍ୟେକ ଗାଡ଼ିଚାଳକଙ୍କ ପାଇଁ ବାଧ୍ୟତାମୂଳକ ଓ ସେହି ସମୟରେ ଅନ୍ୟ ଗାଡ଼ିକୁ ଓଭରଟେକ୍ କରିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। ରାସ୍ତାକଡ଼ରେ ଗାଡ଼ି ରଖି ଅସାବଧାନ ଭାବେ ହଠାତ୍ କବାଟ ଖୋଲିବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ, ଯାହାଫଳରେ ପଛରୁ ଆସୁଥିବା ପଦଯାତ୍ରୀ ବା ସାଇକେଲ ଆରୋହୀ ଦୁର୍ଘଟଣାରୁ ବର୍ତ୍ତିପାରିବେ। ସାଇକେଲ ଚାଳକଙ୍କୁ ଅତିକ୍ରମ କରିବାବେଳେ ମୋଟର ଯାନଗୁଡ଼ିକ ଅତି କମରେ ୧.୫ ମିଟର ପାର୍ଶ୍ୱ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ। ସହରାଂଚଳରେ ପ୍ରତି ୧୫୦ ମିଟର ବ୍ୟବଧାନରେ ସୁରକ୍ଷିତ କ୍ରସିଂ, ଉପଯୁକ୍ତ ଆଲୋକ ଓ ସ୍ପିଡ୍ ଟେବୁଲ୍ ବ୍ୟବସ୍ଥା ନିଶ୍ଚିତ କରାଯିବ।

ଅନ୍ୟପକ୍ଷରେ, ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଥିବା ବିଭାଗ, ଇଞ୍ଜିନିୟର ଓ ଠିକାଦାରମାନଙ୍କୁ ସିଧାସଳଖ ଉତ୍ତରଦାୟୀ କରାଯାଇଛି। ପ୍ରତ୍ୟେକ ପ୍ରକଳ୍ପ ସମାପ୍ତ ହେବା ପରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଓ ସମ୍ପୃକ୍ତ ଠିକାଦାର ମିଳିତ ଭାବେ ସମସ୍ତ ପଦଯାତ୍ରୀ ସୁରକ୍ଷା ମାନଦଣ୍ଡ ପୂରଣ ହୋଇଛି ବୋଲି ଲିଖିତ ସତ୍ୟପାଠ ଦେବେ। କୌଣସି ଠିକାଦାର କିମ୍ବା ଇଞ୍ଜିନିୟରଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କିମ୍ବା ଖୋଲା ଡ୍ରେନ ଯୋଗୁଁ ଯଦି କୌଣସି ପଦଯାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଅବା ଅଙ୍ଗହାନି ଘଟେ, ତେବେ ମୋଟର ଯାନ ଆଇନର ଧାରା ୧୯୮(ଏ) ଅଧୀନରେ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ବ୍ଲାକଲିଷ୍ଟ କରାଯିବ। ପରିବେଶ ସୁରକ୍ଷା ପାଇଁ ଫୁଟପାଥ୍ ନିର୍ମାଣରେ ଭଙ୍ଗାରୁଜା ‘ନିର୍ମାଣ ଆବର୍ଜନା’ରୁ ପ୍ରସ୍ତୁତ ‘ରିସାଇକେଲ ଟାଇଲ’୍ସ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ୟୁଟିଲିଟି ଏଜେନ୍ସିଗୁଡ଼ିକ ରାସ୍ତା ଖୋଳିବା ପରେ ଫୁଟପାଥ୍ ମରାମତି ନକଲେ ସେମାନଙ୍କୁ କାର୍ଯ୍ୟ ସମାପ୍ତି ପ୍ରମାଣପତ୍ର ବା ଚୂଡ଼ାନ୍ତ ବିଲ୍ ମିଳିବ ନାହିଁ। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ମଧ୍ୟ ପଦଯାତ୍ରୀଙ୍କ ପାଇଁ ଅତି କମରେ ଦେଢ଼ମିଟରର ଅସ୍ଥାୟୀ ସୁରକ୍ଷିତ ପଥ ଛାଡ଼ିବାକୁ ପଡ଼ିବ।

ରାସ୍ତାରେ ଥିବା ବିପଦଜନକ ତ୍ରୁଟି ସଜାଡ଼ିବା ପାଇଁ କଡ଼ା ସମୟସୀମା ଧାର୍ଯ୍ୟ କରାଯାଇଛି। ସ୍କୁଲ ଓ ମେଡିକାଲ ନିକଟରେ ଥିବା ଖୋଲା ଡ୍ରେନ୍‌, ଭଙ୍ଗା ସ୍ଲାବ୍ ଓ ଲିଭିଯାଇଥିବା ଜେବ୍ରା କ୍ରସିଂ ଭଳି ଅତି ବିପଦପୂର୍ଣ୍ଣ ତ୍ରୁଟିଗୁଡ଼ିକୁ ୭ରୁ ୩୦ ଦିନ ମଧ୍ୟରେ ସଜାଡ଼ିବାକୁ ହେବ। ସାଇନବୋର୍ଡ଼, ଲାଇଟ୍ ଓ ଜବରଦଖଲ ଉଚ୍ଛେଦ ଭଳି କାମ ସର୍ବାଧିକ ୩ ମାସ ଓ ଫୁଟପାଥ୍ ସଂଯୋଗୀକରଣ କାର୍ଯ୍ୟ ୩ ରୁ ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ରହିଛି।

ସାଧାରଣ ଲୋକଙ୍କ ସୁବିଧା ପାଇଁ ଏକ ଅନଲାଇନ୍ ଅଭିଯୋଗ ବ୍ୟବସ୍ଥା କରାଯିବ, ଯେଉଁଠାରେ ଫୁଟପାଥ୍ ଜବରଦଖଲ ବା ଖରାପ ରାସ୍ତା ସମ୍ପର୍କରେ ଅଭିଯୋଗ କଲେ ୩୦ ଦିନ ମଧ୍ୟରେ ସମାଧାନ କରାଯିବ। ସମଗ୍ର ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ରାଜ୍ୟ(Odisha) ପରିବହନ ଆୟୁକ୍ତ ତଥା ଜିଲ୍ଲା ସଡ଼କ ସୁରକ୍ଷା କମିଟି ଦ୍ୱାରା ନିୟମିତ ଅଡିଟ୍ ଓ ଡ୍ୟାସବୋର୍ଡ଼ ମାଧ୍ୟମରେ ମାସିକ ସମୀକ୍ଷା କରାଯିବ ବୋଲି ନିୟମାବଳୀରେ ପ୍ରାବଧାନ ରହିଛି।
📲Get App