🔥 ट्रेंडिंग સાબરકાંઠા કલેક્ટર કચેરીમાં સંકલન સમિતિ... ગીરગઢડા તાલુકામાં ધોધમાર વરસાદ નોંધાયો असम के मुख्यमंत्री हिमंत बिस्व सरमा ने... आसाम ने ज़ुबीन गार्ग को एक वर्ष बाद या... आसाम ने 9,054 मॉडल अंगानवाड़ी केन्द्रो... केंद्र ने चार हाई कोर्टों में जजों और...
19 सित. 2026
ગુજરાતી मराठी ਪੰਜਾਬੀ বাংলা
ପୌର ନିର୍ବାଚନ ପାଇଁ ତତ୍ପରତା: ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାରିଖ ବଦଳାଇଲେ ସରକାର, ଅକ୍ଟୋବର ୩୧ରେ ଚୂଡ଼ାନ୍ତ ତାଲିକା
राजनीति

ପୌର ନିର୍ବାଚନ ପାଇଁ ତତ୍ପରତା: ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ତାରିଖ ବଦଳାଇଲେ ସରକାର, ଅକ୍ଟୋବର ୩୧ରେ ଚୂଡ଼ାନ୍ତ ତାଲିକା

✍️ रिपोर्टर: Deepak Mahapatra 🗓 19 सित. 2026, 12:15 PM 👁 12
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟର ପୌରପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି) ଓ ମହାନଗର ନିଗମଗୁଡ଼ିକରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ସହ ଆସନ ସଂରକ୍ଷଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି।ରାଜ୍ୟରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟର ପୌରପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ(ଏନଏସି) ଓ ମହାନଗର ନିଗମଗୁଡ଼ିକରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ସହ ଆସନ ସଂରକ୍ଷଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ କରାଯାଇ ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଏହି ନୂଆ ସମୟସୀମା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ଓଡ଼ିଶା ମ୍ୟୁନିସିପାଲ ଆଇନ-୧୯୫୦ର ଧାରା ୧୧ ଓ ୧୨ର ଏବଂ ରୁଲସ୍ ଅନୁସାରେ ଜିଲ୍ଲାପାଳମାନେ ଆସନ୍ତା ସେପ୍ଟେମ୍ବର ୨୪ତାରିଖରେ ପୌର ପରିଷଦ ଓ ଏନଏସି ପାଇଁ ୱାର୍ଡ ସୀମା ପୁନର୍ଗଠନ ଓ ସଂରକ୍ଷଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ କରି ଜନସାଧାରଣଙ୍କଠୁ ଆପତ୍ତି ଓ ପରାମର୍ଶ ଆହ୍ୱାନ କରିବେ। ଏହାଉପରେ ଦାବି କିମ୍ବା ଆପତ୍ତି ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୩ତାରିଖ ରଖାଯାଇଛି। ଏହି ପ୍ରାଥମିକ ବିଜ୍ଞପ୍ତି ବିରୋଧରେ ଯଦି କାହାର ଆପତ୍ତି ଥାଏ, ତେବେ ସେମାନେ ଅକ୍ଟୋବର ୭ରୁ ୨୧ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ୍ କରିପାରିବେ।
ଦାଖଲ ହୋଇଥିବା ସମସ୍ତ ଅପିଲ୍ ଓ ତାହା ଉପରେ ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ସ୍ୱତନ୍ତ୍ର ଦୂତ ଜରିଆରେ ଅକ୍ଟୋବର ୨୨ତାରିଖ ସୁଦ୍ଧା ଭୁବନେଶ୍ୱରସ୍ଥିତ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ। ଏହାପରେ ରାଜ୍ୟ ସରକାର ଅପିଲେଟ୍ କର୍ତ୍ତୃପକ୍ଷ ଭାବେ ପୌର ପ୍ରଶାସନ ନିର୍ଦ୍ଦେଶକ ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ଏହି ଅପିଲଗୁଡ଼ିକର ଶୁଣାଣି କରି ଚୂଡ଼ାନ୍ତ ନିଷ୍ପତ୍ତିି ଜଣାଇବେ। ସରକାରୀ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସଂଶୋଧନ କରି ଜିଲ୍ଲାପାଳମାନେ ଅକ୍ଟୋବର ୩୧ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବେ ଓ ତୁରନ୍ତ ଏହାର ନକଲ ରାଜ୍ୟ ନିର୍ବାଚନ କମିଶନ, ସରକାର ତଥା ସମ୍ପୃକ୍ତ ପୌରପାଳିକା କିମ୍ବା ଏନଏସିକୁ ପଠାଇବେ ବୋଲି ଜଣାପଡ଼ିଛି।ସେହିପରି ରାଜ୍ୟର ୪ ପ୍ରମୁଖ ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ମଧ୍ୟ ସ୍ୱତନ୍ତ୍ର ସମୟସୀମା ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ସମ୍ପୃକ୍ତ ମହାନଗର ନିଗମଗୁଡ଼ିକ ପକ୍ଷରୁ ନିର୍ଦ୍ଧାରିତ ଫର୍ମ-୧ ଓ ଫର୍ମ-୨ରେ ୱାର୍ଡ ବିଭାଜନ, ଆସନ ସଂରକ୍ଷଣ ସୂଚନା, ସ୍କେଚ୍ ମ୍ୟାପ୍ ଓ ନିଗମର ସଂକଳ୍ପ ସହିତ ନଗର ଉନ୍ନୟନ ବିଭାଗ ନିକଟରେ ଦାଖଲ କରାଯିବ।

ଏହାପରେ ଅକ୍ଟୋବର ୫ ତାରିଖରେ ସରକାରଙ୍କ ପକ୍ଷରୁ ମହାନଗର ନିଗମଗୁଡ଼ିକର ପ୍ରସ୍ତାବିତ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହା ଉପରେ ସାଧାରଣ ଲୋକେ ନିଜର ଆପତ୍ତି ଓ ପ୍ରସ୍ତାବ ଦାଖଲ କରିପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମଗ୍ର ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଭାବେ ଶେଷ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ପୌର ନିର୍ବାଚନ ଆସନ୍ତାବର୍ଷ ଏପ୍ରିଲ-ମଇ ସୁଦ୍ଧା କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
📲Get App