🔥 TRENDING Chhattisgarh Disburses ₹632.63 Crore i... Amit Shah Accuses Congress of Supporti... Chhattisgarh High Court Rules Fatwas C... Rahul Gandhi launches 'Insaaf Rally' i... ਰਾਹੁਲ ਗਾਂਧੀ ਇਨਸਾਫ ਰੈਲੀ ਵਿੱ હિંમતનગરમાં દિવાળી ખરીદી માટે પોલીસની...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ORS ଅଧିକାରୀ, ବାନ୍ଧିଲା ଭିଜିଲାନ୍ସ

✍️ Reporter: Deepak Mahapatra 🗓 04 Nov 2026, 01:39 PM 👁 18
Share: 💬 WhatsApp 📘 Facebook 𝕏 Post
ସମ୍ବଲପୁର: ଦୁର୍ନୀତି ବିରୋଧୀ ଅଭିଯାନରେ ଭିଜିଲାନ୍ସକୁ ବଡ଼ ସଫଳତା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ତାଳଚେର-ସମ୍ବଲପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ ଗଡ଼ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ନିକଟରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ରାଶି ଜବତ କରିବା ସହ ତାଙ୍କୁ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ।
ସୂଚନା ଅନୁଯାୟୀ, ରେଳପଥ ଦୋହରୀକରଣ ପ୍ରକଳ୍ପରେ ଜମି ହରାଇଥିବା ଜଣେ ବ୍ୟକ୍ତିଙ୍କ କ୍ଷତିପୂରଣ ଅର୍ଥ ମଞ୍ଜୁର କରାଇଦେବା ଆଳରେ ଅଧିକାରୀ ଅଜୟ ଗଡ଼ନାୟକ ତାଙ୍କୁ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରଥମ କିସ୍ତି ଭାବେ ସେ ପୂର୍ବରୁ ୨ ଲକ୍ଷ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ବଳକା ଅର୍ଥ ପାଇଁ ଚାପ ପକାଇବାରୁ ସମ୍ପୃକ୍ତ ଜମି ମାଲିକ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ।
ଏହାପରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁସାରେ, ବାକି ୩ ଲକ୍ଷ ୧୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଅଜୟ ଗଡ଼ନାୟକଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ପରେ ତାଙ୍କୁ ଗିରଫ କରାଯାଇ ଏହି ଘଟଣାରେ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଛି।
ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଗିରଫଦାରୀ ପରେ ଅଧିକାରୀଙ୍କ ଆୟବର୍ହିଭୂତ ସମ୍ପତ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ଢେଙ୍କାନାଳ ଜିଲ୍ଲାର ରସୋଲ ବ୍ଲକ୍ ଅନ୍ତର୍ଗତ ଗିରିଧାରୀ ପ୍ରସାଦରେ ଥିବା ତାଙ୍କ ପୈତୃକ ଘର, ଅନୁଗୁଳର ସରକାରୀ ବାସଭବନ ସମେତ ସମ୍ବଲପୁର ଓ ଅନୁଗୁଳରେ ଥିବା ସ୍ୱତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ ଯାଞ୍ଚ ଚାଲିଛି। ଏହି ଚଢ଼ାଉରେ ସମ୍ପତ୍ତି ଓ ଅନ୍ୟାନ୍ୟ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି।
କିରାଣୀରୁ ORS ଅଧିକାରୀ ହୋଇଥିଲେ ଅଜୟ
ଅଜୟ ଗଡ଼ନାୟକଙ୍କ ଚାକିରି ଜୀବନ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ୧୯୯୯ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତି ଆଧାରରେ ସେ ସରକାରୀ ଚାକିରି ପାଇଥିଲେ। ପ୍ରାରମ୍ଭରେ କିରାଣୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଗଡ଼ନାୟକ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ORS ଅଧିକାରୀ ହୋଇଥିଲେ।
୨୦୨୩ ମସିହାରୁ ସେ ତାଳଚେର-ସମ୍ବଲପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହି ଘଟଣାକୁ ନେଇ ଅଜୟ ଗଡ଼ନାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲାଞ୍ଚ କାରବାର ସହ ତାଙ୍କ ସମ୍ପତ୍ତି ଓ ଅନ୍ୟାନ୍ୟ ଆର୍ଥିକ ଦିଗକୁ ନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
📲Get App