🔥 TRENDING Father Beaten to Death After Arriving... Four Reserved Festival Special Trains... Rain brings chill to Delhi, residents... BJP State In‑Charge Biplab Deb Visits... Damoh Contractor Charged for Winning T... ભીલડી ખાતેથી સાબરમતી (અમદાવાદ) થી વારા...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଏଭଳି ବର୍ଷା ହେବ ବୋଲି ଆକଳନ ନଥିଲା: ଗଞ୍ଜାମ ବନ୍ୟାକୁ ନେଇ ଜଳସମ୍ପଦ ବିଭାଗର EICଙ୍କ ବଡ଼ ବୟାନ

✍️ Reporter: Deepak Mahapatra 🗓 30 Oct 2026, 04:43 PM 👁 22
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ଲଗାତାର ପ୍ରବଳ ବର୍ଷାରେ ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ପ୍ରାୟ ୩୦୦ଟି ଗାଁ ଜଳବନ୍ଦୀ ହୋଇ ରହିଛି। ଏଥିସହ ପ୍ରାୟ ୨ ହଜାର ଲୋକ ବିଭିନ୍ନ ସ୍ଥାନରେ ଫସି ରହିଥିବା ସୂଚନା ମିଳିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ।
୨୪ ଘଣ୍ଟାରେ ୫୪୬ ମିମି ବର୍ଷା
ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦିଲ୍ଲୀପ କୁମାର ରାଉତ ସେଚ ସଦନଠାରେ ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଭଳି ଅତ୍ୟଧିକ ବର୍ଷା ହେବ ବୋଲି ଆକଳନ କରାଯାଇନଥିଲା।
ଗଞ୍ଜାମର ପାତ୍ରପୁର ବ୍ଲକ୍‌ରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ସାନଖେମୁଣ୍ଡିରେ ୩୮୮ ମିମି, ସୋରଡ଼ାରେ ୩୭୫ ମିମି ଏବଂ ଚିକିଟିରେ ୩୦୯ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ଓ ଘୋଡ଼ାହାଡ଼ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ଫଳରେ ଚାଷଜମି, ରାସ୍ତାଘାଟ ଓ ଜନବସତି ଅଞ୍ଚଳ ଜଳମଗ୍ନ ହୋଇଛି।
୬,୧୭୦ ଲୋକ ସ୍ଥାନାନ୍ତର, ଉଦ୍ଧାର କାର୍ଯ୍ୟ ଜାରି
ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଏଯାଏଁ ୬,୧୭୦ ଜଣଙ୍କୁ ୧୭୭ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ଦିନରାତି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାରେ ପ୍ରାୟ ୭ ଫୁଟ୍ ବନ୍ୟାଜଳରେ ବୁଡ଼ି ରହିଥିବା ଏକ ଏସ୍‌ୟୁଭି ଭିତରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ବଳରାମପୁର ଗାଁରେ ଫସିଥିବା ଅନ୍ୟ ୭ ଜଣଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପ୍ରାୟ ୧୨୦ ଜଣ ଜଳବନ୍ଦୀଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ପ୍ରସ୍ତୁତ ରହିଛି। ତେବେ ଘନ ମେଘ ଓ ଲଗାଣ ବର୍ଷା ଯୋଗୁଁ ଆକାଶମାର୍ଗରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି।
ଅକ୍ଟୋବର ୩୧ ଯାଏଁ ସ୍କୁଲ୍, କଲେଜ ବନ୍ଦ
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଅକ୍ଟୋବର ୩୧ ଯାଏଁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଅନ୍ୟ ଅଧିକାରୀମାନେ ବାଘଲଟି ଓ ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ଉପରେ ନଜର ରଖିଛନ୍ତି। ଆବଶ୍ୟକତା ଅନୁସାରେ ଜଳଭଣ୍ଡାରର ଗେଟ୍ ଖୋଲାଯାଇ ଅତିରିକ୍ତ ଜଳ ନିଷ୍କାସନ କରାଯାଉଛି।
ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଓ ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ସହ ବୁଡ଼ି ରହିଥିବା ରାସ୍ତାରେ ଯାତାୟାତ ନକରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଥିବା ବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
📲Get App