🔥 ट्रेंडिंग टैंपू और कार के बिच भीषण टक्कर आठ लोग... इलाहाबाद प्रकरण को लेकर बेगसराय सिविल... रायबरेली में 17 वर्षीय किशोर का शव नाल... लुथरा भाइयों ने 25 पीड़ितों को 20 लाख... गोवा ने उच्च न्यायालय के आदेश पर सुप्र... गोवा ने 2027 के चुनाव से पहले अनुसूचित...
03 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

Cyclone ମାଡ଼ି ଆସୁଛି ବାତ୍ୟା ‘ମୁରାସୁ’: ଦକ୍ଷିଣ ଓଡ଼ିଶାରେ ହାଇଆଲର୍ଟ, ୧.୬୦ହଜାର ଲୋକଙ୍କୁ ସ୍ଥାନାନ୍ତର, ପହଂଚିଲା କେନ୍ଦ୍ରୀୟ ଟିମ୍‌, ଅର୍ଣ୍ଣବ’ରେ ୪ ମୃତ

✍️ रिपोर्टर: Deepak Mahapatra 🗓 03 नव. 2026, 12:58 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ବିଭୀଷିକା ଏବେ ଦକ୍ଷିଣ ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ଆଉ ଏକ ବାତ୍ୟା ‘ମୁରାସୁ’ ଭୟଙ୍କର ରୂପ ନେଇ ଉପକୂଳମୁହାଁ ହୋଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ ଏବେ ଘଣ୍ଟାପ୍ରତି ୧୨କିମି ବେଗରେ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ପରିଚାଳନା କରୁଥିବାବେଳେ ଏହି ବାତ୍ୟା ‘ମୁରାସୁ’ ପାଇଁ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶାବଳୀ ମାନି ସଚେତନ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଅର୍ଣ୍ଣବ ବାତ୍ୟାରେ ଏପର୍ଯ୍ୟନ୍ତ ୪ଜଣଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ସୂଚନା ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ‘ମୁରାସୁ’ କେନ୍ଦ୍ରୀଭୂତ ରହି ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇଛି । ଏହା ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୮୦ କିମି ପୂର୍ବ-ଉତ୍ତରପୂର୍ବ, କାଭାଲିଠାରୁ ୮୦ କିମି ପୂର୍ବ-ଦକ୍ଷିଣପୂର୍ବ, ଓଙ୍ଗୋଲଠାରୁ ୧୧୦ କିମି ଦକ୍ଷିଣପୂର୍ବ, ତାମିଲନାଡୁର ଚେନ୍ନାଇଠାରୁ ୧୯୦ କିମି ଉତ୍ତର-ଉତ୍ତରପୂର୍ବ ଓ ମଛଲିପଟ୍ଟନମ୍ ଠାରୁ ୧୭୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରତାରେ ରହିଛି।
ସନ୍ଧ୍ୟା ସାଢ଼େ ୫ଟାବେଳର ଏହି ସ୍ଥିତିକୁ ଆକଳନ କରି ଆଇଏମଡି କହିଛି ଯେ, ଏହି ବାତ୍ୟା ଆହୁରି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ମଧ୍ୟରାତ୍ରି ସାଢ଼େ ୧୧ଟାରୁ ନଭେମ୍ବର ୩ ତାରିଖ ଭୋର୍ ୪ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବାବେଳେ ଏହା ଏକ ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଓ ନରସାପୁର ମଝିରେ ଥିବା ଓଙ୍ଗୋଲ ନିକଟ ଦେଇ ଗତି କରିବ, ଯେଉଁ ସମୟରେ ପବନର ନିରନ୍ତର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ଓ ସର୍ବାଧିକ ଝଟକା ପବନର ବେଗ ୧୨୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଚେନ୍ନାଇ, ମଛଲିପାଟନମ୍ ଓ ବିଶାଖାପାଟଣାରେ ଅବସ୍ଥାପିତ ଡପଲର ୱେଦର ରାଡାର ମାଧ୍ୟମରେ ଏହାର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଏହାର ସିଧାସଳଖ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ସମେତ କଳାହାଣ୍ଡି ଓ ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାରେ ପ୍ରବଳ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗର ସଚିବ ଅରବିନ୍ଦ କୁମାର ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ ପ୍ରସ୍ତୁତିର ତଦାରଖ କରିଥିଲେ।
ପୂର୍ବ ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା ଯୋଗୁଁ ରାଜ୍ୟର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମୁଦାୟ ୪୧ଟି ବ୍ଲକର ୪୮୮ଟି ଗ୍ରାମ ପଂଚାୟତ, ୨୧୩୭ଟି ଗାଁ ଓ ୨୩ଟି ପୌରାଂଚଳର ୩୦୭ଟି ୱାର୍ଡରେ ମୋଟ ୨ଲକ୍ଷ ୧୦ହଜାର ୯୨୦ ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।
ଏବେ ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରୁ ମୋଟ ୧ ଲକ୍ଷ ୬୦ହଜାର ୦୨୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବିପଦସଙ୍କୁଳ ଅଞ୍ଚଳରୁ ମୋଟ ୩ ଲକ୍ଷ ୩୩ ହଜାର ୭୫୨ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାରୁ ୧ଲକ୍ଷ ୫୧ହଜାର ୪୩୪ ଜଣଙ୍କୁ ଅଣାଯାଇଛି।
ଏହି ସବୁ ଜିଲ୍ଲାରେ ଲୋକଙ୍କ ରହଣି ପାଇଁ ରାଜ୍ୟରେ ମୋଟ ୨୪୪୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବାବେଳେ ସେଥିମଧ୍ୟରୁ ୫୫୨ଟି ଆଶ୍ରୟସ୍ଥଳୀ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି।
ରିଲିଫ୍ କ୍ୟାମ୍ପଗୁଡ଼ିକରେ ପ୍ରଭାବିତ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଯଥା ଚାଉଳ, ଚୁଡ଼ା, ଗୁଡ଼ ସହ ପଲିଥିନ୍ ଓ ଗୋରୁଗାଈଙ୍କ ପାଇଁ ଗୋ-ଖାଦ୍ୟ ଯୋଗାଇ ଦିଆଯାଉଛି। ଏପର୍ଯ୍ୟନ୍ତ ବିପନ୍ନମାନଙ୍କ ମଧ୍ୟରେ ୫୪୫୮ଟି ପଲିଥିନ୍ ସିଟ୍ ବଣ୍ଟନ କରାସରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ସୁରକ୍ଷା ବାହିନୀକୁ ରଣାଙ୍ଗନରେ ମୁତୟନ କରାଯାଇଛି। ପ୍ରଭାବିତ ଓ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମଗୁଡ଼ିକ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୨ଟି ଓଡ୍ରାଫ୍ ଓ ୩ଟି ଏନଡିଆରଏଫ୍ ମିଶି ମୋଟ ୩୫ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେହିପରି ଗଜପତିରେ ୯ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍‌, ରାୟଗଡ଼ାରେ ୩ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍‌, କୋରାପୁଟରେ ୩ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍‌, ମାଲକାନଗିରିରେ ୩ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍‌, କନ୍ଧମାଳରେ ୪ଟି ଓଡ୍ରାଫ୍ ଓ ୨ଟି ଏନଡିଆରଏଫ୍ ଏବଂ ନବରଙ୍ଗପୁରରେ ୩ଟି ଟିମ୍ ମୁତୟନ ହୋଇ ଯେକୌଣସି ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି।
ଏହାସହ ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି ଆକଳନ ତଥା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ଆସି ପହଂଚିଛନ୍ତି। ସେମାନେ ଦୁଇଟି ଟିମରେ ବିଭକ୍ତ ହୋଇ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ସରଜମିନ ଅନୁଧ୍ୟାନ କରିବେ। ଏହି ୮ଜଣିଆ ଟିମ୍ ଅଲଗା ଅଲଗା ହୋଇ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଯିବେ। ସେମାନେ କେଉଁ କେଉଁ ସ୍ଥାନ ପରିଦର୍ଶନ କରିବେ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଆସନ୍ତା ୪ ତାରିଖରେ ଏହି ଟିମ୍ ଫେରିଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଭୁବନେଶ୍ୱରରେ ବୈଠକ କରିବେ। ପୂର୍ଣ୍ଣାଙ୍ଗ ଆକଳନ ପରେ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତି ରିପୋର୍ଟ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
ସେହିପରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ,ବାତ୍ୟା ‘ଅର୍ଣ୍ଣବ’ (Cyclone Arnab)ଓ ପରବର୍ତ୍ତୀ ପରିସ୍ଥିତି ଯୋଗୁ ଏପର୍ଯ୍ୟନ୍ତ ୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। କିଛି ସ୍ଥାନରେ ଏବେ ବି ଉଦ୍ଧାର ଓ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ବିଶେଷକରି ଗଜପତି ଜିଲ୍ଲାରେ ବାତ୍ୟା ଯୋଗୁଁ ଜୀବନହାନି ହୋଇଥିବାବେଳେ ଆଉ କିଛି ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ମୁତୟନ ଅଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
📲Get App