🔥 TRENDING बाड़मेर में चुनावी पारा चढ़ा, परिणाम क... Nagaland Unveils New Agarwood Policy t... Two killed, six injured as Fortuner pl... Delhi records season's coldest morning... Health worker’s car seized with foreig... Four dead, three injured in head‑on ca...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ଓଡ଼ିଶାରେ ବନ୍ଦ ହେବ ବାଇକ୍ ଟ୍ୟାକ୍ସି ସେବା! Uber ଓ Rapidoକୁ ୧୫ ଦିନର ମହଲତ

✍️ Reporter: Deepak Mahapatra 🗓 13 Nov 2026, 02:33 PM 👁 80
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାରେ ଆପ୍‌ ଆଧାରିତ ବାଇକ୍ ଟ୍ୟାକ୍ସି ସେବାକୁ ନେଇ ଆସିଛି ବଡ଼ ଖବର। ରାଜ୍ୟରେ ବେଆଇନ ଭାବେ ଚାଲୁଥିବା ବାଇକ୍ ଟ୍ୟାକ୍ସି କାରବାର ଉପରେ ରୋକ୍ ଲଗାଇବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ଲୋକପ୍ରିୟ ଆପ୍‌ଭିତ୍ତିକ ପରିବହନ ସଂସ୍ଥା Uber ଓ Rapidoକୁ ନିର୍ଦ୍ଦେଶ ଜାରି କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଶାରେ ନିଜ ନିଜ ପ୍ଲାଟଫର୍ମରୁ ବାଇକ୍ ଟ୍ୟାକ୍ସି ବୁକିଂ ସୁବିଧା ହଟାଇବାକୁ ଉଭୟ ସଂସ୍ଥାକୁ କୁହାଯାଇଛି।
ସୂଚନା ଅନୁଯାୟୀ, ଘରୋଇ ଦୁଇଚକିଆ ଯାନକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରି ଯାତ୍ରୀଙ୍କୁ ନେବା ଆଣିବା କରାଯାଉଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି କ୍ରାଇମବ୍ରାଞ୍ଚ। ଏଭଳି ଯାନଗୁଡ଼ିକ ଆବଶ୍ୟକୀୟ ବ୍ୟବସାୟିକ ଅନୁମତି ଓ ନିୟମ ପାଳନ ନକରି ଯାତ୍ରୀ ପରିବହନ କରୁଥିବା ନେଇ ଆପତ୍ତି ଉଠିଛି। ଏହାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଆପ୍‌ ମାଧ୍ୟମରେ ଚାଲୁଥିବା ବାଇକ୍ ଟ୍ୟାକ୍ସି ବୁକିଂ ବ୍ୟବସ୍ଥା ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି।
କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶରେ ଜିଓ-ଫେନ୍ସିଂ ପ୍ରଯୁକ୍ତିର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାର ଭୌଗୋଳିକ ସୀମା ଭିତରେ ବାଇକ୍ ଟ୍ୟାକ୍ସି ବୁକିଂ ସୁବିଧାକୁ ଅଚଳ କରିବାକୁ ଉଭୟ କମ୍ପାନୀକୁ କୁହାଯାଇଛି। ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ ନକଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ତେବେ ଏହି ନିଷ୍ପତ୍ତି ଯୋଗୁଁ Uber ଓ Rapidoର ସମସ୍ତ ପରିବହନ ସେବା ବନ୍ଦ ହେବ ନାହିଁ। କେବଳ ନିୟମ ବିରୋଧୀ ବାଇକ୍ ଟ୍ୟାକ୍ସି ସେବା ଉପରେ କଟକଣା ଲାଗୁ ହେବ। ଉଭୟ ଆପ୍‌ରେ ଉପଲବ୍ଧ କ୍ୟାବ୍ ଓ ଅଟୋ ବୁକିଂ ସୁବିଧା ପୂର୍ବଭଳି ଚାଲୁ ରହିବ। ଅର୍ଥାତ୍ ଯାତ୍ରୀମାନେ ନିଜ ମୋବାଇଲ୍ ଆପ୍‌ ଜରିଆରେ କାର୍ ଓ ଅଟୋ ଡାକିପାରିବେ।
କ୍ରାଇମବ୍ରାଞ୍ଚର ଏହି ନିଷ୍ପତ୍ତି ପରେ ରାଜ୍ୟରେ ବାଇକ୍ ଟ୍ୟାକ୍ସି ସେବା ସହ ଜଡ଼ିତ ଚାଳକମାନଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ବିଶେଷକରି ଅତିରିକ୍ତ ଆୟ ପାଇଁ ନିଜ ମୋଟରସାଇକେଲ୍‌କୁ ଏହି ସେବାରେ ନିୟୋଜିତ କରୁଥିବା ଚାଳକମାନେ ପ୍ରଭାବିତ ହୋଇପାରନ୍ତି। ସେହିପରି କମ୍ ଖର୍ଚ୍ଚରେ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବାଇକ୍ ଟ୍ୟାକ୍ସି ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କୁ ଏବେ ବିକଳ୍ପ ପରିବହନ ବ୍ୟବସ୍ଥା ଖୋଜିବାକୁ ପଡ଼ିପାରେ।
ତେବେ Uber ଓ Rapido ଏହି ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରୁଛନ୍ତି ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ବାଇକ୍ ଟ୍ୟାକ୍ସି ସେବା ବନ୍ଦ ହେଉଛି କି ନାହିଁ, ତାହା ଉପରେ ଏବେ ନଜର ରହିଛି।
📲Get App