🔥 TRENDING ਗੰਨਾ ਉਤਪਾਦਕਾਂ ਦੀ ਬੱਲੇ-ਬੱਲੇ! ਮਾਨ ਸਰਕਾਰ... थाने महानगरपालिका: कलवा पूर्व में NDRF... 75 साल कि उम्र 5मोदी बने प्रधानमंत्री... AP Expands Employees Health Scheme to... 46,000 Police to Guard Panchayat and C... NDRF sends three Tamil Nadu teams to A...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଲଗାମ ଦେଇପାରୁନି ଅବକାରୀ ବିଭାଗ: : ୨ ଲକ୍ଷ ଅବକାରୀ ମାମଲା ବିଚାରାଧୀନ, ୩ଅଙ୍କ ଛୁଉଁନି ଦୋଷୀ ସାବ୍ୟସ୍ତ ହାର, ଖର୍ଚ୍ଚ ହୋଇପାରୁନି ନିଶା ନିବାରଣ ସେସ୍

✍️ Reporter: Deepak Mahapatra 🗓 25 Nov 2026, 12:54 PM 👁 40
Share: 💬 WhatsApp 📘 Facebook 𝕏 Post
ରାଜ୍ୟରେ ବେଆଇନ ମଦ ଓ ନିଶା କାରବାର ରୋକିବାରେ ଅବକାରୀ ବିଭାଗର ପାରିବାପଣିଆ ପଦାରେ ପଡ଼ିଛି। ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ୫ଜଣ ବିଧାୟକଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


ରାଜ୍ୟରେ ଅବକାରୀ ମାମଲା ୨ଲକ୍ଷରୁ ଅଧିକ ବିଚାରାଧୀନ ରହିଥିବାବେଳେ ପ୍ରତିବର୍ଷ ଦୋଷୀସାବ୍ୟସ୍ତ ହାର ୩ଅଙ୍କ ବି ଛୁଇଁପାରୁନାହିଁ। ଅବକାରୀ ବିଭାଗରେ ଏକ ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବାରୁ ତଦାରଖ ବ୍ୟବସ୍ଥା ବି ଢ଼ିଲା ପଡ଼ିଛି। ଯଦିଓ ୨୦୨୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଦିଆଯିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ତଥାପି ଚୋରା ମଦ ଓ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇନାହାନ୍ତି। ସେପଟେ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ନାଁରେ ଅବକାରୀ ଶୁଳ୍କ ଉପରେ ସେସ୍ ଲଗାଇ ଗ୍ରାହକଙ୍କଠୁ ୨୨.୩୪କୋଟି ଟଙ୍କା ଆଦାୟ ହୋଇଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇପାରିନାହିଁ କି ବିଭାଗ ପାଖରେ ଏସବୁ ଖର୍ଚ୍ଚର ହିସାବ ବି ନାହିଁ।

ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯେଉଁ ତଥ୍ୟ ଦେଇଛନ୍ତି ତାହା ଗତ ୫ବର୍ଷର ସାରାଂଶ ରିପୋର୍ଟ ରାଜ୍ୟରେ ଅବକାରୀ ମାମଲାର ତଦନ୍ତ ପ୍ରକ୍ରିୟାର ଦୁର୍ବଳତାକୁ ଉଜାଗର କରିଛି। ୨୦୨୫-୨୬ ଆର୍ଥକ ବର୍ଷରେ ପୂର୍ବ ବର୍ଷର ବକେୟା ୧,୬୦,୫୭୯ଟି ଓ ନୂଆ ୬୨୮୯୩ଟି ମାମଲାକୁ ମିଶାଇ ମୋଟ ୨ ଲକ୍ଷ ୨୩ ହଜାର ୪୭୨ଟି ଅବକାରୀ ମାମଲା ରୁଜୁ ହୋଇଥିଲା। ସେଥିରୁ ୭୪୫୧୪ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ୬୪୮୭୮ଟି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।

ତେବେ ଚଳିତବର୍ଷ କୋର୍ଟ ମାତ୍ର ୧୧ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୨୩୩୦୬ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଯାଇଛନ୍ତି। ଅର୍ଥାତ୍ ଦୋଷୀସାବ୍ୟସ୍ତ ହାର ୦.୦୫ ପ୍ରତିଶତରୁ ମଧ୍ୟ କମ୍ ରହିଛି। ସେହିପରି କୌଣସି ଗୋଟିଏ ବର୍ଷରେ ବି ଦଣ୍ଡବିଧାନ ବା ଦୋଷୀସାବ୍ୟସ୍ତ ହାର ସଂଖ୍ୟା ୩ଅଙ୍କ ଛୁଇଁପାରିନାହିଁ।

୨୦୨୧-୨୨ ବର୍ଷରେ ୧୪୭୯୬ ରାୟରୁ ମାତ୍ର ୧୪ଟି, ୨୦୨୨-୨୩ରେ ୨୧୫୮୬ ରାୟରୁ ୨୨ଟି, ୨୦୨୩-୨୪ରେ ୨୨,୯୦୧ ରାୟରୁ ୩୫ଟି ଓ ୨୦୨୪-୨୫ରେ ୨୩୬୬୭ ରାୟରୁ ମାତ୍ର ୩୩ଟି ମାମଲାରେ ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିଛନ୍ତି। ତ୍ରୁଟିପୂର୍ଣ୍ଣ ତଦନ୍ତ, ପ୍ରମାଣ ସଂଗ୍ରହରେ ଦୁର୍ବଳତା, ତଦନ୍ତକାରୀ ଅଧିକାରୀ ଓ ସରକାରୀ ଓକିଲଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ହଜାର ହଜାର ଅଭିଯୁକ୍ତ ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହେଉଥିବାବେଳେ ରାଜ୍ୟରେ ବିଚାରାଧୀନ ଅବକାରୀ ମାମଲା ସଂଖ୍ୟା ୫ବର୍ଷରେ ୭୩୫୭୫ରୁ ବଢ଼ି ୨୦୨୫-୨୬ ଶେଷ ସୁଦ୍ଧା ୧୯୮୨୬୧ରେ ପହଂଚିଛି।
ସେହିପରି ବିଧାୟକ ସାଗର ଚରଣ ଦାସଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ୱୀକାର କରିଛନ୍ତି ଯେ, ନୂଆ ଅବକାରୀ ନୀତି ଏପ୍ରିଲ ୧ରୁ ୩ବର୍ଷ ପାଇଁ ଅର୍ଥାତ୍ ୨୦୨୬ରୁ ୨୦୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି। ଅବକାରୀ ଶୁଳ୍କ ଉପରେ ୦.୫ ପ୍ରତିଶତ ନିଶା ନିବାରଣ ସେସ୍ ଲାଗୁ କରାଯାଇଛି ଓ ନଭେମ୍ବର ୧୦ ତାରିଖ ସୁଦ୍ଧା ଏହି ସେସ୍ ବାବଦରେ ୨୨.୩୪କୋଟି ଟଙ୍କା ଆଦାୟ ହୋଇଛି। ତେବେ ଏହି ଆଦାୟ ଅର୍ଥରୁ କେତେ ଟଙ୍କା ଆବଣ୍ଟିତ, ମଞ୍ଜୁର ଓ ଖର୍ଚ୍ଚ ହୋଇଛି ବୋଲି ବିଧାୟକ ସିଧାସଳଖ ପ୍ରଶ୍ନ କରିଥିଲେ ହେଁ ମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ଖର୍ଚ୍ଚର ହିସାବ ନଦେଇ କେବଳ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ମିଳିତ ଭାବେ କାର୍ଯ୍ୟ ଚାଲିଥିବା ଉଲ୍ଲେଖ କରିଛନ୍ତି।

ସେହିପରି ୨୦୨୯ ସୁଦ୍ଧା ରାଜ୍ୟକୁ ନିଶାମୁକ୍ତ କରିବା ଲକ୍ଷ୍ୟ ନେଇ ବିଧାୟକ ଅରୁଣ କୁମାର ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଅବକାରୀ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ସଚେତନତା ଓ ପୁନର୍ବାସ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୨୬-୨୯ ଅବକାରୀ ନୀତି ଅନୁଯାୟୀ ରାଜ୍ୟରେ କୌଣସି ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ।

କିନ୍ତୁ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି ଯେ ରାଜ୍ୟରେ ପୂର୍ବରୁ ଚାଲିଥିବା ୧୧୮୫ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ୫୭୪ଟି ଦେଶୀ ବା ମହୁଲି ମଦ ଦୋକାନ ମଧ୍ୟରୁ ଗୋଟିଏ ବି ଦୋକାନ ବନ୍ଦ କରାଯାଇ ନାହିଁ। ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ ଆର୍ôଥକ ବର୍ଷରେ କଟକରେ ୧୧୮ଟି, ମୟୂରଭଞ୍ଜରେ ୮୬ଟି, ଗଞ୍ଜାମରେ ୬୪ଟି, କେନ୍ଦୁଝରରେ ୬୨ଟି, ଅନୁଗୁଳ ଓ ଭୁବନେଶ୍ୱରରେ ୫୭ଟି ଲେଖାଏଁ ବିଦେଶୀ ମଦ ଦୋକାନ ସମେତ କଳାହାଣ୍ଡିରେ ୬୮ଟି, ବଲାଙ୍ଗୀରରେ ୬୪ଟି ଓ ଗଞ୍ଜାମରେ ୫୦ଟି ମହୁଲି ମଦ ଦୋକାନ ପୂର୍ବବତ୍ କାର୍ଯ୍ୟକ୍ଷମ ରହିଛି। ଏଥିସହ ମଦ୍ୟପାନ ଜନିତ ସାମାଜିକ ବିଶୃଙ୍ଖଳା ରୋକିବା ପାଇଁ ମଦ୍ୟପଙ୍କ ପଞ୍ଜିକରଣ କରି ସେମାନଙ୍କୁ ପରିଚୟପତ୍ର ଦେବା କିମ୍ବା ବୀମାଭୁକ୍ତ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି।

ବିଭାଗରେ ବ୍ୟାପକ କର୍ମଚାରୀ ଅଭାବ ହିଁ ବେଆଇନ ମଦ ଓ ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସାଜିଥିବା ବିଧାୟକ ଶାରଦା ନାୟକଙ୍କ ପ୍ରଶ୍ନ ଉପରେ ମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତରରୁ ସ୍ପଷ୍ଟ ହୋଇଛି। କେବଳ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୨୪ ଜୁନ୍ ମାସରୁ ଏପର୍ଯ୍ୟନ୍ତ ୫୪୨୮ଟି ଅବକାରୀ ମାମଲା ରୁଜୁ ହୋଇ ୪୩୬୭ ଜଣ ଗିରଫ ହେବା ସହ ୨୨ .୯୦କୋଟି ଟଙ୍କାର ପୋଚ, ଦେଶୀ ମଦ, ଗଞ୍ଜେଇ,ମହୁଲ ଫୁଲ,ମହୁଲି ମଦ,ତାଡ଼ି, ବିୟର, ବିଦେଶୀ ମଦ ଓ ନକଲି ମଦ ଜବତ ହେବା ହିଁ ରାଜ୍ୟରେ ବେଆଇନ ମଦ କାରବାରର ଗୁମର ଖୋଲିଛି।

ସେହିପରି ରାଜ୍ୟର ୩୩ଟି ଅବକାରୀ ଜିଲ୍ଲା ଓ ୨୦୨ଟି ଅବକାରୀ ଥାନାରେ ପ୍ରାୟ ଏକ ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ୧୬୪୬ଟି ଅବକାରୀ କନଷ୍ଟେବଳ ପଦବୀରୁ ୬୫୯ଟି, ୪୨୬ଟି ଏଏସଆଇ ପଦବୀରୁ ୨୦୩ଟି, ୧୭୩ଟି ଇନ୍ସପେକ୍ଟର ପଦବୀରୁ ୪୮ଟି, ୪୭ଟି ଅବକାରୀ ଅଧୀକ୍ଷକ ପଦବୀରୁ ୧୩ଟି, ୭୧ଟି ଉପଅଧୀକ୍ଷକ ପଦବୀରୁ ୧୨ଟି ଓ ୨୯୧ଟି ସବଇନ୍ସପେକ୍ଟର ପଦବୀରୁ ୧୦ଟି ପଦବୀ ଖାଲି ପଡ଼ିଛି। ଏହାବ୍ୟତୀତ ୩୬ଟି ସେକ୍ସନ ଅଫିସର ପଦବୀରୁ ୨୧ଟି, ୩୬ଟି ବରିଷ୍ଠ ସହାୟକ ପଦବୀରୁ ୨୩ଟି ଓ ୪୫ଟି କନିଷ୍ଠ ସହାୟକ ପଦବୀରୁ ୧୪ଟି ପଦବୀ ଖାଲି ପଡ଼ିଥିବାରୁ ଅବକାରୀ ଚଢ଼ାଉ, ତଦନ୍ତ ଓ ପ୍ରଶାସନିକ ପରିଚାଳନା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଥିବା ଜଳଜଳ ଜଣାପଡ଼ୁଛି।
📲Get App