🔥 TRENDING नारौली डांग के शिवालय पर अन्नकूट महाप्... वाराणसी के कैंट थाना ने धोखाधड़ी मामले... Andhra Dominates Assam in SMAT 2026 Th... 4,500 Runners Compete in 6th Assam Rif... Assam CM Meets PM Narendra Modi ମାଲକାନଗିରିରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଅ...
22 Nov 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ବାର୍ଷିକ ସମାବର୍ତ୍ତନ ଉତ୍ସବ-୨୦୨୬ ପାଳିତ, କୃତୀ ପ୍ରଶିକ୍ଷାର୍ଥୀ ସମ୍ବର୍ଦ୍ଧିତ

✍️ Reporter: Sukumar Mandal 🗓 22 Nov 2026, 10:45 PM 👁 17
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୧ ନଭେମ୍ବର: ମାଲକାନଗିରି ଜିଲ୍ଲାର ପ୍ରଧାନୀଗୁଡାସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବାର୍ଷିକ ସମାବର୍ତ୍ତନ ଉତ୍ସବ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ସୁଭାଷ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଗୁପ୍ତ ମାଢି ମୁଖ୍ୟ ଅତିଥି, ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ୱାଇଁ ସ୍ୱତନ୍ତ୍ର ଅତିଥି ଏବଂ ଟ୍ରେନିଂ ଅଫିସର ଦେବବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବାବେଳେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସହକାରୀ ପ୍ରଶିକ୍ଷଣ ଅଧିକାରୀ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟକ୍ଷ ଇଂ. ପରିଡା କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୈଷୟିକ ଶିକ୍ଷା, ଶୃଙ୍ଖଳା ଓ ଦକ୍ଷତାକୁ ପାଥେୟ କରି ଦେଶ ଗଠନରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ।

ମଞ୍ଚାସୀନ ଅତିଥିମାନେ ନିଜ ଅଭିଭାଷଣରେ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ କେବଳ ପୁସ୍ତକଗତ ଜ୍ଞାନ ଯଥେଷ୍ଟ ନୁହେଁ, ବରଂ ବୈଷୟିକ ଦକ୍ଷତା ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିପାରିବ ବୋଲି ମତ ପ୍ରକାଶ କରିଥିଲେ। ଏଥିସହ କୃତିତ୍ୱ ହାସଲ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ୨୦୨୬ ମସିହାରେ ବିଭିନ୍ନ ଟ୍ରେଡ୍‌ରେ ସଫଳତା ହାସଲ କରିଥିବା ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଫିଟର ଟ୍ରେଡ୍‌ରେ ଗୋପୀ ମାଝୀ, ଇଲେକ୍ଟ୍ରିସିଆନ୍‌ରେ ନାଗେଶ୍ୱର ହନ୍ତାଳ, ଇଲେକ୍ଟ୍ରୋନିକ୍ସ ମେକାନିକ୍‌ରେ ଲକ୍ଷ୍ମଣ ବେକୋ, ଟର୍ଣ୍ଣରରେ ରାମକୃଷ୍ଣ ପୂଜାରୀ, ୱେୟାରମ୍ୟାନ୍‌ରେ ସିଦ୍ଧାନ୍ତ ମାଡ଼କାମୀ, ୱେଲଡର୍‌ରେ ବିମଳ ଦାରୁଆ, ପ୍ଲମ୍ବରରେ ଧନେଶ ଭୂମିଆ ଏବଂ ସିଲେଇ ପ୍ରଯୁକ୍ତି ବିଦ୍ୟାରେ ଅନୀତା ଖରା ଟ୍ରେଡ୍ ଟପ୍ପର ଭାବେ ସମ୍ମାନିତ ହୋଇଥିଲେ।

ଅନୁଷ୍ଠାନର ବିଭାଗୀୟ ଅଧିକାରୀ ଅଶୋକ କୁମାର ସାହୁ, ଉପପ୍ରଶିକ୍ଷଣ ଅଧିକାରୀ ପ୍ରଫୁଲ୍ଲ ଲୁହା, ସହକାରୀ ଉପପ୍ରଶିକ୍ଷଣ ଅଧିକାରୀ ରଞ୍ଜନ କୁମାର ରାଉତ ଓ ସୋମନାଥ ମହାରଣାଙ୍କ ସମେତ ଅନୁଷ୍ଠାନର କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶେଷରେ ଉପପ୍ରଶିକ୍ଷଣ ଅଧିକାରୀ ଇଷତ୍ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
📲Get App