🔥 ट्रेंडिंग कांग्रेस ने पंचायत राज चुनाव में 129 स... सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... असम के मुख्यमंत्री ने ताई खाम्ती नववर्... अमृतसर रेलवे स्टेशन पर खड़ी ट्रेन का श... तरन तरन में माता के जागरण की तैयारियों...
21 नव. 2026•
ગુજરાતી मराठी ਪੰਜਾਬੀ বাংলা

ମାଥିଲିର ଶିକ୍ଷକଙ୍କୁ ହାଇକୋର୍ଟଙ୍କ ବଡ଼ ଆଶ୍ୱସ୍ତି, ନିଯୁକ୍ତି ତାରିଖ ୩୦ ମାର୍ଚ୍ଚ ୨୦୧୧ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ

✍️ रिपोर्टर: Sukumar Mandal 🗓 21 नव. 2026, 04:03 PM 👁 24
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୧ ନଭେମ୍ବର : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ୨୦୧୧ ମସିହାରେ ନିଯୁକ୍ତ ଶିକ୍ଷା ସହାୟକ ତଥା ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ତାରିଖ ଏବଂ ଜ୍ୟେଷ୍ଠତା ନିର୍ଦ୍ଧାରଣକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ୨ ଏପ୍ରିଲ ୨୦୧୧ ପରିବର୍ତ୍ତେ ୩୦ ମାର୍ଚ୍ଚ ୨୦୧୧କୁ ସେମାନଙ୍କ ପ୍ରାରମ୍ଭିକ ନିଯୁକ୍ତି ତାରିଖ ଭାବେ ଗ୍ରହଣ କରି ଅସ୍ଥାୟୀ ଜ୍ୟେଷ୍ଠତା ତାଲିକାରେ ଆବଶ୍ୟକ ସଂଶୋଧନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୫ ମସିହାରେ ଦାଏର ହୋଇଥିବା ଡବ୍ଲୁପି (ସି) ନଂ. ୨୬୬୪୫ ସମେତ ଅନ୍ୟାନ୍ୟ ରିଟ୍ ଆବେଦନର ଏକତ୍ର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ୧୮ ନଭେମ୍ବର ୨୦୨୬ରେ ଏହି ରାୟ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଆବେଦନକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ୩୦ ମାର୍ଚ୍ଚ ୨୦୧୧ରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ। ସେହି ନିଯୁକ୍ତି ଆଧାରରେ ସେମାନେ ଦରମା ଓ ଲେଭେଲ୍-କରୁ ଲେଭେଲ୍-ଖ ପଦୋନ୍ନତି ପାଇଥିଲେ। କିନ୍ତୁ ଦୀର୍ଘ ୮ ବର୍ଷ ପରେ ସରକାରୀ ରେକର୍ଡ ଓ ଜ୍ୟେଷ୍ଠତା ତାଲିକାରେ ସେମାନଙ୍କ ଯୋଗଦାନ ତାରିଖ ୨ ଏପ୍ରିଲ ୨୦୧୧ ଦର୍ଶାଯାଇଥିଲା। ଫଳରେ ଲେଭେଲ୍-ବିରୁ ଲେଭେଲ୍-୪କୁ ପଦୋନ୍ନତି ସମୟରେ ସେମାନଙ୍କ ଜ୍ୟେଷ୍ଠତା ପ୍ରଭାବିତ ହୋଇଥିଲା। ଏହାର ପ୍ରତିବାଦ କରି ସେମାନେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡି.ଆର୍. ମହାପାତ୍ର ନିଯୁକ୍ତି ଆଦେଶ ସମେତ ବିଭିନ୍ନ ସରକାରୀ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଏସ୍‌ସି ଏସ୍.ଏନ୍. ବିଶ୍ୱାଳ ଯୁକ୍ତି ଉପସ୍ଥାପନ କରିଥିଲେ। ସରକାରଙ୍କ ପକ୍ଷରୁ ଆବେଦନକାରୀମାନେ ୨ ଏପ୍ରିଲ ୨୦୧୧ରେ ଯୋଗଦାନ କରିଥିବା ଦର୍ଶାଯାଇଥିଲେ ମଧ୍ୟ ଏହାର ସମର୍ଥନରେ ଯୋଗଦାନ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରାଯାଇପାରି ନଥିଲା।

ସମସ୍ତ ଦସ୍ତାବିଜ ଓ ଯୁକ୍ତିକୁ ବିଚାର କରି ହାଇକୋର୍ଟ ୩୦ ମାର୍ଚ୍ଚ ୨୦୧୧କୁ ପ୍ରାରମ୍ଭିକ ନିଯୁକ୍ତି ତାରିଖ ଭାବେ ଗ୍ରହଣ କରିବାକୁ ଉଚିତ ମନେ କରିଛନ୍ତି। ଏଥିସହ ୨ ଏପ୍ରିଲ ୨୦୧୭ ପରିବର୍ତ୍ତେ ୩୦ ମାର୍ଚ୍ଚ ୨୦୧୭ରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବେ ସେବା ଗଣନା କରି ଜ୍ୟେଷ୍ଠତା ତାଲିକାରେ ସଂଶୋଧନ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ଏହି ଆଦେଶର ନକଲ ପ୍ରାପ୍ତି ଦିନଠାରୁ ଛଅ ସପ୍ତାହ ମଧ୍ୟରେ ରାୟ କାର୍ଯ୍ୟକାରୀ କରିବାକୁ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଅନ୍ୟପକ୍ଷରେ, ହାଇକୋର୍ଟଙ୍କ ରାୟ ସତ୍ତ୍ୱେ ମାମଲା ଦାଏର କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବାଦ୍ ଦେଇ ଜିଲ୍ଲା ଶିକ୍ଷାଧିକାରୀ ଚୂଡ଼ାନ୍ତ ଗ୍ରେଡେସନ୍ ତାଲିକା ପ୍ରକାଶ ନକରି ପଦୋନ୍ନତି ପ୍ରକ୍ରିୟା ପାଇଁ ୨୧ ନଭେମ୍ବର ତାରିଖ ଧାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ପଦକ୍ଷେପ ହାଇକୋର୍ଟଙ୍କ ଆଦେଶର ପାଳନକୁ ନେଇ ଆଇନଗତ ଜଟିଳତା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।
📲Get App