🔥 ट्रेंडिंग बिकाश देब्बरमा ने जुड़ाव के लिए केंद्र... ट्रिपुरा बीजेपी सांसद बिप्लब देब ने सी... हिमाचल के मुख्यमंत्री ने राजनीतिक इच्छ... हिमाचल प्रदेश ने ओलंपिक स्वर्ण पदक विज... અમરેલી સાવરકુંડલા રોડ પર ગોખરવાળા ગામ... UP और हिमाचल में नकली दवाओं का रैकेट भ...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ମାଡ଼ି ଆସୁଛି ବାତ୍ୟା ‘ଅକଭାନ୍‌’: ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍‌, ଲକ୍ଷାଧିକ ଲୋକ ସ୍ଥାନାନ୍ତର

✍️ रिपोर्टर: Deepak Mahapatra 🗓 20 नव. 2026, 01:12 PM 👁 24
शेयर करें: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକଭାନ୍‌’ ଘଣ୍ଟାପ୍ରତି ୧୭ କିମି ବେଗରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆସନ୍ତାକାଲି ମଧ୍ୟାହ୍ନରେ ଏହା ଆନ୍ଧ୍ରପ୍ରଦେଶର ନର୍ସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବା ସହ ୧୧୦ କିମି ପର୍ଯ୍ୟନ୍ତ ଝଟକା ପବନ ବୋହିବାର ଆଶଙ୍କା କରାଯାଉଛି।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଉଦ୍ଧାରକାରୀ ଦଳଙ୍କ ମୁତୟନ ଓ ଜଳଭଣ୍ଡାର ଖାଲି କରିବା ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇଛି। ଗୋଟିଏ ମାସ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳକୁ ତିନୋଟି ବାତ୍ୟା ହିଟ୍ କରିବା ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।

ଆଜି ସକାଳେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ (ଏସଆରସି) କାର୍ଯ୍ୟାଳୟରେ ବାତ୍ୟା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ମୃତାହତ ସରକାରଙ୍କ ପ୍ରାଥମିକତା ବୋଲି ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ୬୧୦୯ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇ ପ୍ରାୟ ୧ ଲକ୍ଷ ୫ ହଜାର ୩୦୪ ଜଣ ଲୋକଙ୍କୁ ୧୨୨୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ପ୍ରାୟ ୧୦ହଜାର ଗର୍ଭବତୀ ମହିଳା ସାମିଲ ଥିବାବେଳେ ନଭେମ୍ବର ୩୦ ସୁଦ୍ଧା ଆସନ୍ନ ପ୍ରସବା ଥିବା ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। କେବଳ ଗଞ୍ଜାମ ଜିଲ୍ଲାରୁ ୪୫୩୬୪ ଜଣ ଓ ଗଜପତି ଜିଲ୍ଲାରୁ ୧୮୦୨୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ମୋଟ ୯୨୯୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଥିବାବେଳେ ସେଠାରେ ଲୋକ ଓ ଶିଶୁମାନଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟ, ପିଇବା ପାଣି, ଜରୁରୀ ଔଷଧ ଏବଂ ସାନିଟାରୀ ନାପକିନର ବ୍ୟବସ୍ଥା କରାଯାଇ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ନିୟୋଜିତ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୧ ତାରିଖରେ ମୟୂରଭଞ୍ଜ ଓ ବାଲେଶ୍ୱର ରେଡ୍ ଜୋନରେ ରହିବ।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ବନ୍ଦ ରଖାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୯ ଓ ୨୦ ତାରିଖ ଦୁଇ ଦିନ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ଏଥିସହ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ଜୁନିଅର ଆସିଷ୍ଟାଣ୍ଟ ଓ ଜୁନିଅର କ୍ଲର୍କ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଜିରୋରେ ୬୦ଟି ଓଡ୍ରାଫ୍ ଟିମ୍‌, ୧୪ଟି ଏନଡିଆରଏଫ୍ ଟିମ୍ ଓ ୨୨୧ଟି ଅଗ୍ନିଶମ ବିଭାଗ ଟିମ୍ ମୁତୟନ ହୋଇଛନ୍ତି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଭୂସ୍ଖଳନ ଓ ବାତ୍ୟା ପରବର୍ତ୍ତୀ ପ୍ରଥମ ୧୫ରୁ ୩୦ ମିନିଟ୍ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପାଇଁ ମୋଟ ୩୮୮ଟି ଟିମ୍ ପ୍ରସ୍ତୁତ ରହିଛନ୍ତି। ୧୮୧ଟି ରବର ବୋଟ୍‌, ୨୩୩ଟି ଆସ୍କା ଲାଇଟ୍‌, ୧୦୨ଟି ଡିୱାଟରିଂ ପମ୍ପ ଏବଂ ୬୪୦ଟି ପାୱାର ଚେନସ ମହଜୁଦ ରଖାଯାଇଛି।

ସେହିପରି ଗଛ ପଡ଼ି ରାସ୍ତା ଅବରୋଧ ହଟାଇବା ପାଇଁ ଓଏଫଡିସି ପକ୍ଷରୁ ୧୦୦ଟି ଟିମ୍ ଓ ନେଟୱାର୍କ ସମସ୍ୟା ଦୂର କରିବାକୁ ଟେଲିକମ୍ ବିଭାଗ ତରଫରୁ ଅତିରିକ୍ତ ସାଟେଲାଇଟ୍ ଫୋନ୍ ଓ ‘ସେଲ୍ ଅନ୍ ହୁଇଲ୍‌’ ବ୍ୟବସ୍ଥା କରାଯାଇଛି। ସହରାଂଚଳରେ ନାଗରିକ ସେବା ଓ ପୁନରୁଦ୍ଧାର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୫ ଜଣ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇଛି।

ବିଶେଷକରି ୯୪୧ଟି ଭୂସ୍ଖଳନ ଆଶଙ୍କା ଥିବା ଅଂଚଳ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ଗଜପତି ଓ କନ୍ଧମାଳ ଜିଲ୍ଲାର ପାହାଡ଼ତଳି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଦୁର୍ଘଟଣା ଏଡ଼ାଇବା ପାଇଁ କଳିଙ୍ଗା ଘାଟି ଓ ଗଜଲବାଡ଼ି ରାସ୍ତାକୁ ବନ୍ଦ କରିଦିଆଯାଇଛି। ପୁରୀ, ଗୋପାଳପୁର, ସାତପଡ଼ା ଓ ଚିଲିକା ସମେତ ସମସ୍ତ ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ କରାଯାଇ ଲାଲ୍ ପତାକା ଲଗାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ନଭେମ୍ବର ୨୧ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମୁଦ୍ର ଅଶାନ୍ତ ହେବାରୁ ଆନ୍ଧ୍ରପ୍ରଦେଶ କାକିନାଡ଼ାର ପ୍ରାୟ ୮୦ ଜଣ ମତ୍ସ୍ୟଜୀବୀ ୧୦ଟି ମୋଟରବୋଟ୍ ସହ ଆସି ଗଞ୍ଜାମର ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଇଛନ୍ତି, ଯେଉଁମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି।

ରେଳ ବିଭାଗ ପକ୍ଷରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ, ଫଲକନାମା ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ମୁଜାଫରପୁର ଏକ୍ସପ୍ରେସ ସମେତ ଏକାଧିକ ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ କରାଯାଇଥିବାବେଳେ ବିଶାଖାପାଟଣା-କୋରାପୁଟ ମଧ୍ୟରେ ଦୁଇଟି ଟ୍ରେନ୍ ବାତିଲ କରାଯାଇଛି।

ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ସାଳନ୍ଦୀ ଓ ବୈତରଣୀ ନଦୀ ଉପରେ କଡ଼ା ନଜର ରଖାଯାଇଛି। ଗଞ୍ଜାମ ଓ ଗଜପତିର ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି କମାଯାଇ ସବୁ ଗେଟ୍ ବନ୍ଦ ରଖାଯାଇଥିବା ବେଳେ ନଦୀବନ୍ଧ ଓ ଜଳଭଣ୍ଡାରଗୁଡ଼ିକରେ ବରିଷ୍ଠ ଯନ୍ତ୍ରୀମାନେ ୨୪ ଘଣ୍ଟିଆ ନିରୀକ୍ଷଣ ଓ ରାତ୍ରୀକାଳୀନ ପେଟ୍ରୋଲିଂ କରୁଛନ୍ତି। ସେହିପରି ନନ୍ଦନକାନନ ଓ ଶିମିଳିପାଳ ସମେତ ସମସ୍ତ ବନଖଣ୍ଡରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ପଶୁସମ୍ପଦ ଚିକିତ୍ସା ବ୍ୟବସ୍ଥା କରାଯାଇଛି।

Cyclone Akvan ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ନିୟୋଜିତ କରାଯିବା ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଓ ଜରୁରୀକାଳୀନ ସହାୟତା ପାଇଁ ହେଲପଲାଇନ-୧୧୨ ନମ୍ବରକୁ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
📲Get App