🔥 TRENDING Jharkhand Police Portal Crash Forces R... 92-Year-Old Woman Escapes Nursing Home... TPCC chief accuses BRS of betraying Te... Morning haze lingers in Hyderabad as r... New predatory aquatic insect species i... Cyclone Akvan Forces Cancellation of 4...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଓଡ଼ିଶାମୁହାଁ ବାତ୍ୟା ‘ଅକଭାନ’ : ୨୦ରେ ସ୍ଥଳଭାଗ ଛୁଇଁବ, ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୪ ଜିଲ୍ଲାକୁ ଗଲେ ବରିଷ୍ଠ ଆଇଏଏସ, କ’ଣ ରହିଛି ସରକାରୀ ପ୍ରସ୍ତୁତି

✍️ Reporter: Deepak Mahapatra 🗓 19 Nov 2026, 11:20 AM 👁 40
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ଏବେ ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଦ୍ରୁତ ଗତିରେ ଓଡ଼ିଶାମୁହାଁ ହୋଇଛି। ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବାବେଳେ ପବନର ବେଗ ଘଣ୍ଟପ୍ରତି ୯୦ରୁ ୧୦୦ କିମି ରହିବା ସହ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ବୋହିପାରେ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ 'ରେଡ୍ ୱାର୍ଣ୍ଣିଂ' ଜାରି କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ପ୍ରଶାସନିକ ଓ ରିଲିଫ୍ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ ଜୋରଦାର କରାଯାଇଛି। ୪ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ପୁରୀ,ଜଗତସିଂପୁର,କେନ୍ଦ୍ରାପଡ଼ା ଓ ଗଜପତିକୁ ପଠାଯାଇଛି। ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି।



ପାଣିପାଗ ବିଭାଗର ଆକଳନ ଓ ୱାର୍ଣ୍ଣିଂ: ଓଡ଼ିଶା ମୁହାଁଇଲା ବାତ୍ୟା

ଭରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକଭାନ’ ନିଜର ଗତିପଥ ବଦଳାଇ ଓଡ଼ିଶା ମୁହାଁ ହୋଇଛି। ଏହା ଏବେ ଗୋପାଳପୁର ଠାରୁ ୬୯୦ କିମି ଓ ପୁରୀ ଠାରୁ ୭୫୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାପ୍ରତି ୮ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୧୯ ତାରିଖ ସକାଳ ସାଢ଼େ ୮ଟାରୁ ୨୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା (୨୦୦ ମିଲିମିଟରରୁ ଅଧିକ) ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ୬ଟି ଜିଲ୍ଲାକୁ 'ରେଡ୍ ୱାର୍ଣ୍ଣିଂ' ଜାରି କରାଯାଇଛି ।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ 'ଅରେଞ୍ଜ ୱାର୍ଣ୍ଣିଂ' ଓ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ 'ୟେଲୋ ୱାର୍ଣ୍ଣିଂ' ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍ ୨୦ ତାରିଖ ସକାଳରୁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ତଳିଆ ଅଂଚଳରେ ସମୁଦ୍ର ଜୁଆର ୦.୫ରୁ ୧.୦ ମିଟର ପର୍ଯ୍ୟନ୍ତ ଉଚ୍ଚରେ ମାଡ଼ି ଆସିବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ କଡ଼ା ବାରଣ କରାଯିବା ସହ ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ଓ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ

ବାତ୍ୟା ‘ଅକଭାନ’ର(Cyclone Akvan) ପ୍ରସ୍ତୁତିର ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପାଣିପାଗ ବିଭାଗର ଆକଳନରେ ପରିବର୍ତ୍ତନ ପରେ ସମ୍ଭାବ୍ୟ ବଡ଼ ବିପଦର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। କେନ୍ଦ୍ର ସରକାର ଓ ଜିଲ୍ଲା ପ୍ରଶାସନ ସହ ମୁଖ୍ୟ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ନିରନ୍ତର ଯୋଗାଯୋଗରେ ଅଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇସାରିଛନ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳର ପାହାଡ଼ିଆ ଅଂଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି।

ଏପଟେ ସମ୍ଭାବ୍ୟ ବାତ୍ୟା ପରିଚାଳନା, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୪ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ପୁରୀ ଜିଲ୍ଲା ପାଇଁ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ଜଗତସିଂହପୁର ପାଇଁ ବାଣିଜ୍ୟ କର ଓ ଜିଏସଟି କମିଶନର ଯାମିନୀ ଷଡ଼ଙ୍ଗୀ, ଗଜପତି ପାଇଁ ମିଶନ ଶକ୍ତି ସଚିବ ମାନସୀ ନିମ୍ଭାଲ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଆଇଏଏସ୍ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଏହାସହ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜିଠାରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତ।

୧୪ ଜିଲ୍ଲାକୁ କୋଟିଏ ଲେଖାଏଁ ପାଣ୍ଠି, କଳାବଜାରୀ ଉପରେ ନଜର

ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ଏସଆରସି ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଜରୁରୀ ସତର୍କ ସୂଚନା ଜାରି କରାଯିବା ସହ ପ୍ରଶାସନିକ କଳକୁ ସମ୍ପୂର୍ଣ୍ଣ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ବାତ୍ୟା ସମୟରେ ଜିଲ୍ଲାଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ ଓ ପେଟ୍ରୋଲ ମହଜୁଦ ରଖିବା ଓ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଉପରେ କଡ଼ା ନଜର ରଖିବା ପାଇଁ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗର ରେଡ୍‌, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଅନୁଯାୟୀ ତଳିଆ ଅଂଚଳରେ ଜଳବନ୍ଦୀ, ଭୂସ୍ଖଳନ ଓ କ୍ଷୟକ୍ଷତି ଏଡ଼ାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ରିଲିଫ୍ କାର୍ଯ୍ୟ ପାଇଁ ପ୍ରଭାବିତ ଆଶଙ୍କା ଥିବା ୧୪ଟି ଜିଲ୍ଲା ଯଥା-ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ ଓ କେନ୍ଦୁଝରକୁ କୋଟିଏ ଟଙ୍କା ଲେଖାଏଁ ଆକସ୍ମିକ ପାଣ୍ଠି ମଞ୍ଜୁର କରାଯାଇଛି, ଯାହାକୁ ବିଡିଓମାନଙ୍କୁ ବଣ୍ଟନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ଜଳସମ୍ପଦ ଓ ପଂଚାୟତିରାଜ ବିଭାଗର ବ୍ୟାପକ ପ୍ରସ୍ତୁତି


ଅକଭାନ୍ ପ୍ରଭାବରେ ପ୍ରବଳ ବର୍ଷା ଓ ପରବର୍ତ୍ତୀ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଦୁଇ ଦିନ ପୂର୍ବରୁ ବିଭିନ୍ନ ଡ୍ୟାମର ଗେଟ୍ ଖୋଲାଯାଇ ନିୟନ୍ତ୍ରିତ ଜଳ ନିଷ୍କାସନ କରାଯାଉଛି । ପୂର୍ବ ବାତ୍ୟା 'ଅର୍ଣ୍ଣବ' ସମୟରେ ଋଷିକୂଲ୍ୟା ସମେତ ବିଭିନ୍ନ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକୁ ବାଲିବସ୍ତା ଦେଇ ଅସ୍ଥାୟୀ ମରାମତି କରାଯାଇଥିବାରୁ ସେଠାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ସହ ବାଲି, ପଥର ଓ ସିମେଣ୍ଟ ମହଜୁଦ ରଖାଯାଇଛି। ସେହିପରି ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମାଇକ୍ରୋ ପ୍ଲାନ୍ କାର୍ଯ୍ୟକାରୀ କରାଯିବା ସହ ୧୦୧୨ଟି ସ୍ୱତନ୍ତ୍ର ପୁନରୁଦ୍ଧାର ଟିମ୍ ଗଠନ କରାଯାଇଛି। କେବଳ ଗଞ୍ଜାମରେ ୧୧୮ଟି, ମାଲକାନଗିରିରେ ୬୩ଟି, ପୁରୀରେ ୫୫ଟି, ଗଜପତିରେ ୫୪ଟି, ଜଗତସିଂହପୁରରେ ୪୦ଟି ଓ କେନ୍ଦ୍ରାପଡ଼ାରେ ୧୮ଟି ଟିମ୍ ମୁତୟନ ହୋଇଛନ୍ତି । ଜରୁରୀକାଳୀନ ସ୍ଥିତି ପାଇଁ ୮୧୩ଟି ଜଳ ଟ୍ୟାଙ୍କର, ୯୦୩ଟି ସିନଟେକ୍ସ ଟାଙ୍କି, ୪୧୭ଟି ଜେନେରେଟର ସେଟ୍‌, ୧୩ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଓ ୭.୫୭ ଲକ୍ଷ ପାଣି ବୋତଲ ପ୍ରସ୍ତୁତ ରଖାଯାଇଛି।

ପର୍ଯ୍ୟଟନ ଓ ପରିବହନ କ୍ଷେତ୍ରରେ କଡ଼ା କଟକଣା

ପର୍ଯ୍ୟଟକ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କୁ ଏସଆରସି ଜରୁରୀ ଚିଠି ଲେଖିଛନ୍ତି। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ସମସ୍ତ ବେଳାଭୂମିରେ ପର୍ଯ୍ୟଟନ, ସମୁଦ୍ର ସ୍ନାନ, ବୋଟିଂ ଓ ୱାଟର ସ୍ପୋର୍ଟସ୍‌କୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲ ଓ ରିସର୍ଟଗୁଡ଼ିକୁ ଅତିଥିମାନଙ୍କ ବାହାର ବୁଲାବୁଲି ବାତିଲ କରିବାକୁ କୁହାଯାଇଛି। ଏହାବ୍ୟତୀତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ରାସ୍ତାରେ ଦୃଶ୍ୟମାନତା କମିବା ଓ ଗଛ ଉପୁଡ଼ିବା ଆଶଙ୍କା ଥିବାରୁ ଜାତୀୟ ଓ ରାଜ୍ୟ ରାଜପଥରେ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟୋଲ୍ ପ୍ଲାଜା ଓ ବସ୍ ଟର୍ମିନାଲରେ ଡ୍ରାଇଭରମାନଙ୍କୁ ପାଣିପାଗ ସୂଚନା ଦେବା ସହ ରାସ୍ତା ଅବରୋଧ ହଟାଇବା ପାଇଁ କ୍ରେନ୍‌, ରିକଭରି ଭ୍ୟାନ୍ ଓ ଗଛକଟା ଦଳକୁ ଆଗୁଆ ମୁତୟନ କରାଯାଇଛି।

ଗଞ୍ଜାମରେ ସ୍ଥାନାନ୍ତର ସହ ଶୁଖିଲା ଖାଦ୍ୟ ବଣ୍ଟନ

ବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଭୂସ୍ଖଳନ ଓ ଅନ୍ୟାନ୍ୟ ଦୁର୍ଘଟଣା ଏଡ଼ାଇବା ପାଇଁ ଗଞ୍ଜାମ ଜିଲ୍ଲାରେ ଅଷ୍ଟମ ଆଇଆରବି ବାଟାଲିୟନ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ବିପଦଶଙ୍କୁଳ ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଲୋକମାନଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି।
📲Get App