🔥 TRENDING Film Production Begins in Flatonia, Fa... Tongsum Tourism Festival Highlights Da... Sikkim Selects 23-Member Team for Nati... Sikkim Governor Reviews Development Pr... Bengal to Face Mizoram in 20 November... 17 Mizoram firms awarded green certifi...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
National

ପ୍ରଧାନ ବିଚାରପତିଙ୍କୁ ଅପମାନ, ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ ଜାରି

✍️ Reporter: Deepak Mahapatra 🗓 18 Nov 2026, 03:06 PM 👁 55
Share: 💬 WhatsApp 📘 Facebook 𝕏 Post
ଦେଶର ପ୍ରଧାନ ବିଚାରପତିଙ୍କୁ ସର୍ବ ସମ୍ମୁଖରେ ଖୋଲା ଅଦାଲତରେ ଅପମାନିତ କରିବା ଜଣେ ଆଇନଜୀବୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରଧାନ ବିଚାରପତିଙ୍କୁ ଅସମ୍ମାନିତ କରିବା ଅଭିଯୋଗରେ ଆଇନଜୀବୀ ପ୍ରବୀଣ ସିଂଘଲଙ୍କୁ ସୁପ୍ରିମକୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି ।

ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, ଆଇନଜୀବୀ ପ୍ରବୀଣ ସିଂଘଲଙ୍କ ବିଶୃଙ୍ଖଳିତ ଆଚରଣ ବିରୁଦ୍ଧରେ ଅପରାଧିକ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଏକ ଆବେଦନ ଦାଖଲ କରିଛି। ସୁପ୍ରିମକୋର୍ଟ ବିଚାରପତି ଦୀପଙ୍କର ଦତ୍ତ, ଜୟମାଲ୍ୟ ବାଗଚୀ ଏବଂ ଭି. ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିଛି । ପ୍ରବୀଣ ସିଂଘଲଙ୍କୁ ଏକ 'କାରଣ ଦର୍ଶାଅ' ନୋଟିସ୍ ଜାରି କରିଛନ୍ତି। ଜାନୁଆରୀ ୮ ତାରିଖ ସୁଦ୍ଧା ନିଜର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ ରାୟ କହିଛନ୍ତି ଯେ, ଖୋଲା ଅଦାଲତରେ ଅନୁଚିତ ମନ୍ତବ୍ୟ ଦେବା ଭଳି ଘଟଣା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଉକ୍ତ ଓକିଲ ଏସସିବିଏର ସଦସ୍ୟ ନୁହଁନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଇନଷ୍ଟାଗ୍ରାମରେ ଏକ 'ରିଲ୍' (reel) ମଧ୍ୟ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଟାର୍ଗେଟ କରିଥିଲେ ।

ଗତ ସୋମବାର ଦିନ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବାବେଳେ ଆଇନଜୀବୀ ପ୍ରବୀଣ ସିଂଘଲ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଯୋଗ୍ୟତା ଏବଂ ପଦପଦବୀ ଉପରେ ଟିକା ଟିପ୍ପଣୀ କରିଥିଲେ । ସିଜେଇ ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ ଶୁଣାଣି କରୁଥିବାବେଳେ ଆଇନଜୀବୀ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଏକ ଆବେଦନ ପଞ୍ଜିକୃତ ନ ହେବାକୁ ନେଇ ଆଇନଜୀବୀ ଜଣକ ପ୍ରଧାନ ବିଚାରପତିଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେଇଥିଲେ । ଏହା ପରେ ତାଙ୍କୁ କୋର୍ଟ ରୁମରୁ ନିଷ୍କାସିତ କରାଯାଇଥିଲା ।

ଉଲ୍ଲେଖ ଯୋଗ୍ୟ, ନଭେମ୍ବର ୨ ତାରିଖରେ ଆଇନଜୀବୀ ପ୍ରବୀଣ ସିଂଘଲ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାଳୟରେ ଏକ ମାମଲାର ଶୁଣାଣି ପାଇଁ ଆବେଦନ କରିଥିଲେ । ମାତ୍ର ୧୫ ଦିନ ପରେ ମାମଲାଟି ପଞ୍ଜିକୃତ ହୋଇନଥିବାରୁ ସେ ଏଭଳି ଆଚରଣ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ରେଜିଷ୍ଟାର ସ୍ପଷ୍ଟ କରିଥିଲେ ଯେ ନଭେମ୍ବର ୨ ପରେ ଦୀପାବଳି ଛୁଟି ହୋଇଥିଲା । ଯେଉଁଥିପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା । ତେଣୁ ଅନେକ ମାମଲା ପଞ୍ଜିକୃତ ହୋଇପାରିନଥିଲା । ଏଥିରେ ସିଜେଆଇଙ୍କର କୌଣସି ଭୂମିକା ନ ଥାଏ ବୋଲି ରେଜିଷ୍ଟାର ସ୍ପଷ୍ଟ କରିଥିଲେ ।
📲Get App