🔥 TRENDING ଭୁବନେଶ୍ୱରରେ ଆଗାମୀ ୩ ଘଣ୍ଟାରେ ବର୍ଷା ଏବଂ... West Bengal Board Announces HS 3rd Sem... পিয়ালি রাশ ও গ্রামীন মেলা প্রশাসনিক স... Severe Cyclonic Storm Akvan Nears Indi... Tejashwi Yadav Slams Bihar Government... Bihar Law Department Opens 2026 Recrui...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

୨୦୨୭-୨୮ ରାଜ୍ୟ ବଜେଟର ବ୍ଲୁପ୍ରିଣ୍ଟ: 'ପିପୁଲ୍ସ ଫାଷ୍ଟ' ଆଭିମୁଖ୍ୟ ସହ ୮% ଅଭିବୃଦ୍ଧି ଲକ୍ଷ୍ୟ, କର୍ମଚାରୀଙ୍କ ଭତ୍ତା ଓ ଖର୍ଚ୍ଚକାଟ ପାଇଁ ଗାଇଡ଼ଲାଇନ୍ ଜାରି

✍️ Reporter: Deepak Mahapatra 🗓 17 Nov 2026, 11:50 AM 👁 50
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ୮ପ୍ରତିଶତରେ ବଜାୟ ରଖି ଜନକଲ୍ୟାଣକାରୀ ଶାସନକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ରାଜ୍ୟର ବିଜେପି ସରକାର ୨୦୨୭-୨୮ ଆର୍ôଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଓ ୨୦୨୬-୨୭ ଆର୍ôଥକ ବର୍ଷର ସଂଶୋଧିତ ବଜେଟ୍ ଅଟକଳ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। 'ପିପୁଲ୍ସ ଫାଷ୍ଟ' ଆଭିମୁଖ୍ୟ ରଖି ବଜେଟ ପ୍ରସ୍ତୁତିବେଳେ 'ସମୃଦ୍ଧ ଓଡ଼ିଶା-୨୦୩୬' ଓ 'ବିକଶିତ ଓଡ଼ିଶା-୨୦୪୭' ପାଇଁ ବିଶାଳ ପୁଞ୍ଜିନିବେଶର ନକ୍ସା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି।
ଆଉ ଲଗାମଛଡ଼ା ପ୍ରଶାସନିକ ବ୍ୟୟକୁ ନିୟନ୍ତ୍ରଣ, ଅଯଥା ଖର୍ଚ୍ଚ କାଟ ଓ ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ଆକଳନ ନେଇ ଅର୍ଥ ବିଭାଗ ପକ୍ଷରୁ ଆଜି କଡ଼ା ଗାଇଡଲାଇନ୍ ଜାରି ହୋଇଛି। ଅର୍ଥ ସଚିବ ସଞ୍ଜିବ କୁମାର ମିଶ୍ର ଆଜି ସମସ୍ତ ବିଭାଗୀୟ ସଚିବଙ୍କୁ ଏହି ବିସ୍ତୃତ ନିର୍ଦ୍ଦେଶନାମା ପଠାଇବା ସହ ଆସନ୍ତା ୨୦୨୭ ଫେବୃୟାରୀ ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଛନ୍ତି।
ସରକାରଙ୍କ ଏହି ବଜେଟ୍ ବ୍ଲୁପ୍ରିଣ୍ଟରେ 'ବିକଶିତ ଭାରତ' ପରିକଳ୍ପନା ସହ ତାଳ ଦେଇ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ବଜେଟକୁ ୬ଟି ପ୍ରମୁଖ ସ୍ତମ୍ଭ- ପିପୁଲ୍ସ ଫାଷ୍ଟ, ଗ୍ରାମୀଣ ସଶକ୍ତିକରଣ, ସମସ୍ତଙ୍କ ପାଇଁ ସମୃଦ୍ଧି, ଆମ ଐତିହ୍ୟ ଆମ ଗର୍ବ, ପ୍ରଯୁକ୍ତିବିଦ୍ୟାର ନେତୃତ୍ୱ ଓ ଲୋକାଭିମୁଖୀ ଶାସନ ଉପରେ ଧ୍ୟାନକେନ୍ଦ୍ରିତ କରାଯାଇଛି।
ଭାରତୀୟ ଅର୍ଥନୀତିର ୭.୮% ଜିଡିପି ଅଭିବୃଦ୍ଧି ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ସକାରାତ୍ମକ ଆକଳନକୁ ଆଧାର କରି ଓଡ଼ିଶା ମଧ୍ୟମ ଅବଧିରେ ୮ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍‌, ସେମିକଣ୍ଡକ୍ଟର ଉତ୍ପାଦନ ଓ ଡିଜିଟାଲ୍ ଭିତ୍ତିଭୂମିରେ ଘରୋଇ ପୁଞ୍ଜିନିବେଶ ସହ 'ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍‌' ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥ ବିଭାଗ କହିଛି। ତେବେ କେନ୍ଦ୍ରୀୟ ଅନୁଦାନରେ ସାମାନ୍ୟ ହ୍ରାସ ଘଟିଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଟିକସ ପ୍ରଶାସନରେ ସୁଧାର ଆଣି ନିଜସ୍ୱ ରାଜସ୍ୱ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟର ରାଜସ୍ୱ ସ୍ଥିତି ଓ ବିତ୍ତୀୟ ଶୃଙ୍ଖଳା ଦିଗରେ ଅର୍ଥ ବିଭାଗ ବେଶ୍ ସତର୍କ ପଦକ୍ଷେପ ନେଇଛି। ଚଳିତ ଆର୍ଥକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ୧୦ ପ୍ରତିଶତ ଓ ଖଣି କ୍ଷେତ୍ରରୁ ଉତ୍ତମ ଆୟ ଯୋଗୁଁ ଅଣଟିକସ ରାଜସ୍ୱ ୧୭ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ମୋଟ ନିଜସ୍ୱ ରାଜସ୍ୱ ୧୩ ପ୍ରତିଶତ ବଢ଼ି ବଜେଟ୍ ଅଟକଳର ୪୦ ପ୍ରତିଶତ ଛୁଇଁଛି, ଯାହା ଚଳିତବର୍ଷର ୧.୪୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ ହାସଲର ସଙ୍କେତ ଦେଉଛି।
ତେବେ କେନ୍ଦ୍ରୀୟ ଅନୁଦାନରେ ହ୍ରାସ ଘଟିଥିବାରୁ ନିଜସ୍ୱ ରାଜସ୍ୱ ଆଦାୟକୁ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ଏଫଆରବିଏମ୍ ଆଇନ ଓ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ସଂଶୋଧିତ ଅଟକଳ ଓ ଆଗାମୀ ବଜେଟରେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟ ଜିଏସଡିପିର ୩ ପ୍ରତିଶତ ମଧ୍ୟରେ ସୀମିତ ରଖିବା ଓ ରାଜସ୍ୱ ବଳକାକୁ ୨.୫ ପ୍ରତିଶତରେ ବଜାୟ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କେନ୍ଦ୍ର ସରକାରଙ୍କ ୫୦ ବର୍ଷିଆ ବିନା ସୁଧ ଋଣ ଯୋଜନାକୁ ଏହି ୩ ପ୍ରତିଶତ ସୀମାରୁ ବାଦ୍ ଦିଆଯାଇଥିବାବେଳେ ଅର୍ଥ ଓ ଯୋଜନା ସଂଯୋଜନ ବିଭାଗ ମିଳିତ ଭାବେ ଏକ 'ଫିସ୍କାଲ୍ ଷ୍ଟ୍ରାଟେଜି ପେପର' ପ୍ରକାଶ କରିବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ପ୍ରଶାସନିକ ଖର୍ଚ୍ଚ କାଟ ଓ କର୍ମଚାରୀଙ୍କ ଦରମା ଓ ଭତ୍ତା ନେଇ ଅର୍ଥ ବିଭାଗ କଡ଼ା ନିୟମ ଲାଗୁ କରିଛି । ଆଗାମୀ ବଜେଟରେ କର୍ମଚାରୀଙ୍କ ମୂଳ ବେତନରେ ୩ ପ୍ରତିଶତ ବାର୍ଷିକ ଇନକ୍ରିମେଣ୍ଟ, ୭୦ ପ୍ରତିଶତ ମହଙ୍ଗା ଭତ୍ତା ଓ ମୁଣ୍ଡପିଛା ୨୨୦୦ଟଙ୍କା ଚିକିତ୍ସା ଭତ୍ତା ବ୍ୟୟବରାଦ ହେବ। ଘରଭଡ଼ା ଭତ୍ତା, ଏଲଟିସି, କୋର୍ଟ ଡିଗ୍ରୀ ଦେୟ, ଋଣ ପରିଶୋଧ ଓ ଜମି ଅଧିଗ୍ରହଣ ଖର୍ଚ୍ଚ ବାସ୍ତବ ଆବଶ୍ୟକତା ଅନୁସାରେ ମିଳିବ। ଏମ୍‌ଏସିପିଏସ୍ ଓ ଆରଏସିପି ଜନିତ ବର୍ଦ୍ଧିତ ଦରମା ତଥ୍ୟ ଦେବା ସହ ଡେପୁଟେସନରେ ଯାଇଥିବା ବା ଦୀର୍ଘଦିନ ଅନୁପସ୍ଥିତ କର୍ମଚାରୀଙ୍କ ଦରମାକୁ ଅଟକଳରୁ ବାଦ୍ ଦେବାକୁ ନିର୍ଦ୍ଦେଶ ରହିଛି। ଅର୍ଥ ବିଭାଗର ସ୍ପଷ୍ଟ ଅନୁମତି ବିନା କୌଣସି ଖାଲି ପଦବୀ ପାଇଁ ଦରମା ବ୍ୟୟବରାଦ ହୋଇପାରିବ ନାହିଁ ଓ କର୍ମଚାରୀଙ୍କ ତଥ୍ୟ ସିଧାସଳଖ ଏଚଆରଏମଏସ୍ ପୋର୍ଟାଲରୁ ସଂଗ୍ରହ କରାଯିବ ବୋଲି ଅର୍ଥ ବିଭାଗ କହିଛି।
ରାଜ୍ୟ ସରକାର ଅଯଥା ବ୍ୟୟ ରୋକିବାକୁ ଗୃହ ନିର୍ମାଣ ଅଗ୍ରିମ ଓ ଏଲଟିଏ ପାଇଁ ଥିବା 'ଗ୍ଲୋବାଲ୍ ଆଲଟମେଣ୍ଟ' ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ଟେଲିଫୋନ୍‌, ଗସ୍ତ ଖର୍ଚ୍ଚ, ଅଫିସ୍ ଖର୍ଚ୍ଚ, ଗାଡ଼ି ଇନ୍ଧନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ୨୦୨୬-୨୭ ମସିହା ବଜେଟସ୍ତରରେ ସୀମିତ ରଖିବାକୁ କୁହାଯାଇଛି।
ବିଭାଗଗୁଡ଼ିକୁ ସରକାରୀ ଓ ଭଡ଼ା ଗାଡ଼ିର ସବିଶେଷ ତଥ୍ୟ ଦେବାକୁ କୁହାଯାଇଥିବାବେଳେ ଅନୁଦାନପ୍ରାପ୍ତ ସଂସ୍ଥାଗୁଡ଼ିକୁ ଅର୍ଥ ଦେବା ପୂର୍ବରୁ ସେମାନଙ୍କର ବିନିଯୋଗ ପ୍ରମାଣପତ୍ର (ୟୁସି) ଓ ବ୍ୟାଙ୍କ ବାଲାନ୍ସ ଯାଂଚ ବାଧ୍ୟତାମୂଳକ ହୋଇଛି। ସ୍କୁଲ ଓ ଗଣଶିକ୍ଷା ଆଉ ଉଚ୍ଚଶିକ୍ଷା ବିଭାଗ ଅଧୀନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଖାଲି ପଦବୀ ଉଚ୍ଛେଦ (୨୦୨୬ ଅକ୍ଟୋବର ୩୧ ଓ ୨୦୨୭ ଫେବୃଆରୀ ୨୮ ସୁଦ୍ଧା) ସମେତ ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ତଥ୍ୟ ଦେବାକୁ ଅର୍ଥ ବିଭାଗ ସ୍ୱତନ୍ତ୍ର ଫର୍ମାଟ୍ ଜାରି କରିଛି।
ବଜେଟ୍ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରଥମ ଥର ଲାଗି ସମସ୍ତ ବିଭାଗକୁ ଆଗାମୀ ତିନି ବର୍ଷ ପାଇଁ ବହୁବାର୍ଷିକ ବ୍ୟୟ ସୀମା ପ୍ରଦାନ କରାଯିବ। ପ୍ରଶାସନିକ ବ୍ୟୟ, କାର୍ଯ୍ୟକ୍ରମ ବ୍ୟୟ, ରାଜ୍ୟରୁ ହସ୍ତାନ୍ତର ଓ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ବାବଦରେ ପୃଥକ୍ ବ୍ୟୟ ସୀମା 'ବେଟା' ଓ 'ଆଇଏଫଏମଏସ୍‌' ପୋର୍ଟାଲ୍ ମାଧ୍ୟମରେ ଦିଆଯିବ ଓ ଧାର୍ଯ୍ୟ ସୀମା ବାହାରେ କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ । ନୀତି ଆୟୋଗ, ସିଏଜି ଓ ୟୁଏନଡିପି ମାର୍ଗଦର୍ଶିକା ଅନୁଯାୟୀ 'ବେଟା' ପୋର୍ଟାଲରେ ଏସଡିଜି ଟ୍ୟାଗିଂ ବ୍ୟବସ୍ଥା ଲାଗୁ ହୋଇଥିବାବେଳେ କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ଏସ୍‌ଏନଏ-ସ୍ପର୍ଶ) ମଡେଲ୍ ଅନୁଯାୟୀ ପାଣ୍ଠି ବ୍ୟବସ୍ଥା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉପଯୋଜନା ପାଇଁ ନିୟମାନୁସାରେ ଅର୍ଥ ବରାଦ କରିବାକୁ କୁହାଯାଇଛି।
ସମସ୍ତ ବିଭାଗ ଆସନ୍ତା ଡିସେମ୍ବର ୧୯ତାରିଖ ସୁଦ୍ଧା ବଜେଟ୍ ପ୍ରସ୍ତାବ ଦାଖଲ କରିବେ। ଡିସେମ୍ବର ୨୧ରୁ ୨୦୨୭ ଜାନୁଆରୀ ୮ ପର୍ଯ୍ୟନ୍ତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ, ଫେବୃଆରୀ ୩ରେ କେନ୍ଦ୍ର ବଜେଟ୍ ପରବର୍ତ୍ତୀ ସଂଶୋଧନ ଓ ଫେବୃଆରୀ ୬ରେ ମୁଖ୍ୟ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଫେବୃଆରୀ ୮ରୁ ୧୨ ମଧ୍ୟରେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପରେ ଫେବୃଆରୀ ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ଓ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟୟ ମଞ୍ଜୁରୀ ବିଲ୍ (ଆପ୍ରୋପ୍ରିଏସନ୍ ବିଲ୍‌) ଆଗତ ହେବ ବୋଲି ଅର୍ଥ ବିଭାଗ କାର୍ଯ୍ୟସୂଚୀ ଜାରି କରିଛି।
📲Get App