🔥 TRENDING କାମାକ୍ଷାନଗର ଚିକିତ୍ସାଳୟରେ ଡାକ୍ତରଙ୍କ ମଦ... Rajasthan Power Corp to Conduct JE Rec... How to Check Rajasthan 2026 Panchayat... ED Seizes Properties Worth Rs 16 Cr in... स्थानीय क्रिकेट टूर्नामेंट सुबह 8 बजे... मुख्यमंत्री डॉ. मोहन यादव का रीवा हवाई...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଜେଲରୁ ମୁକୁଳିବେ ବୃଦ୍ଧବୃଦ୍ଧା ଓ ଦୂରାରୋଗ୍ୟ ପୀଡ଼ିତ କଏଦୀ: ଗଠନ ହେଲେ ୮ଜଣିଆ କମିଟି, ବଦଳିବ ଜେଲ୍ ନୀତି

✍️ Reporter: Deepak Mahapatra 🗓 11 Nov 2026, 12:52 PM 👁 75
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ଜେଲଗୁଡ଼ିକରେ ବନ୍ଦୀ ଥିବା ବୃଦ୍ଧବୃଦ୍ଧା ଓ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ କଏଦୀମାନଙ୍କୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଅବା ମାନବିକତା ଦୃଷ୍ଟିରୁ ଅନୁକମ୍ପାମୂଳକ ଭାବେ ଖଲାସ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ନାଲସା ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗତକାଲି କମିଟି ଗଠନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ ଏବେ କାର୍ଯ୍ୟକାରୀ ହେଉଥିବା ‘ମୁକ୍ତି ନୀତି’ରେ ବ୍ୟାପକ ସଂଶୋଧନ ଓ ନୂଆ ନୀତି ପ୍ରଣୟନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି।
ବିଜ୍ଞପ୍ତି ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟସ୍ତରରେ ଗୃହ ବିଭାଗର ସଚିବ କିମ୍ବା ତାଙ୍କ ଦ୍ୱାରା ମନୋନୀତ ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଏହି କମିଟି ‘କଏଦୀମାନଙ୍କ ମୁକ୍ତି’ ସମ୍ପର୍କିତ ପୁରୁଣା ନିୟମାବଳୀର ସମୀକ୍ଷା କରି ନୂଆ ନିୟମ ପ୍ରସ୍ତୁତ କରିବ।
ଏହି କମିଟିରେ ଆଇନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ କିମ୍ବା ଅତିରିକ୍ତ ସଚିବ ପାହ୍ୟାର ପ୍ରତିନିଧିମାନେ ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ଓ ଏନଆଇସିର ଅଧିକାରୀ ଏହି କମିଟିର ସଦସ୍ୟ ରହିଥିବାବେଳେ ଅତିରିକ୍ତ ଜେଲ୍ ଡିଜି ଏଥିରେ ସଦସ୍ୟ ଆବାହକ ଭାବେ ଦାୟିତ୍ୱ ତୁଲାଇବେ। ବିଶେଷ ଆବଶ୍ୟକତା ସମୟରେ ଆର୍ôଥକ, ଚିକିତ୍ସା, ବୈଷୟିକ କିମ୍ବା ପୁନର୍ବାସ ସମ୍ପର୍କିତ ନିଷ୍ପତ୍ତି ପାଇଁ ବାହାରୁ ଅନ୍ୟ ବିଶେଷଜ୍ଞ କିମ୍ବା ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇପାରିବ।
ଏହି କମିଟି ରାଜ୍ୟର ୨୦୨୨ ମସିହାର ଗାଇଡ଼ଲାଇନର ତର୍ଜମା କରିବ ଓ ବାର୍ଦ୍ଧକ୍ୟ ତଥା ଗୁରୁତର ଅସୁସ୍ଥ କଏଦୀମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବ। ବିଶେଷ ଭାବରେ 'ମାରାତ୍ମକ ରୋଗ' ବା ଦୂରାରୋଗ୍ୟର ସ୍ପଷ୍ଟ ସଂଜ୍ଞା ନିରୂପଣ କରିବା ସହ ଡିଭିଜନାଲ ଓ ରାଜ୍ୟସ୍ତରରେ ମେଡିକାଲ ବୋର୍ଡ ଗଠନ, ଉପଯୁକ୍ତ କଏଦୀଙ୍କ ଚିହ୍ନଟ ଓ ୟୁଟିଆରସି ମାଧ୍ୟମରେ ସମୟବଦ୍ଧ ସମୀକ୍ଷା ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା ତିଆରି ହେବ।
ଜେଲରୁ ମୁକୁଳିବା ପରେ ସେମାନଙ୍କର ଚିକିତ୍ସା, ସାମାଜିକ ସୁରକ୍ଷା, ପୁନର୍ବାସ ଓ ଆଇନଗତ ସହାୟତା ପ୍ରଦାନ ଲାଗି ମଧ୍ୟ ରୂପରେଖ ସ୍ଥିର କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପାରଦର୍ଶୀ ରଖିବା ପାଇଁ ଇ-ପ୍ରିଜନ୍ସ ପୋର୍ଟାଲ ଜରିଆରେ ଡିଜିଟାଲ୍ ପଞ୍ଜିକରଣ, ୟୁନିକ୍ ଟ୍ରାକିଂ ନମ୍ବର ଓ ସ୍ୱତଃସ୍ଫୂର୍ତ୍ତ ଆଲର୍ଟ ବ୍ୟବସ୍ଥା କରାଯିବ, ଯେଉଁଥିରେ ସେମାନଙ୍କ ବ୍ୟକ୍ତିଗତ ଓ ଚିକିତ୍ସା ସୂଚନା ସମ୍ପୂର୍ଣ୍ଣ ଗୋପନୀୟ ରହିବ।
କମିଟିର ଆବାହକ ଆବଶ୍ୟକତା ଅନୁସାରେ ବୈଠକ ଡକାଇବେ ଓ ସମସ୍ତ ବିଭାଗ ଏଥିପାଇଁ ତଥ୍ୟ ଯୋଗାଇବେ। ସୁପ୍ରିମକୋର୍ଟରେ ଏହି ନିର୍ଦ୍ଦେଶର ଅନୁପାଳନକୁ ନେଇ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ତେଣୁ ଚଳିତବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଜର ଚୂଡ଼ାନ୍ତ ସୁପାରିସ ରାଜ୍ୟ ସରକାରଙ୍କ ନିକଟରେ କମିଟି ଦାଖଲ କରିବ। ଯାହା ଆଧାରରେ ରାଜ୍ୟ ସରକାର ଏହି ନୂଆ ମୁକ୍ତି ନୀତି ଲାଗୁ କରିବେ ବୋଲି ଜଣାପଡ଼ିଛି।
📲Get App